ଗଞ୍ଜାମ: ପୋଲସରା ଥାନା ଅନ୍ତର୍ଗତ ଖଣ୍ଡୁରୁ କାକୁଡ଼ିଆ ଛକ ନିକଟରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । ସ୍କର୍ପିଓ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଶିଶୁ ସମେତ ଜଣେ ମହିଳା ଓ ଜଣେ ପୁରୁଷ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ହାତୀଓଟ ଅଞ୍ଚଳରୁ ତାରାତାରିଣୀ ମନ୍ଦିର ଦର୍ଶନ ପାଇଁ ଯାଉଥିବା ଏକ ସ୍କର୍ପିଓ ଗାଡ଼ି ସେହି ରାସ୍ତାରେ ଥିବାବେଳେ ହଠାତ୍ ସାମ୍ନାପଟୁ ଆସୁଥିବା ଏକ ଆମ୍ବୁଲାନ୍ସ ସହିତ ଭୟଙ୍କର ଧକ୍କା ହୋଇଥିଲା । ଧକ୍କାର ତୀବ୍ରତା ଏତେ ଜୋରଦାର ଥିଲା ଯେ ଦୁଇଟି ଗାଡ଼ି ମଧ୍ୟ ଭାରି କ୍ଷତିଗ୍ରସ୍ତ ହୋଇପଡ଼ିଛି । ଦୁର୍ଘଟଣା ପରେ ଚାରିପାଖରେ ଚିତ୍କାର ଓ ଆତଙ୍କ ଦେଖାଦେଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳକୁ ଧାଇଁ ଆହତମାନଙ୍କୁ ଗାଡ଼ିରୁ ବାହାର କରି ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟକୁ ପଠାଇଥିଲେ। ଖବର ପାଇ ପୋଲସରା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଯାତାୟାତ ସ୍ୱାଭାବିକ କରିବା ସହ ଦୁର୍ଘଟଣାର ସଠିକ୍ କାରଣ ନେଇ ତଦନ୍ତ ଆରମ୍ଭ କରିଛି । ତେବେ ଦ୍ରୁତଗତି ଓ ଅସାବଧାନତା ଏହି ଦୁର୍ଘଟଣାର ପ୍ରଧାନ କାରଣ ହୋଇପାରେ ବୋଲି ପ୍ରାଥମିକ ସନ୍ଦେହ କରାଯାଉଛି ।










