ମୁମ୍ବାଇ: ଆଇପିଏଲ୍ ୨୦୨୪ରେ ଶ୍ରେୟସ୍ ଆୟର୍ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍ର)ର କ୍ୟାପ୍ଟେନ୍ ହେବେ ଏବଂ ଗତ ସିଜନ୍ରେ ଟିମ୍ର ନେତୃତ୍ୱ ନେଇଥିବା ନୀତୀଶ ରାଣା ଭାଇସ୍ କ୍ୟାପ୍ଟେନ୍ ରହିବେ । କେକେଆର୍ ସିଇଓ ଭେଙ୍କି ମୈସୁର୍ ଆୟର୍ଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି । ଅନ୍ୟପକ୍ଷରେ ଶ୍ରେୟସ୍ ଆୟର୍ କହିଛନ୍ତି, ଗତ ସିଜନ୍ରେ ଆମ ସମ୍ମୁଖରେ କେତେକ ଆହ୍ୱାନ ଥିଲା । ଏହା ମଧ୍ୟରୁ ଆଘାତଜନିତ କାରଣରୁ ମୋ ଅନୁପସ୍ଥିତି ମଧ୍ୟ ଅନ୍ୟତମ । ମୋ ସ୍ଥାନରେ ନୀତୀଶ ଟିମ୍କୁ ପ୍ରଶଂସନୀୟ ନେତୃତ୍ୱ ଦେଇ ଚମତ୍କାର କାମ କରିଛନ୍ତି ।
ତାଙ୍କ ଭାଇସ୍ କ୍ୟାପ୍ଟେନ୍ ନିଯୁକ୍ତ କରାଯାଇଥିବାରୁ ଟିମ୍ର ନେତୃତ୍ୱ ମଜଭୁତ ହେବ । ଆୟର୍ ବିଦର୍ଭ ବିପକ୍ଷ ରଣଜୀ ଟ୍ରଫି ଫାଇନାଲ୍ର ୫ମ ଦିନ ମୁମ୍ବାଇ ପାଇଁ ପିଲ୍ଡିଂ କରିନଥିଲେ । ଏହାପରେ ଆଶଙ୍କା କରାଯାଉଥିଲା, ସେ ଆଇପିଏଲ୍ର ପ୍ରାରମ୍ଭିକ ମ୍ୟାଚ୍ରୁ ବାଦ୍ ପଡ଼ିବେ । ମାତ୍ର ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ଆଇପିଏଲ୍ର ପ୍ରଥମ ମ୍ୟାଚ୍ରୁ ହିଁ ଟିମ୍ର ନେତୃତ୍ୱ କରିବେ ବୋଲି ଟିମ୍ ସୂତ୍ରରୁ ଜଣାପଡ଼ିଛି । ରଣଜୀ ଫାଇନାଲ୍ରେ ଅନ୍ତିମ ଦିନ ସେ ସତର୍କତାମୂଳକ ଭାବେ ଫିଲ୍ଡିଂ ପାଇଁ ପଡ଼ିଆକୁ ଆସିନଥିଲେ । ସେ ଖୁବ୍ଶୀଘ୍ର କେକେଆର୍ ଟିମ୍ରେ ଯୋଗଦେବ ବୋଲି ସୂତ୍ର ପକ୍ଷରୁ କୁହାଯାଇଛି । ଶ୍ରେୟସ୍ ରଣଜୀ ଟ୍ରଫି ଫାଇନାଲ୍ର ଦ୍ୱିତୀୟ ଇନିଂସ୍ରେ ୧୧୧ ବଲ୍ରୁ ୯୫ ରନ୍ର ଇନିଂସ୍ ଖେଳିଥିଲେ । ଅବଶ୍ୟ ପ୍ରଥମ ଇନିଂସ୍ରେ ସେ କେବଳ ୭ ରନ୍ ହିଁ କରିପାରିଥିଲେ ।