32.1 C
Bhubaneswar
Sunday, May 12, 2024
Homeଓଡିଶାଏସ୍‌ସିବିରେ କୋଭିଡ୍ ପରିଚାଳନାର କରୁଣ ଚିତ୍ର,  ମୃତ୍ୟୁର ୪ ଦିନ ପର୍ଯ୍ୟନ୍ତ ପଡିରହୁଛି ମୃତଦେହ

ଏସ୍‌ସିବିରେ କୋଭିଡ୍ ପରିଚାଳନାର କରୁଣ ଚିତ୍ର,  ମୃତ୍ୟୁର ୪ ଦିନ ପର୍ଯ୍ୟନ୍ତ ପଡିରହୁଛି ମୃତଦେହ

କଟକ : ରାଜ୍ୟର ସର୍ବଶ୍ରେଷ୍ଠ ଓ ସର୍ବପୁରାତନ ଡାକ୍ତରଖାନା ଭାବେ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ କଲେଜ୍ ଆଣ୍ଡ୍ ହସ୍ପିଟାଲ୍ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ପରିଚିତ । ଉନ୍ନତ ଚିକିତ୍ସା ସେବା ପାଇଁ ରାଜ୍ୟ ଓ ପଡ଼ୋଶୀ ରାଜ୍ୟରୁ ରୋଗୀମାନେ ବହୁ ଆଶା ନେଇ ଏଠାକୁ ଆସିଥାନ୍ତି । ଏହାକୁ ବିଶ୍ୱସ୍ତରୀୟ ଡାକ୍ତରଖାନାରେ ପରିଣତ କରିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରି ବିଭିନ୍ନ ଜବରଦଖଲ ଉଚ୍ଛେଦ କରିିବା ସହ  ଏଠାରେ ଲାଗି ରହିଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟର୍ସ ଉଚ୍ଛେଦ କରିଛନ୍ତି । ତେବେ ବିଭିନ୍ନ ସମୟରେ ଏଠାରେ ଦେଖାଦେଉଥିବା ଅବ୍ୟବସ୍ଥା ଓ ଅନିୟମିତତା ମେଡିକାଲର ଯଶ ଓ ଖ୍ୟାତିରେ ଆଞ୍ଚ ଆଣିବା ସହ ମେଡିକାଲକୁ ବିବଦମାନ ଅବସ୍ଥାରେ ପକାଉଛି । ଏଥିପାଇଁ ଏହି ମେଡକାଲ ଅନେକ ସମୟରେ ମଧ୍ୟ ଚର୍ଚ୍ଚାରେ ରହୁଛି ।

ମଙ୍ଗଳବାର ଏହି ଡାକ୍ତରଖାନାରେ କୋଭିଡ୍ ପରିଚାଳନାରେ କିପରି ଅବ୍ୟବସ୍ଥା ଦେଖା ଦେଉଛି ତା’ର ନମୁନା ଦେଖିବାକୁ ମିଳିଛି । ମୃତ୍ୟୁର ୪ ଦିନ ପର୍ଯ୍ୟନ୍ତ ଜଣେ କରୋନା ଆକ୍ରାନ୍ତଙ୍କ ମୃତଦେହ ଉଠୁନି । ଏପରିକି ମୃତଦେହକୁ ଚିହ୍ନଟ କରିବା ବା ଶେଷଦର୍ଶନ କରିବାକୁ ହେଲେ ହାତଗୁଞ୍ଜା ଦେବାକୁ ପଡୁଥିବା ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ଏରସମା କୃଷ୍ଣଚନ୍ଦ୍ରପୁରର ଛବିଲତା ପଣ୍ଡା(୫୨) କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଗତ ଶୁକ୍ରବାର ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ । ମାତ୍ର ତାଙ୍କ ମା’ଙ୍କର ଶନିବାର ରାତି ୧୧ଟାରେ ମୃତ୍ୟୁ ହୋଇଥିବା ସମ୍ପର୍କରେ ରବିବାର ସକାଳ ୧୦ଟାବେଳେ ତାଙ୍କ ପୁତ୍ର ଶ୍ରୀରାମଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଜଣାଇଥିଲେ ।

ସେବେଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ତାଙ୍କ ପୁତ୍ର ଶ୍ରୀରାମ ମେଡିକାଲରେ ଚକ୍କର କାଟୁଥିବାବେଳେ ନା ତାଙ୍କ ମା’ଙ୍କ ମୃତଦେହ ଉଠିଲା ନା ତାଙ୍କୁ ଶେଷଦର୍ଶନ କରିବାର ସୁଯୋଗ ଦିଆଗଲା । ମା’ଙ୍କର ଶେଷଦର୍ଶନ କରିବାକୁ ହେଲେ କିଛି ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଗଲା । ଶେଷରେ ମା’ଙ୍କ ଶେଷଦର୍ଶନ ପାଇଁ ଆକୁଳ ନିବେଦନ ସହିତ ହାତଗୁଞ୍ଜା ଦେବାକୁ ପଡ଼ିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି । ମା’ଙ୍କ ମୃତଦେହ ଉଠୁନଥିବା ଓ ସତ୍କାର ହେଉନଥିବାରୁ ଭାରାକ୍ରାନ୍ତ ହୋଇ ଶ୍ରୀରାମ ଏସ୍‌ସିବି ପରିସରରେ ଏଣେତେଣେ ବୁଲୁଥିବାବେଳେ ଏହି ଘଟଣା ନଜରକୁ ଆସିଥିଲା ।

କୋଭିଡ୍ ପରିଚାଳନାରେ ସରକାରୀକଳ କେବଳ ସଫଳତାର ଡିଣ୍ଡିମ୍ ପିଟୁଥିବାବେଳେ ଜନସାଧାରଣଙ୍କ ଏପରି ଦୁଃଖ ଶୁଣିବାକୁ କେହିନାହାନ୍ତି । ଏହି ଘଟଣା ଏକ ନମୁନା ମାତ୍ର । ଏ ଦିଗରେ ଏସ୍‌ସିବି କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବିହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking