ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପୁତ୍ର ଡେନାଲ୍ଡ ଟ୍ରମ୍ପ୍ ଜୁନିୟର୍ଙ୍କ ‘ଏକ୍ସ’ ଆକାଉଣ୍ଟ୍ ବୁଧବାର ହ୍ୟାକ୍ ହୋଇଛି । ଏହାପରେ ଏହି ସୋସିଆଲ୍ ମିଡିଆ ଆକାଉଣ୍ଟ୍ରୁ କେତେକ ଭ୍ରମାତ୍ମକ ପୋଷ୍ଟ କରାଯାଇଛି । ଇତିମଧ୍ୟରେ ଏକ ପୋଷ୍ଟ୍ରେ ଏହା ମଧ୍ୟ ଲେଖାଯାଇଥିଲା ଯେ ତାଙ୍କ ପିତା (ଡୋନାଲ୍ଡ ଟ୍ରମ୍ପ୍)ଙ୍କ ନିଧନ ହୋଇଛି । ଏହି ପୋଷ୍ଟକୁ ନେଇ ୟୁଜର୍ସଙ୍କ ମଧ୍ୟ ହଡ଼କମ୍ପ ସୃଷ୍ଟି ହୋଇଥିଲା । ହ୍ୟାକର୍ସ ଜୁନିୟର୍ ଟ୍ରମ୍ପ୍ଙ୍କ ଆକାଉଣ୍ଟ୍ରୁ ସକାଳ ୮ଟା ୨୫ ବେଳେ ପ୍ରଥମ ଟ୍ୱିଟ୍ କରିଥିଲା । ଏଥିରେ ଲେଖାଥିଲା, ‘ଦୁଃଖର ସହିତ କହିବାକୁ ପଡ଼ୁଛି ମୋ ପିତା ଡୋନାଲ୍ଡ ଟ୍ରମ୍ପ୍ଙ୍କ ନିଧନ ହୋଇଛି । ଏବେ ୨୦୨୪ରେ ମୁଁ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ ହେବାକୁ ଯାଉଛି ।
ତେବେ ଏହାର କିଛି ସମୟ ପରେ ୮ଟା ୪୬ ବେଳେ ସ୍ୱୟଂ ଡୋନାଲ୍ଡ ଟ୍ରମ୍ପ୍ ନିଜ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଟ୍ରୁଥ୍ ସୋସିଆଲ୍ରେ ଏକ ପୋଷ୍ଟ୍ କରି ସେ ଜୀବିତ ଥିବା ସ୍ପଷ୍ଟ କରିଥିଲେ । ଟ୍ରମ୍ପ୍ଙ୍କ ପୋଷ୍ଟ ପରେ ଏହା ଏକ ଗୁଜବ ବୋଲି ଜଣାପଡ଼ିଥିଲା । ସୂଚନାଯୋଗ୍ୟ, ଜୁନିୟର୍ ଟ୍ରମ୍ପ୍ଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଖବର ନାସ୍ନାଲ୍ ପଲ୍ସର ରହିମ୍ କାଶମ୍ ସର୍ବପ୍ରଥମେ ଦେଇଥିଲେ । ଏହାପରେ ଜୁନିୟର୍ ଟ୍ରମ୍ପ୍ଙ୍କ ଟିମ୍ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତିଙ୍କ ନିଧନକୁ ସମ୍ପୂର୍ଣ୍ଣ ଭାବେ ଗୁଜବ ବୋଲି ସ୍ପଷ୍ଟ କରିଥିଲା । ହ୍ୟାକ୍ ହୋଇଥିବା ଏହି ଆକାଉଣ୍ଟ୍ରୁ ଆଉ ଅନେକ ପୋଷ୍ଟ ମଧ୍ୟ କରାଯାଇଥିଲା ।