33.1 C
Bhubaneswar
Monday, May 13, 2024
Homeଖେଳଏସ୍‌ଏଚ୍‌ଏଫ୍ ଶତବାର୍ଷିକୀ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍‌; ଲାଲ୍‌ରେମ୍‌ସିଆମିଙ୍କ ହ୍ୟାଟ୍ରିକ୍‌: ଇଂଲଣ୍ଡକୁ ହରାଇଲା ଭାରତ

ଏସ୍‌ଏଚ୍‌ଏଫ୍ ଶତବାର୍ଷିକୀ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍‌; ଲାଲ୍‌ରେମ୍‌ସିଆମିଙ୍କ ହ୍ୟାଟ୍ରିକ୍‌: ଇଂଲଣ୍ଡକୁ ହରାଇଲା ଭାରତ

ବାର୍ସିଲୋନା : ଏଠାରେ ସ୍ପାନିଶ୍ ହକି ମହାସଂଘ (ଏସ୍‌ଏଚ୍‌ଏଫ୍‌) ଶତବାର୍ଷିକୀ ଅବସରରେ ଚାଲିଥିବା ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍‌ରେ ଶନିବାର ଭାରତ ଇଂଲଣ୍ଡକୁ ୩-୦ ଗୋଲ୍‌ରେ ପରାସ୍ତ କରିଛି । ଷ୍ଟ୍ରାଇକର୍ ଲାଲ୍‌ରେମ୍‌ସିଆମି ହ୍ୟାଟ୍ରିକ୍ ଗୋଲ୍ ଦେଇ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ଲାଲ୍‌ରେମ୍‌ସିଆମି ଗେମ୍‌ଚେଞ୍ଜର୍ ସାବ୍ୟସ୍ତ ହୋଇଥିଲେ । ସେ ତ୍ରୟୋଦଶ, ସପ୍ତଦଶ ଓ ୫୬ତମ ମିନିଟ୍‌ରେ ଗୋଲ୍ ଦେଇ ପ୍ରତିଯୋଗିତାରେ ଦଳ ପାଇଁ ପ୍ରଥମ ବିଜୟ ଅର୍ଜନ କରିଛନ୍ତି । ଏହା ପୂର୍ବରୁ ଦଳ ପ୍ରତିଯୋଗିତାରେ ୨ଟି ମ୍ୟାଚ୍ ଖେଳିଥିଲେ ହେଁ ଉଭୟରେ ପଏଣ୍ଟ୍ ଭାଗ କରିଥିଲା । ଦଳ ତା’ର ପ୍ରଥମ ମ୍ୟାଚ୍‌କୁ ଇଂଲଣ୍ଡ ବିପକ୍ଷରେ ୧-୧ରେ ଡ୍ର’ ରଖିବା ପରେ ସ୍ପେନ୍ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌କୁ ମଧ୍ୟ ଅମୀମାଂସିତ ଭାବେ ଶେଷ କରିଥିଲା । ପଏଣ୍ଟ୍ ଟେବଲ୍‌ର ଶୀର୍ଷ ସ୍ଥାନରେ ଥିବା ଭାରତ ରବିବାର ଦ୍ୱିତୀୟ ସ୍ଥାନର ଦଳ ଆୟୋଜକ ସ୍ପେନ୍‌କୁ ଫାଇନାଲ୍‌ରେ ଭେଟିବ ।

