29.1 C
Bhubaneswar
Saturday, July 27, 2024
Homeଓଡିଶାମାସକୁ ୨ଥର ହେବ ସ୍କୁଲ ୱାରୀ ଅନ୍‌ଲାଇନ୍ ମନିଟରିଂ ଯାଞ୍ଚ

ମାସକୁ ୨ଥର ହେବ ସ୍କୁଲ ୱାରୀ ଅନ୍‌ଲାଇନ୍ ମନିଟରିଂ ଯାଞ୍ଚ

ଭୁବନେଶ୍ୱର: ଏବେ  ଆକ୍ସନମୁଡରେ ରହିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । କୌଣସି ଅବ୍ୟବସ୍ଥାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ବିଭାଗୀୟ ବରିଷ୍ଠ ଅଧିକାରୀ ଚରମବାଣୀ ଶୁଣାଇଛନ୍ତି । ଫଳସ୍ୱରୂପ ସରକାରଙ୍କୁ ଠକିବାକୁ ଚେଷ୍ଟା କଲେ ସମ୍ପୃକ୍ତ ଶିକ୍ଷକଙ୍କୁ ସିଧାସଳଖ ଚାକିରିରୁ ହଟାଇ ଦିଆଯିବ ବୋଲି ଜଣାପଡ଼ିଛି । ଚାକିରୀ ବଞ୍ଚାଇବା ଲାଗି ଅନେକ ଜିଲ୍ଲାରେ ସ୍କୁଲ ଶିକ୍ଷକମାନେ ସରକାରଙ୍କୁ ଭୂଲ ତଥ୍ୟ ଦେଉଥିବା ମଧ୍ୟ ସାମ୍ନାକୁ ଆସୁଛି । ଶିକ୍ଷକଙ୍କ ସାର୍ଟିଫିକେଟିରେ ତ୍ରୁଟି, ଶିକ୍ଷାଦାନ ଲାଗି ଆବଶ୍ୟକ ଦକ୍ଷତାର ଅଭାବ, ସ୍କୁଲରେ ଅଳ୍ପ ପିଲାଙ୍କୁ ଅଧିକ ସଂଖ୍ୟା ଦର୍ଶାଇବା ଆଦି ବହୁ ତଥ୍ୟରେ ତାଳମେଳ ନଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାଣିବାକୁ ପାଇଛି । ତେଣୁ ବିଭାଗରେ ପରିବର୍ତ୍ତନ ଆଣଇବା ସହ ସ୍ୱଚ୍ଛତା ବଜାୟ ରଖିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଯେଉଁ ଶିକ୍ଷକ, ବା ପ୍ରଧାନଶିକ୍ଷକ ସରକାରଙ୍କୁ ଭୁଲ ତଥ୍ୟ ଦେଇ ଠକିବାକୁ ଚେଷ୍ଟା କରିବେ ସେମାନଙ୍କୁ ଚାକିରିରୁ ହଟାଇ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ତେଣୁ ଏଣିକି ମାସକୁ ରାଜ୍ୟର ସବୁ ସ୍କୁଲରେ ୨ଥର ଲେଖାଏଁ ଅନ୍‌ଲାଇନ୍ ମନିଟରିଂ ଯାଞ୍ଚ କରାଯିବ । ଯାହାର ସିଧାସଳଖ ରିପୋର୍ଟ ବିଭାଗ ପାଖରେ ରହିବ ।
ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଶିକ୍ଷାବ୍ୟବସ୍ଥାରେ ସର୍ବାଧିକ ସ୍ୱଚ୍ଛତା ଆଣିବା ଲାଗି ରାଜ୍ୟରେ ଆରମ୍ଭ ହୋଇଛି ଅନ୍‌ଲାଇନ୍ ମନିଟରିଂ ଯାଞ୍ଚ ବ୍ୟବସ୍ଥା । ଅନ୍‌ଲାଇନ୍ ମନିଟରିଂ ଯାଞ୍ଚ ବ୍ୟବସ୍ଥା ମାସକୁ ଥରେ କିମ୍ବା ୩ମାସରେ ଥରେ କରାଯାଉଥିବା ବେଳେ ଏଣିକି ମାସିକ ୨ଥର ଲେଖାଏଁ ଯାଞ୍ଚ କରାଯିବ । ଏହି ଯାଞ୍ଚ ୍ ବ୍ୟବସ୍ଥାରେ  ବିଇଓ, ଡିଇଓ, ସିଆର୍‌ସିସିଙ୍କୁ ସାମିଲ କରାଯାଇଛି ।  ସେମାନେ ସିଧାସଳଖ ସେମାନଙ୍କ ମୋବାଇଲରେ ସ୍କୁଲ ମନିଟରିଂ ଆପ୍‌ସ ବ୍ୟବସ୍ଥାରେ  ସ୍କୁଲର ସବିଶେଷ ତଥ୍ୟ ସରକାରଙ୍କୁ ଜଣାଇବେ । ବିଶେଷକରି ଶିକ୍ଷକଙ୍କ ଶିକ୍ଷାଦାନ ଦକ୍ଷତା,  ଏକାଡେମିକ୍ ପର୍‌ଫର୍‌ମାନ୍ସ, ଆକ୍‌ସେସ୍ ଆଣ୍ଡ ଟ୍ରାଞ୍ଜିସନ୍‌, ଭିତ୍ତିଭୁମି ଏବଂ ଅନ୍ୟାନ୍ୟ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ଅଧିକାରୀମାନେ ତଥ୍ୟ ସଂଗ୍ରହ କରିବା ପରେ ବିଭାଗକୁ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବେ । ଯେଉଁ ସ୍କୁଲରେ ରିପୋର୍ଟ ପ୍ରସ୍ତୁତ କରାଯିବ ତାହାର ସିଧାସଳଖ ରିପୋର୍ଟ ବିଭାଗକୁ ହସ୍ତଗତ ହେବ । ଫଳରେ ରିପୋର୍ଟରେ ତ୍ରୁଟି କିମ୍ବା ପ୍ରିୟାପ୍ରିତିରେ ସୁହାଇବା ଭଳି ରିପୋର୍ଟ ଆଉ ପ୍ରସ୍ତୁତ ହୋଇପାରିବ ନାହିଁ । ପ୍ରତିମାସର ପ୍ରଥମ ସପ୍ତାହ ଏବଂ ଶେଷ ସପ୍ତାହରେ ଏହି ଯାଞ୍ଚ କରାଯିବ । ରିପୋର୍ଟରେ ବ୍ୟବସ୍ଥାରେ ଖରାପ ପ୍ରଦର୍ଶନ କରିଥିବା ସ୍କୁଲଗୁଡିକର ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଅନେକ ସମୟରେ ରାଜ୍ୟର କିଛି ବ୍ଲକରେ ସ୍କୁଲ ପରିଦର୍ଶରେ ଯାଉଥିବା ଅଧିକାରୀ ଏବଂ ସ୍କୁଲର ପ୍ରଧାନଶିକ୍ଷକଙ୍କ ମଧ୍ୟରେ ସଲାସୁତରା କରି  ରିପୋର୍ଟରେ ଭୁଲ ତଥ୍ୟ ପ୍ରଦାନ କରିଥାନ୍ତି । ଫଳରେ ରାଜ୍ୟର କେଉଁ ସ୍କୁଲରେ କ’ଣ ସବୁ ସମସ୍ୟା ରହିଛି ତାହା ସ୍ପଷ୍ଟ ହୋଇପାରୁନଥିଲା । ଏହାବ୍ୟତୀତ ଏପରି ସମସ୍ୟା ଲାଗି ମଧ୍ୟାହ୍ନ ଭୋଜନ, ପୋଷାକ, ମାଗଣା ପାଠ୍ୟପୁସ୍ତକ ଆଦି ସବୁଥିରେ ଦୁର୍ନିତି ହେଉଥିବା ଅଭିଯୋଗ ହେଉଛି । ଏହାବ୍ୟତୀତ ବର୍ତ୍ତମାନ ସୁଦ୍ଧା କେଉଁ ସ୍କୁଲରେ କେତେ ବିଷୟ ଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଛନ୍ତି ତା’ର ମଧ୍ୟ ସଠିକ ତଥ୍ୟ କାହାରି ପାଖରେ ନାହିଁ । ବିଶେଷକରି ରାଜ୍ୟରେ ସ୍କୁଲ ମିଶ୍ରଣ ପ୍ର୍ରକ୍ରିୟା କାର୍ଯ୍ୟକାରୀ ହେବା ପରେ ଅନେକ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଆଉ କିଛି ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହଁନ୍ତି । ସ୍କୁଲର ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥା, ପିଲାଙ୍କ ସୁରକ୍ଷା, ବିଷୟଭିତ୍ତିକ ଶିକ୍ଷକଙ୍କ ଦକ୍ଷତା ସମ୍ପର୍କରେ ଅଭିଭାବକମାନେ ସେମାନଙ୍କର ମତ ରଖିବେ । ଏହି ବ୍ୟବସ୍ଥା ଆସନ୍ତା ଜୁଲାଇରୁ ଆରମ୍ଭ ହେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking