ଭୁବନେଶ୍ୱର: ଆସନ୍ତା ସୋମବାରଠାରୁ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟର୍ଠାରେ ସିନିୟର୍ ପୁରୁଷ ନ୍ୟାସନାଲ୍ ହକି କୋଚିଂ କ୍ୟାମ୍ପ୍ ଆରମ୍ଭ ହେବ । ଏଥିରେ ଭାଗ ନେବା ସକାଶେ ଶନିବାର ଏକ ୩୦ଜଣିଆ ସମ୍ଭାବ୍ୟ ଦଳ ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ଏହି ଦଳରେ ଗତ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଅମିତ୍ ରୋହିଦାସଙ୍କ ସମେତ ମୋଟ ୬ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଦୀପସାନ୍ ତିର୍କୀ, ଶିଳାନନ୍ଦ ଲାକ୍ରା, ନୀଲମ୍ ଏସ୍. ଜେସ୍, ଆଶିଷ ଟପ୍ପୋ ଓ ସୁମନ୍ ବେକ୍ । ଗତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଦଳ ଦୀର୍ଘ ୪୧ ବର୍ଷ ପରେ ପଦକ ଜିତିବାରେ ସକ୍ଷମ ହେବା ପରେ ଦଳ ଆଗାମୀ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ବିଭିନ୍ନ ଟୁର୍ଣ୍ଣାମେଣ୍ଟ୍ ମାଧ୍ୟମରେ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଥିବା ବେଳେ ଏହି ଜାତୀୟ କ୍ୟାମ୍ପ୍ରୁ ଖେଳାଳି ଚୟନ କରାଯିବ । ଏହି କ୍ୟାମ୍ପ୍ ସମ୍ପର୍କରେ ଦଳର ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି ଯେ ଦଳରେ ଉଭୟ ଅଭିଜ୍ଞ ଓ ପ୍ରତିଭାଶାଳୀ ଖେଳାଳିଙ୍କ ଅପୂର୍ବ ସମନ୍ୱୟ ଘଟିଛି । ଦୀର୍ଘ ଦିନ ଧରି ବିଭିନ୍ନ ଟୁର୍ଣ୍ଣାମେଣ୍ଟ୍ରେ ବ୍ୟସ୍ତ ରହିବା ପରେ ଖେଳାଳିମାନେ ଆବଶ୍ୟକ ବିଶ୍ରାମ ପାଇସାରିଛନ୍ତି।
ଏବେ ସେମାନେ ଜାତୀୟ କ୍ୟାମ୍ପ୍କୁ ଫେରିବା ସକାଶେ ବେଶ୍ ବ୍ୟଗ୍ର ଥିବେ । ଆସନ୍ତା ବର୍ଷ ଭଲ ପ୍ରଦର୍ଶନ ପାଇଁ ସେମାନେ ଏହି କ୍ୟାମ୍ପ୍ ମାଧ୍ୟମରେ ପ୍ରସ୍ତୁତି କରିପାରିବେ । ଗତ ଟୋକିଓ ଅଲିମ୍ପିକ୍ସରେ ଦଳର ପ୍ରଦର୍ଶନ ଉଭୟ ବ୍ୟକ୍ତିଗତ ଓ ଦଳଗତ ଭାବେ କିପରି ରହିଥିଲା, କ୍ୟାମ୍ପ୍ରେ ତା’ ଉପରେ ମଧ୍ୟ ଆଲୋଚନା କରାଯିବ ବୋଲି ରିଡ୍ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଖେଳାଳିମାନେ ଟୋକିଓ ଅଲିମ୍ପିକ୍ସ ସହ ବିଭିନ୍ନ ପ୍ରତିଯୋଗିତାରେ ହାସଲ କରିଥିବା ସଫଳତାକୁ ପଛରେ ପକାଇ ଆଗାମୀ ୨୦୨୨ର ବ୍ୟସ୍ତବହୁଳ ସିଜନ୍ ପାଇଁ ନିଜକୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଆସନ୍ତା ବର୍ଷ ଫେବ୍ରୁଆରୀରେ ହେବାକୁ ଥିବା ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ମାଧ୍ୟମରେ ଭାରତ ତା’ର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଆରମ୍ଭ କରିବ ବୋଲି ରିଡ୍ କହିଛନ୍ତି ।