ଖୋର୍ଦ୍ଧା: ସମୁଦ୍ର ବାଲିରେ କଇଁଛ ଶାବକ । ସମୁଦ୍ର ବାଲି ତଳୁ ଆରମ୍ଭ ଜୀବନର ପ୍ରଥମ ଯାତ୍ରା । ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଟିକିଟିକି ପାଦରେ ଆଗେଇ ଚାଲିଛନ୍ତି କଇଁଛ ଶାବକ ସେଗୁଡିକୁ ନିରାପଦରେ ସମୁଦ୍ର ଭିତରକୁ ପହଞ୍ଚାଇବା ପାଇଁ ବନ୍ୟ ବିଭାଗର କର୍ମଚାରୀଙ୍କ ୪୫ରୁ ୫୦ ଦିନର ଅକ୍ଲାନ୍ତ ପରିଶ୍ରମ ଶେଷରେ ସଫଳ ହୋଇଛି । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ଏବର୍ଷ ୨୬୯୪ ଟି ବିରଳ ଅଲିଭ ରିଡଲେ କଇଁଛ ଗଣ ଅଣ୍ଡାଦାନ କରିଥିଲେ । ମୋଟ ୩ ଲକ୍ଷ ୨୦ ହଜାର ୬୦୬ ଟି ଅଣ୍ଡାକୁ ବାଲି ତଳୁ ବାହାର କରି ନିରାପଦରେ ଅସ୍ଥାୟୀ ହାଚେରୀ ଭିତରେ ରଖାଯାଇଥିଲା । ସେଥିମଧ୍ୟରୁ ଅଣ୍ଡା ଫୁଟି ଆଜି ଭିତରେ ୨ଲକ୍ଷ ୬୦ହଜାର ୬୦୩ ଶାବକ ସମୁଦ୍ର ଭିତରକୁ ଯାଇ ସାରିଲେଣି । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ। ଚିଲିକା ଡିଭିଜନ ର ରମ୍ଭା, ସାତପଡା, ଚିଲିକା ନୂଆପଡ଼ା ରେଞ୍ଜ ରେ ଏ ପ୍ରକ୍ରିୟା ଜାରି ରହିଛି । କଇଁଛ ଶାବକଙ୍କ ସମୁଦ୍ର ଭିତରକୁ ଯିବା ଦୃଶ୍ୟ ଅତି ମନୋରମ ପରିବେଶ ସୃଷ୍ଟି କରିଛି। ସେପଟେ କଇଁଛ ଶାବକ କିପରି ସୁରକ୍ଷିତ ଭାବରେ ସମୁଦ୍ର ରେ ପହଞ୍ଚିବେ ସେ ଦିଗରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଚିଲିକା ଡି ଏଫ୍ ଓ ଅମ୍ଳାନ ନାୟକ ।










