32.1 C
Bhubaneswar
Sunday, May 19, 2024
Homeଓଡିଶାସ୍କୁଲ୍‌ରେ ଛାତ୍ରୀ, ତାଲା ପକାଇ ଚାଲିଗଲେ ଶିକ୍ଷକ

ସ୍କୁଲ୍‌ରେ ଛାତ୍ରୀ, ତାଲା ପକାଇ ଚାଲିଗଲେ ଶିକ୍ଷକ

ସାନଖେମୁଣ୍ଡି : ବିଦ୍ୟାଳୟ ବନ୍ଦ ହେଲା ପରେ ସମସ୍ତ ଶିକ୍ଷକ କର୍ମଚାରୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଚାଲିଯାଇଥିଲେ । ବିଦ୍ୟାଳୟ ଭିତରେ ରହିଯାଇ ଥିଲେ ଜଣେ ଛାତ୍ରୀ । ଛାତ୍ରୀଙ୍କ ଅଭିଭାବକ ଶୁଣିବା ପରେ ପାଟପୁର ଥାନାକୁ ଜଣାଇଥିଲେ । ପୋଲିସ ଉପସ୍ଥିତିରେ ଫାଟକ ଖୋଲିଲା ପରେ ଛାତ୍ରୀ ଜଣକ ଉଦ୍ଧାର ହେବା ଘଟଣା ପାଟପୁର ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । ଶିକ୍ଷାଦାନରେ ଅନିୟମିତତା, ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ବିଶୃଙ୍ଖଳାକୁ ନେଇ ସର୍ବଦା ଜିଲ୍ଲା ଶିକ୍ଷାବିଭାଗରେ ଚର୍ଚ୍ଚାରେ ରହିଆସୁଥିବା ସାନଖେମୁଣ୍ଡି ବ୍ଲକ କେନ୍ଦ୍ରସ୍ଥଳ ପାଟପୁର ବାଳିକା ଉଚ୍ଚବିଦ୍ୟାଳୟରେ ଛାତ୍ରୀଙ୍କୁ ତାଲା ପକାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଚାଲିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ସବୁଦିନଭଳି ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ଆର. ସଙ୍ଗୀତା ରେଡ଼ି ବିଦ୍ୟାଳୟକୁ ଆସିଥିଲେ । ମଧ୍ୟାହ୍ନ ୧୨ଟାରେ ସ୍କୁଲ ସମୟ ସରିଲା ପରେ ସମସ୍ତ ଛାତ୍ରୀ ସ୍କୁଲରୁ ଫେରିଥିଲେ । ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀ ଅଧଘଣ୍ଟା ଆଲୋଚନା କରି ବିଦ୍ୟାଳୟ ଫାଟକରେ ତାଲା ପକାଇ ଚାଲି ଯାଇଥିଲେ । ତେବେ ଝିଅ ଘରକୁ ଫେରିନଥିବା ଓ ସ୍କୁଲ ଭିତରେ ତାଲାବନ୍ଦ ଅବସ୍ଥାରେ ଥିବା ଶୁଣି ଛାତ୍ରୀଙ୍କ ବାପା ଆର୍‌. ହରି ରେଡ଼ିଙ୍କ ସମେତ ଲୁଣିନାଠି ଗ୍ରାମର କିଛି ବ୍ୟକ୍ତି ସ୍କୁଲ ଫାଟକ ସମ୍ମୁଖକୁ ଆସିଥିଲେ । ପାଟପୁର ଥାନାରେ ଜଣାଇବା ପରେ ପୋଲିସ ଉପସ୍ଥିତିରେ ତାଲା ଖୋଲିବା ପରେ ଛାତ୍ରୀଜଣକ ଅପରାହ୍ନରେ ଉଦ୍ଧାର ହୋଇଥିଲେ । ତେବେ ସ୍କୁଲ ଭିତରେ ଛାତ୍ରୀଜଣକ କିଭଳି ଦୁଇଘଣ୍ଟା ବନ୍ଦୀ ରହିଲେ ତାହା ପ୍ରଶ୍ନବାଚୀ ହୋଇଛି ।

ପ୍ରଧାନଶିକ୍ଷକ ଦୀନବନ୍ଧୁ ବେହେରା କହିଛନ୍ତି ଯେ ସ୍କୁଲ ତାଲା ପକାଇଲା ବେଳେ କୌଣସି ସାଇକେଲ କି ପିଲା ନଥିଲେ । ସବୁ ଦେଖି ତାଲା ପକାଯାଇଥିଲା । ଆମର କିଛି ଭୁଲ ନାହିଁ । ଛାତ୍ରୀ ଜଣକ ବିଦ୍ୟାଳୟ ବନ୍ଦ ହେବା ବେଳେ ଭିତରେ ପରିସ୍ରାଗାରରୁ ଫେରି ଅସୁସ୍ଥ ସଂଜ୍ଞାହୀନ ଅବସ୍ଥାରେ ପଡିଯାଇଥିଲେ । ସ୍କୁଲ ବ୍ୟାଗ୍ ଶ୍ରେଣୀଗୃହ ବାରଣ୍ଡାରେ ରଖି ସଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ବେଳେ ଚେତା ଫେରିବା ପରେ ସେ ଫାଟକରେ ତାଲା ପଡ଼ିଥିବା ଦେଖିଥିଲେ ବୋଲି ଛାତ୍ରୀଜଣକ କହିଛନ୍ତି । ଅସୁସ୍ଥ ଛାତ୍ରୀ ଜଣକୁ ଉଦ୍ଧାର ପରେ ତାଙ୍କ ବାପା ଓ ଅଭିଭାବକ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ପାଟପୁର ଥାନାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦିଆଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking