37.2 C
Bhubaneswar
Friday, April 19, 2024
Homeଓଡିଶାଶୁଭମ ମୃତ୍ୟୁ ରହସ୍ୟ  : ଏସପିଙ୍କୁ ଭେଟିଲେ ମୃତ ଛାତ୍ରଙ୍କ ପରିବାର

ଶୁଭମ ମୃତ୍ୟୁ ରହସ୍ୟ  : ଏସପିଙ୍କୁ ଭେଟିଲେ ମୃତ ଛାତ୍ରଙ୍କ ପରିବାର

 
 
ଧୁଷୁରୀ : ନିଖୋଜର ୫ ଦିନ ପରେ ରେବ ନଦୀପଠାରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ଦଶମ ଶ୍ରେଣୀ ଛାତ୍ର ଶୁଭମର ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ଦାବି ଜୋର ଧରିଛି । ଆଜି ମୃତ ଛାତ୍ରର ବାପା-ମା\’ ଏସ୍‌ପି ରାଜେଶ ପଣ୍ଡିତଙ୍କୁ ଭେଟି ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଗତ ୨୭ ତାରିଖ  ଧାମନଗର ବ୍ଲକ୍ ଝାରଡ଼ିଆ ଗ୍ରାମର ସରୋଜ ପ୍ରଧାନ ଓ ବୀଣାପାଣି ପ୍ରଧାନଙ୍କ ବଡ଼ପୁଅ ଶୁଭମ(ଧନୁଆ) ମାମୁଘର ଗାଁ ଅସୁରାଳି କାକୁଡ଼ିଗଡ଼ିଆରୁ ନିଖୋଜ ହୋଇଯାଇଥିଲା । ତେବେ ନିଖୋଜ ଶୁଭମର ଖାତାରୁ ଏକ ସନ୍ଦେହଜନକ ଚିଠି ମିଳିଥିଲା । ୧୬ ବର୍ଷୀୟ ଶୁଭମ ନିଖୋଜର ପରଦିନ ପରିବାର ଲୋକେ ତା ହାତଲେଖା ଚିଠି ସହ ଧୁଷୁରୀ ଥାନାରେ  ଅଭିଯୋଗ କରିଥିଲେ ।
କୋରୁଆ-ଗୋବିନ୍ଦପୁର ହାଇସ୍କୁଲରେ ପଢୁଥିବା ଶୁଭମ୍ ଲେଖିଥିବା ଚିଠିରୁ ସ୍ପଷ୍ଟ ଯେ କୌଣସି ବ୍ୟକ୍ତି ବା ଘଟଣାକୁ ନେଇ ସେ ଆତଙ୍କିତ ଥିଲା । ଚିଠି ଆଧାରରେ ତାକୁ କେହି ଧମକ ଦେଇ ମାମୁଘରୁ ନେଇ ଯାଇଥିବା ଆଶଙ୍କା ବଳବତ୍ତର ହୋଇଥିଲା । ହତ୍ୟା କରିବାକୁ କେହି ବାରମ୍ବାର ଧମକ ଦେଉଥିବା ଓ ଏଥିପାଇଁ ପାରିବାରିକ ଶତ୍ରୁତା କାରଣ ବୋଲି ମଧ୍ୟ ଦର୍ଶାଯାଇଥିଲା । ଧମକ ଦେଉଥିବା ବ୍ୟକ୍ତି ଯେଉଁ ନମ୍ବରରୁ ଫୋନ କରୁଥିଲା ତାହାକୁ ଡିଲିଟ କରିବା ପାଇଁ ତାଗିଦ କରିଥିଲା । ଜାନୁଆରୀ ୩୧ ତାରିଖ ଏକ ମୃତଦେହ କାକୁଡ଼ିଗଡ଼ିଆ-ଝାରଡ଼ିଆ ଗାଁର ମଧ୍ୟବର୍ତ୍ତୀ ରେବନଦୀ ପଠାର ଚୁଡ଼ାଖିଆ ମଠ କୁହାଯାଉଥିବା ଘଞ୍ଚ ପରିତ୍ୟକ୍ତ ସ୍ଥାନରେ ଝୁଲୁଥିବା ଲୋକେ ଦେଖିଥିଲେ ।
ଶବଟି ପଚିସଢ଼ି ଯାଇଥିବା ବେଳେ ପୁଲିସ ଉପସ୍ଥିତିରେ ଏହା ନିଖୋଜ ଶୁଭମ୍ ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ । ମୃତଦେହ ଝୁଲୁଥିବାର ସ୍ଥିତି ଏବଂ ପାଖରେ ଦୁଇହଳ ଜୋତା ମିଳିବା ପରେ ଏହା ସୁପରିକଳ୍ପିତ ହତ୍ୟା ବୋଲି ଧାରଣା ହୋଇଥିଲା । ସାଇଣ୍ଟିଫିକ ଟିମ୍ ଦ୍ୱାରା ପୁଲିସ୍ ପ୍ରାଥମିକ ଅନୁସନ୍ଧାନ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମୃତ୍ୟୁ ରହସ୍ୟ ଖୋଲିବ ବୋଲି ଧୁଷୁରୀ ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ସିଂହ କହିଥିଲେ । କିନ୍ତୁ ପୁଲିସ ଏହି ମତସହ ଏକ ହୋଇପାରିନି ମୃତ ଛାତ୍ରର ପରିବାର । ବଡ଼ ପୁଅକୁ ହରାଇ ଭାଙ୍ଗି ପଡ଼ିଥିବା ବାପା ସରୋଜ ଓ ମା\’ ବୀଣାପାଣି ଆଜି ଏସପି ରାଜେଶ ପଣ୍ଡିତଙ୍କୁ ସାକ୍ଷାତ କରି ପୁଅ ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ ଆକୁଳ ଅନୁରୋଧ କରିଛନ୍ତି । ସେହିପରି ଗ୍ରାମବାସୀ ମଧ୍ୟ ଶୁଭମ ଲେଖିଥିବା ଚିଠି ଏବଂ ମାମୁଙ୍କ ମୋବାଇଲକୁ ଆସିଥିବା ଫୋନ୍‍କଲ୍ ଡିଟେଲ୍ସ ବାହାର କରିବାକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଧାମନଗର ଏସ୍‌ଡିପିଓଙ୍କୁ ତଦନ୍ତ କରିବାକୁ ଏସ୍‌ପି ଶ୍ରୀ ପଣ୍ଡିତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking