#ବୋଉର_ଗହଣା #ଅରବିନ୍ଦଦାସ

  1. ଡ୍ରଇଂ ରୁମରେ ସମସ୍ତେ ଏକାଠି ବସିଥିଲେ;ଚୁପଚାପ।
    ସୁମିତ୍ରାଙ୍କ ଯିବାର ଆଜିକୁ ତେର ଦିନ ହୋଇଗଲା।
    ବିଶ୍ଵନାଥ ବାବୁ ଏକ ଲୟରେ ଅନାଇଥିଲେ କାନ୍ଥରେ ଟଙ୍ଗା ହୋଇଥିବା ସ୍ତ୍ରୀଙ୍କ ଫଟ କୁ।
    ପୁଅ ବୋହୂ,ଝିଅ ଜୋଇଁ ,ନାତି ନାତୁଣୀ ସମସ୍ତେ ଏକାଠି ହୋଇଥିଲେ ସୁମିତ୍ରା’ଙ୍କ କ୍ରିୟାକର୍ମ ପାଇଁ।ସବୁ ଜିନିଷ ଭଲରେ ଭଲରେ ହୋଇଗଲା।ପିଲାମାନେ ବୋଉ ଆତ୍ମାକୁ ସମ୍ମାନ ଜଣାଇବା ପାଇଁ ବ୍ରାହ୍ମଣଭୋଜନ,ଦାନ,ଦକ୍ଷିଣା,ଭୋଜି ,କେଉଁଥିରେ ଉଣା ନକରି ହାତ ଖୋଲା ଖର୍ଚ୍ଚ କରିଥିଲେ।
    ପହରଦିନ ପିଲାମାନେ ଫେରିଯିବେ,ନିଜ ନିଜ କର୍ମ କ୍ଷେତ୍ରକୁ।ଏଇଠି ଏକୁଟିଆ ରହିବା ପାଇଁ ବିଶ୍ଵନାଥ ବାବୁ ନିଷ୍ପତ୍ତି ନେଇଥିଲେ ବୋଲି ପିଲାମାନେ ବ୍ୟସ୍ତ ହେଉଥିଲେ ଏବଂ ସେମାନଙ୍କ ସହିତ ଯିବା ପାଇଁ ତାଙ୍କୁ ବାଧ୍ୟ କରିଥିଲେ।କିନ୍ତୁ କାହିଁକି କେଜାଣି ବିଶ୍ୱନାଥ ବାବୁ ନିଜ ଜିଦିରେ ଅଟଳ ଥିଲେ।
    ପିଲାମାନେ ନିଜ ନିଜ ଭିତରେ କିଛି ଇସାରା ଦିଆ ନିଆ ହୋଇ କହିବାକୁ ଚେଷ୍ଟା କରି କେମିତି କଥାଟା ଆରମ୍ଭ କରିବେ ଜାଣି ପାରୁନଥିଲେ।
    ବଡ଼ ଝିଅ କଥା ଆରମ୍ଭ କଲା,
    -ବାପା,ଆମେ ସମସ୍ତେ ଭାବୁଥିଲୁ ବୋଉର ଜିନିଷ ଗୁଡାକ ନେବା ପାଇଁ।ଏଇଠି ତ ଖାଲିଟାରେ ପଡି ରହିବ।”
    ରୁବିର କଥା ଶୁଣି ସୁମିତ୍ରାଙ୍କ ଫଟ ରୁ ମୁହଁ ଫେରାଇ ଆଣି ବିଶ୍ୱନାଥ ବାବୁ ସମସ୍ତ ଙ୍କୁ ଥରେ ଅନାଇ କହିଲେ,
    -ହଁ ,ଯାହାର ଯେଉଁଟା ଇଛା ନେଇଯାଅ। ବୋଉର ଜିନିଷ ଗୁଡାକ ତମେମାନଙ୍କ ପାଖରେ ରହିବା ଆଉ ଏଇ ଘରେ ରହିବା ରେ କିଛି ଫରକ ନାହିଁ।”
    ବଡ଼ ବୋହୁ ଚଟ କିନା କହିଲା,
    – ନାଇଁ ବାପା,ସେକଥା ନୁହେଁ।କେବଳ ବୋଉଙ୍କ ସ୍ମୃତି ହିସାବରେ ଆମେ ଆମ ପାଖରେ ରଖିବାକୁ ଚାହୁଁ।”
    ଗଳା ଖଙ୍କାରି ବିଶ୍ଵନାଥ ବାବୁ କହିଲେ,
    -ଲୁଗା ପଟା,ଶାଢ଼ୀ,ପିତ୍ତଳ ବାସନ, ଯାହା ନେବା କଥା ନେଇଯାଅ।ବୋଉ ଥିଲା ଯେ ସବୁ ଜିନିଷ ର ଯତ୍ନ ନେଉଥିଲା।ପଡି ପଡି ଅଯଥାରେ ନଷ୍ଟ ହୋଇଯିବ।ଆଉ ଯାହାନନେବ ତାକୁ କିଛି ଗରିବଙ୍କ ଭିତରେ ବି ବାଣ୍ଟିଦେଇପାର। ଆଉ ଯଦି ଏଇଠି ରଖିବ,ତେବେ ବି କିଛି ଅସୁବିଧା ନାହିଁ।ଯେତେବେଳେ ଆସିବ ତମେମାନେ ହିଁ ବ୍ୟବହାର କରିପାରିବ।”
    ସାନ ଝିଅ ମୁହଁ ଖୋଲିଲା,
    -ବାସନକୁସନ,ଶାଢ଼ୀ ନୁହେଁ ବାପା।ଆମେ ସବୁ ଭାବୁଥିଲୁ କେବଳ ବୋଉର ଗହଣା ଗୁଡାକ ନିଜ ଭିତରେ ବାଣ୍ଟି ନେବା ପାଇଁ।କାରଣ ବୋଉର ଗହଣା ସବୁ ଏକଦମ ଆଣ୍ଟିକ ପିସ ଭଳି।ତା ବାହାଘର ବେଳେ ଅଜାଙ୍କ ଘର ଗୁଡାଏ ସୁନା ଦେଇଥିଲେ ବୋଲି ସବୁବେଳେ ଗର୍ବରେ କୁହେ।ସେ ସମୟର ଡିଜାଇନ,ପିଓରିଟି ଏବେ କେଉଁଠୁ ମିଳିବ ?ସବୁବେଳେ ତ ସେ ଗହଣାକୁ ଲକର ରେ ପୁରାଇ ରଖିଲା।ଖାଲି ଫଟରେ ଯାହା ବେଳେବେଳେ ଆମେ ଦେଖିଛୁ କିମ୍ବା କୌଣସି ଅକେଜନ ହେଲେ ଲକରରୁ ଆଣି ପିନ୍ଧି ପୁଣି ରଖିଦିଏ।”
    ଦ୍ଵିତୀୟ ବୋହୁ କହିଲା,
    – ବୋଉଙ୍କର ସୁନା ଗହଣା ରେ ଭାରି ଲୋଭ।କାହାରିକୁ ନିଜ ଗହଣାରେ ହାତ ମାରିବାକୁ ବା ପିନ୍ଧିବାକୁ ଦିଅନ୍ତିନି।”
    ବଡ଼ ଝିଅ କହିଲା,
    -ସେଇ ଗୋଟାଏ ଜିନିଷ ଭାବି ମୁଁ ଆଶ୍ଚର୍ଯ୍ୟ ହୁଏ।ବୟସ ଥିଲା ଠିକ ଅଛି।ଏତେ ଲୋଭ କାହିଁକି କେଜାଣି ?ଥରେ ମୁଁ ତା ଚନ୍ଦ୍ରହାର ମାଗିଥିଲି।ମୋତେ ବାଆଁରେଇଦେଲା।ବୟସ ହୋଇଗଲେ ନିଜ ଜିନିଷ ପାଇଁ ଲୋଭ ବଢେ ବୋଧେ।ତେବେ ସବୁ ଝିଅଙ୍କର ବୋଉ ଗହଣା ପ୍ରତି ଆସକ୍ତି,ଆକର୍ଷଣ ଥାଏ।ତା ଛଡା ଝିଅ ଙ୍କ ଅଧିକାର ତ ମା ଗହଣା ଉପରେ ଆଗେ।”
    ବଡ଼ ବୋହୁ ହସିଦେଇ କହିଲା,
    – ଖାଲି ଝିଅ ନୁହେଁ,ବୋହୁଙ୍କ ଅଧିକାର ବି ଥାଏ।”
    ଦୁଇ ପୁଅ ଏକାଠି କହିଲେ,
    -ଏସବୁ ଫାଲତୁ ଯୁକ୍ତିତର୍କ ବନ୍ଦ କର।ବୋଉର ଗହଣା ସମସ୍ତଙ୍କ ଭିତରେ ସମାନ ସମାନ ଭାବେ ବାଣ୍ଟି ଦିଆଯିବ।କିଏ କେଉଁ ପିସ ନେବ ତାହା ନିଜ ଭିତରେ ଠିକ କରି ନିଅ ନହେଲେ ଧର୍ମଗୁଳା ପଡିବ।ବାପା ଆପଣ ଲକର ରୁ ବୋଉର ଗହଣା ସବୁ ନେଇ ଆସନ୍ତୁ।”
    ବିଶ୍ୱନାଥ ବାବୁ ଥରେ ସମସ୍ତଙ୍କୁ ଅନାଇଲେ ଓ କହିଲେ,
    -ଆଜି ବୋଉ ଯିବାର ତେର ଦିନ।ଅଶୁଭ।କାଲି ନିଜ ଭିତରେ ବଣ୍ଟାବଣ୍ଟି କରିଦେଵ।”
    ବିଶ୍ୱନାଥ ବାବୁ ଉଠିଗଲା ପରେ ଝିଅ,ବୋହୁମାନେ ପୁରୁଣା ଆଲବମ ଆଣି ଦେଖୁଥିଲେ ସୁମିତ୍ରାଙ୍କ ଫଟରେ ଥିବା ଗହଣା ସବୁର ଚିତ୍ରକୁ ଏବଂ କିଏ କେଉଁଟା ନେବ ଠିକ କରୁଥିଲେ।
    ପରଦିନ ସକାଳେ ବିଶ୍ୱନାଥ ବାବୁ ଠାକୁର ଘର ଆଲମାରୀରୁ ଗୋଟେ ଛୋଟ ବାକ୍ସ ବାହାର କରି ଡ୍ରଇଂ ରୁମ ଟି ପୟ ଉପରେ ସମସ୍ତଙ୍କ ସାମ୍ନାରେ ରଖି କହିଲେ,
    -ଏଥିରେ ବୋଉ ର ସବୁ ଗହଣା ଅଛି।”
    ଆଶ୍ଚର୍ଯ୍ୟ ହୋଇ ବାକ୍ସଟା ଫିଟାଉ ଫିଟାଉ ବଡ଼ ଝିଅ କହିଲା,
    -ଆପଣ ଓ ବୋଉ ଏତେ ଗହଣା ବ୍ୟାଙ୍କ ଲକର ରେ ନରଖି,ଘରେ ରଖିଥିଲେ ?ହେ ଭଗବାନ,ଆମେ ଯଦି ବାଣ୍ଟିବା କଥା ଉଠାଇ ନଥାନ୍ତୁ,ତେବେ ଏମିତି ଏଇ ଠାକୁର ଘରେ ଥାଆନ୍ତା ଏତେ ସୁନା ଗହଣା।’
    ବଡ଼ ପୁଅ କହିଲା,
    – ଏଇଥିପାଇଁ ଆଜିକାଲି ବୟସ୍କ ନାଗରିକ ମାନଙ୍କର ହତ୍ୟା, ଆକ୍ରମଣ ଘଟଣା ହେଉଛି।”
    ସମସ୍ତେ ଗହଣାକୁ ଖେଳାଉଥିଲେ।ବିଶ୍ୱନାଥ ବାବୁ ଧୀର ସ୍ୱରରେ କହିଲେ,
    – ନକଲି ଗହଣା ସବୁକୁ ଲକରରେ କାହିଁକି ରଖା ହୋଇଥାନ୍ତା ?”
    ସମସ୍ତେ ଚମକି ପଡିଲେ।
    – ନକଲି ଗହଣା !ବୋଉ ର ଅସଲି ସୁନା ଗହଣା କୁଆଡେ ଗଲା ?”
    ମୃଦୁ ହସି ବିଶ୍ୱନାଥ ବାବୁ କହିଲେ,
    – ତମମାନଙ୍କ ବାହାଘର ବେଳେ ତମ ବୋଉ ନିଜ ଗହଣା ସବୁ ବଦଳାଇ ନୂଆ ଗହଣା ତମକୁ ଦେଇଛି।ଯାହା ସେ ଆଣିଥିଲା ନିଜ ବାପ ଘରୁ।ଅସଲି ଗହଣା ବିକିବା ପୂର୍ବରୁ ଠିକ ସେଇ ଡିଜାଇନ ର ନକଲି ଗହଣା ତିଆରି କରି ନିଜ ପାଖରେ ରଖୁଥିଲା,ତମ ମାନଙ୍କ ମନରେ ସନ୍ଦେହ ନହେଉ ବୋଲି।ଏଇ ନକଲି ଗହଣା ସବୁ ପିନ୍ଧୁଥିଲା ତମ ବୋଉ।ସେଇଥିପାଇଁ ତମ ମାନଙ୍କୁ ଦେଉ ନଥିଲା,ତା ମିଛ ଧରା ପଡିଯିବ ବୋଲି।ଥରେ ମୁଁ ପଚାରିଥିଲି,ନିଜର ସବୁ ଗହଣା କାହିଁକି ବିକି ଦେଉଛ ବୋଲି ;ହସିଦେଇ କହିଥିଲା,ପିଲାମାନେ ହିଁ ମୋ ଅସଲି ଗହଣା।”
    ଘର ଭିତରେ ଅସମ୍ଭବ ନିରବତା।କିଛି ସମୟ ପରେ ବଡ଼ ଝିଅ କହିଲା,
    – ଏ ନକଲି ଗହଣା ସବୁ ତେବେ ରଖି କି ଲାଭ ?ଫୋପାଡ଼ି ଦେବା ଏସବୁ।”
    ସେ ଛୋଟ ବାକ୍ସ ଟା ବନ୍ଦ କରି ଠାକୁର ଘର ଆଡ଼କୁ ଚାଲିବା ଆଗରୁ ଗମ୍ଭୀର ସ୍ୱରରେ ବିଶ୍ୱନାଥ ବାବୁ କହିଲେ,
    -ନା, ଫୋପଡା ହେବନି ଏସବୁ।ତମ ବୋଉ ପାଇଁ ମୁଁ ଖଣ୍ଡେ ଗହଣା ଗଢିପାରିନି କି ତମେମାନେ ବି ବୋଉକୁ ଦିନେ ସୁନା ଜିନିଷ ଉପହାର ଦେଇନ।ବୋଉକୁ ତମେମାନେ କେହି ଚିହ୍ନିଲ ନାହିଁ।ତମପାଇଁ ନିଜ ଅସଲି ଗହଣା ବିକି ନକଲି ଗହଣା ସବୁକୁ ଅସଲି ଭଳି କାହିଁକି ସାଇତିଥିଲା ତାହା ବୁଝିପାରିବନି।ମୋ ପାଇଁ ଏସବୁ ଏବେ ମିଠା ସ୍ମୃତି।ସ୍ମୃତି ପାଇଁ ଅସଲି ନକଲି କିଛି ଫରକ ନଥାଏ।ତମ ବୋଉର ଏଇ ନକଲି ଗହଣା ସବୁ , ମୋ ପାଇଁ ଆଜି ବି ଏକଦମ ଅସଲି,ଠିକ ଆମ ଦୁହିଁଙ୍କ ସମ୍ପର୍କ,ବିଶ୍ବାସ,ଭରସା ଓ ଶ୍ରଦ୍ଧା ଭଳି।”
    (©ଅରବିନ୍ଦ ଦାସ)

LEAVE A REPLY

Please enter your comment!
Please enter your name here