ମ୍ୟାଚ୍‌ର ପ୍ରଥମ କ୍ୱାର୍ଟର୍‌ରେ ଇଂଲଣ୍ଡ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ସହ ପ୍ରାଧାନ୍ୟ ବିସ୍ତାର ପୂର୍ବକ ଖେଳିଥିଲା । ଅନ୍ୟପକ୍ଷରେ ଭାରତୀୟ ଖେଳାଳିମାନେ ବେଶ୍ ସ୍ଥିରଚିତ୍ତରେ ମ୍ୟାଚ୍‌କୁ ଆଗେଇନେବା ସପକ୍ଷରେ ରହିଥିଲେ । ନେହା ଗୋୟଲ୍‌ଙ୍କ ଏକ ଶଟ୍‌କୁ ଇଂଲିଶ୍ ଡିଫେନ୍ସ ବିଭାଗର ଖେଳାଳିମାନେ ରୋକିଦେବା ଫଳରେ ଭାରତର ଅଗ୍ରଣୀ ସୁଯୋଗ ହାତଛଡ଼ା ହୋଇଥିଲା । କିନ୍ତୁ ତ୍ରୟୋଦଶ ମିନିଟ୍‌ରେ ଉପଅଧିନାୟିକା ତଥା ଓଡ଼ିଆ ମିଡ୍‌ଫିଲ୍‌ଡର୍ ଦୀପ୍ ଗ୍ରେସ୍ ଏକ୍କାଙ୍କ ଏକ ପାସ୍‌କୁ ଗୋଲ୍‌ପୋଷ୍ଟ୍ ଭିତରେ ପ୍ରବେଶ କରାଇ ଲାଲ୍‌ରେମ୍‌ସିଆମି ଭାରତକୁ ଅଗ୍ରଣୀ ଦେଇଥିଲେ । ଏହି ଅଗ୍ରଣୀ ବଳରେ ଭାରରତ ଦ୍ୱିତୀୟ କ୍ୱାର୍ଟର୍‌ରେ ଦୃଢ଼ ମାନସିକତା ସହ ପଡ଼ିଆକୁ ଓହ୍ଲାଇଥିଲା । ସପ୍ତଦଶ ମିନିଟ୍‌ରେ ମଧ୍ୟ ଦଳକୁ ଏହାର ଫାଇଦା ମିଳିଥିଲା ।

ଲାଲ୍‌ରେମ୍‌ସିଆମିଙ୍କ ଶଟ୍ ଇଂଲିଶ୍ ଗୋଲ୍‌କିପର୍ ସାବି ହିଶ୍‌ଙ୍କୁ ପରାସ୍ତ କରି ଗୋଲ୍‌ପୋଷ୍ଟ୍ ଭିତରେ ପ୍ରବେଶ କରିବା ଫଳରେ ଭାରତର ଅଗ୍ରଣୀ ଦ୍ୱିଗୁଣିତ ହୋଇଥିଲା । ତୃତୀୟ କ୍ୱାର୍ଟର୍‌ରେ ଇଂଲଣ୍ଡକୁ କେତୋଟି ସୁଯୋଗ ମିଳିଥିଲେ ମଧ୍ୟ ଭାରତୀୟ ଡିଫେନ୍ସ ବିଭାଗର ଖେଳାଳିମାନେ ସଜାଗ ଥିବାରୁ ଏହି ୧୫ ମିନିଟ୍‌ର ଖେଳରେ କୌଣସି ଗୋଲ୍ ହୋଇପାରି ନ ଥିଲା । ଅନ୍ତିମ କ୍ୱାର୍ଟର୍‌ରେ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରିବାରୁ ମ୍ୟାଚ୍‌ଟି ବେଶ୍ ରୋମାଞ୍ଚକର ହୋଇଥିଲା । ଏହି ୧୫ ମିନିଟ୍ ଖେଳରେ ମଧ୍ୟ ଭାରତ ତା’ର ଅଗ୍ରଣୀକୁ ବଢ଼ାଇବାକୁ ପ୍ରୟାସ କରିଥିଲା । ୫୬ତମ ମିନିଟ୍‌ରେ ଦଳକୁ ଏହାର ଫାଇଦା ମିଳିଥିଲା, ଯେତେବେଳେ ଲାଲ୍‌ରେମ୍‌ସିଆମି ତାଙ୍କର ହ୍ୟାଟ୍ରିକ୍ ପୂରଣ କରିବା ସହ ଭାରତକୁ ୩-୦ରେ ଆଗୁଆ କରାଇଥିଲେ । ଶେଷ ପର୍ଯ୍ୟନ୍ତ ଇଂଲଣ୍ଡର ଗୋଟିଏ ବି ଗୋଲ୍ ଉଦ୍ୟମ ସଫଳ ନ ହେବାରୁ ଭାରତ ବିଜୟୀ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking