ଅଗ୍ରଓ୍ଵାଲ୍ ଜୋତା ଶୋ ରୁମରେ ମୁଁ ବସିଥାଏ ମୋର ଅଫିସ ଜୋତା ହଳେ ନେବାପାଇଁ । ମୋ ପାଦକୁ ଦେଖି ତାଙ୍କର ସେଲ୍ସ ମେନ ଜୋତା ଗଦା କରି ଚାଲିଥାଏ । ହଠାତ ଯୁବକଟିଏ ଧଇଁସଇଁ ହେଇ ପଶି ଆସିଲା । ସେ ବହୁତ ଜଲଦିରେ ଥିଲା ପରି ଜଣା ପଡୁଥାଏ ।
ସେ ସିଧା ଦୋକାନ ମାଲିକଙ୍କୁ ପଚାରିଲା ,
– ଆଜ୍ଞା ଲେଡିଜ ଚପଲ ହଳେ ନେଇଥାନ୍ତି ।
– କେମିତି ଜୋତା ଆଉ କେଉଁ ରେଞ୍ଜରେ ନେବେ ଆପଣ ।
– ରେଞ୍ଜ ପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ । ମଜବୁତ ଓ ଆରାମଦାୟକ ହେବା ନିହାତି ଆବଶ୍ୟକ ।
– ତେବେ ମାପ କେତେ ?
ଗୋଟାଏ ଚାରି ଚଉତା କାଗଜକୁ ଖୋଲୁ ଖୋଲୁ ସେ ସ୍ଵଗତ ଭୁଟୁଭୁଟୁ ହେଉଥିଲା ।
– ସେ କଣ କେବେ ଜୋତା ନାଇଛି ଯେ ମାପ କେତେ ଜାଣିବି ,
ପୁଣି ଯୋରରେ କହିଲା
– ଏଇଟା ମୋ ମାଆର ପାଦଚିହ୍ନ । ଏଇ ମାପରେ ଚପଲ ଦିଅନ୍ତୁ । ଟିକେ ଶୀଘ୍ର , ମୋର ଟ୍ରେନ୍ ଟାଇମ ହେଇ ଯାଉଛି ।
ଅଗ୍ରଓ୍ଵାଲ୍ ଜୀ ଆଶ୍ଚର୍ଯ୍ୟ ହୋଇ ସେଇ କାଗଜକୁ ଦେଖୁଥାନ୍ତି । ସେଥିରେ କାଦୁଅ ନଟପଟ ପାଦଚିହ୍ନ ଟିଏ ।
ଯୁବକଟି ତାଙ୍କର ହାବଭାବ ଠଉରେଇ କହିଲା ,
– ମୋ ମାଆ ରାଜମିସ୍ତ୍ରୀ ପାଖରେ ରେଜା କାମ କରି ମୋତେ ମଣିଷ କରିଛି । ଆଜି ମୋତେ ପ୍ରଥମ ଦରମା ମିଳିଲା ତ । ମୋ ମାଆ ପାଇଁ କଣ ଉପହାର ନେବି ଭାବି ଭାବି ଠିକ୍ କଲି ଯେ ମୋ ମାଆ ଖାଲି ପାଦରେ ଚାଲି , କାମକରି ତା ପାଦକୁ ଘାଇଲା କରି ଦେଇଛି ମୋରି ଉନ୍ନତି ପାଇଁ । ତେଣୁ ଏଇ ଚପଲଠାରୁ ଅଧିକ ସୁନ୍ଦର ଉପହାର ଆଉ କଣ ହୋଇପାରେ ?
– ଦେଖିଲ ଏଇ ଚପଲଟା ପସନ୍ଦ ଆସୁଛି ? ଏହାର ଦାମ୍ ହଜାରେ ଟଙ୍କା ।
– ହେଉ ହଜାରେ ଟଙ୍କା । ଏଇଟାକୁ ପ୍ୟାକ କରି ଦିଅନ୍ତୁ ।
– ବାବୁ , ତୁମର ଦରମା କେତେ ?
– ଆଜ୍ଞା ଦଶହଜାର ।
– ଦଶହଜାର ଦରମା ଦେଖି ହଜାରେ ଟଙ୍କା ଅଧିକ ହୋଇ ଯାଉନାହିଁ ?
– ହଁ , ଚଳିବ । ମୁଁ ପାଞ୍ଚହଜାରରେ ଚଳି ମାଆକୁ ବଳକା ଚାରି ହଜାର ଦେବି । ମୋତେ ଅବଶ୍ୟ ଟିକେ କଷ୍ଟ ହେବ । ମୋ ମାଆର କଷ୍ଟ ସାମନାରେ ଏଇ କଷ୍ଟ କିଛି ନୁହେଁ ।
ଅତ୍ୟନ୍ତ ପ୍ରଭାବିତ ହୋଇ ଅଗ୍ରଓ୍ଵାଲ୍ ଜୀ ତା ହାତକୁ ଦୁଇଟା ପ୍ୟାକେଟ ବଢ଼ାଇ ଦେଲେ ।
– ନିଅ ମୋ ତରଫରୁ ତୁମ ମାଆଙ୍କୁ ଆଉ ହଳେ ଜୋତା । ମାଆଙ୍କୁ କହିବ ସେ ଜୋତା ଛିଣ୍ଡି ଗଲେ ଏଇ ଜୋତା ପିନ୍ଧିବେ ।
ଯୁବକ ଜଣକ ଥତମତ ହୋଇ ପ୍ୟାକେଟ୍ ଧରି ଯିବାକୁ ବାହାରିଲାରୁ ଅଗ୍ରଓ୍ଵାଲ୍ ଜୀ କହିଲେ ।
-ସେ ପାଦଚିହ୍ନ ଥିବା କାଗଜଟା ଦେବ କି ?
କାଗଜ ଟି ଦେଇ ଯୁବକଟି ପଳେଇଲା । ମୁଁ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲି । ସେ କାଗଜଟିକୁ ଠାକୁର ପାଖରେ ସଜାଡି ରଖୁ ରଖୁ କହୁଥିଲେ ,
– ଏଇ ପାଦ ଚିହ୍ନ ସାମାନ୍ୟ ପାଦର ନୁହେଁ । ଏ ହେଉଛି ଲକ୍ଷ୍ମୀ ପାଦ । ସାକ୍ଷାତ ଉନ୍ନତି ଦାତ୍ରୀର ପାଦ । ଯେଉଁ ମାଆ ମଜଦୂରୀ କରି ଛୁଆକୁ ମଣିଷ କରି ପକାଏ ସେ ସତରେ ଲକ୍ଷ୍ମୀ ।
ମୁଁ ଭାବୁଥିଲି , ସତ୍ କର୍ମ ସତରେ ସଂକ୍ରାମକ ନୁହେଁ କି ? ( ଏକ ହିନ୍ଦୀ ଗପର ଛାୟାରେ )
ଆରତୀ ସାହୁ ( ଆଶା )
ବସନ୍ତ ବିହାର
ନୂଆଦିଲ୍ଲୀ
31 – 8 – 2020