ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଶାସ୍ତ୍ରୀ ନଗରରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମାମଲାରେ କମିଶନରେଟ୍ ପୋଲିସ ବଡ଼ ସଫଳତା ପାଇଛି। ଦୁର୍ଘଟଣା ଘଟାଇ ଜଣଙ୍କ ମୃତ୍ୟୁର କାରଣ ହୋଇଥିବା କିଲର କାର୍ ଚାଳକ ସୌମ୍ୟ ରଞ୍ଜନ ରଥଙ୍କୁ ପୋଲିସ ଗିରଫ କରିଛି। ଏ ନେଇ ଜୋନ-୧ ଏସିପି ରମେଶ ବିଷୋୟୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ସୌମ୍ୟ ରଞ୍ଜନ ରଥ ଜଣେ ଆଇନ ଛାତ୍ର ଏବଂ ଦୁର୍ଘଟଣା ସମୟରେ ସେ ମଦ୍ୟପାନ କରି କାର୍ ଚଳାଉଥିଲେ।ପୋଲିସ ସୂଚନା ଅନୁସାରେ, ରାସ୍ ଡ୍ରାଇଭିଂ ଓ ଡ୍ରଙ୍କନ ଡ୍ରାଇଭ୍ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ମଧ୍ୟ ଆହତ ହୋଇଥିଲେ। ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ ପାଇଁ ପ୍ରକ୍ରିୟା ଜାରି ରଖିଛି।









