ଷ୍ଟିଲସିଟିରେ ‘ଯାତ୍ରା’ଏଥର ଦିବା ସ୍ୱପ୍ନ !

ରାଉରକେଲା : ନିଜର କର୍ମମୟ ଓ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତି କିଛିଟା ଆଶ୍ୱସ୍ତି ଓ ମାନସିକ ତୃପ୍ତି ପାଇଁ ନେଇଥାଏ ମନୋରଂଜନର ସାହାରା । ଆଧୁନିକ ଯୁଗରେ କେବୁଲ ଟିଭି, ଏଫଏମ ରେଡ଼ିଓ, ୟୁଟ୍ୟୁବରେ ମନୋରଂଜନ ଶତପ୍ରତିଶତ ହୋଇ ପାରୁଥିଲେ ସୁଦ୍ଧା ସିଧାସଳଖ ଭାବରେ ଅପେରା ଅବା ଯାତ୍ରା ଆଜି ଗାଁ ଗଣ୍ଡା ଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଠି ଆଦୃତ । ଏଥର ଯାତ୍ରା ଜଗତ ଉପରେ ମାଡ଼ି ଯାଇଛି କରୋନାର ଭଟ୍ଟା! ଯାତ୍ରା କଳାକାର ମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ସାରିଛି । ଆଉ ସେମାନଙ୍କ ପାଖରେ ବଳ ନାହିଁ ପେଣ୍ଡାଲ ଉପରେ ଠିଆ ହୋଇ ସଂଳାପ ପରିବେଷଣ କରି ଦର୍ଶକଙ୍କ ମନ ଜିଣିବା ପାଇଁ । ଯାତ୍ରା ଜଗତରେ ପଡ଼ି ଯାଇଛି କରୋନା ରୁପକ ଜୁଆରର ଭଟ୍ଟା! ଅପରପକ୍ଷରେ ରାଉରକେଲାକୁ ପ୍ରତିବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ବିଭିନ୍ନ ନାମିଦାମୀ ଯାତ୍ରା ପାର୍ଟି ଆସି ଅପେରା ପରିବେଷଣ କରିବା ଏଥର ସହରବାସୀଙ୍କ ପାଇଁ ଦିବା ସ୍ୱପ୍ନ ପାଲଟି ଯାଇଛି!

ଏଠାରେ ସୂଚନାଯୋଗ୍ୟ, ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ସାରନଗରୀକୁ ପ୍ରତିବର୍ଷ ଓଡ଼ିଶାର ବହୁ ନାମିଦାମୀ ଯାତ୍ରାପାର୍ଟି ଯଥା ଶିବାନୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ, ରଙ୍ଗମହଲ, ବାଘାଯତୀନ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ଇଷ୍ଟର୍ଣ୍ଣ ଅପେରା, ବିଶ୍ୱ ଦରବାର, ଧଉଳି ଗଣନାଟ୍ୟ, ତୁଳସୀ ଗଣନାଟ୍ୟ ଓ ଅନ୍ୟ ଯାତ୍ରା ପାର୍ଟି ୭ ଦିନ ପାଇଁ ସହରର ବିଭିନ୍ନ ସ୍ଥାନରେ ଯାତ୍ରା ପରିବେଷଣ କରିଥାନ୍ତି । ଯାହାକି ରାଉରକେଲିଆଙ୍କୁ ଭରପୁର ମନୋରଂଜନର ଖୋରାକ ଯୋଗାଇଥାଏ । ଯାତ୍ରା ପାର୍ଟିର ହିରୋ, ହୀରୋଇନ, ଖଳନାୟକର ଦମଦାର ସଂଳାପ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥାଏ । ସେକ୍ଟର-୧୩ ମେଲଣ ପଡ଼ିଆ, ସେକ୍ଟର-୭, ଲେବର ଟେନାମେଂଟ, ବେଦବ୍ୟାସ, ସାରନଗରୀ ଅଂଚଳରେ ଯାତ୍ରା ପରିବେଷଣ କରାଯାଇଥାଏ । ଦୁର୍ଗାପୂଜା ପୂର୍ବରୁ ଯାତ୍ରା ପାର୍ଟି ଇସ୍ପାତ ସହରରେ ନିଜର ପସରା ମେଲାଇଥିବା ବେଳେ, ପାର୍ବଣ ରୁତୁ ପୂର୍ବରୁ ଯାତ୍ରାପାର୍ଟି ସହରରୁ ବିଦାୟ ନେଇଥାନ୍ତି ।

ଯେଉଁ ପଡ଼ିଆରେ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରିଥାଏ, ସେହି ସ୍ଥାନରେ ଅସ୍ଥାୟୀ ଦୋକାନ ଗୁଡ଼ିକ ଯେପରି ଗୁପଚୁପ, ଜଳଖିଆ, ଚଣା, ଝାଲମୁଢି ଆଦି ବିକ୍ରି କରି ଦୋକାନୀ ମାନେ ପ୍ରତିବର୍ଷ ବେଶ ଦୁଇ ପଇସା ରୋଜଗାର କରିଥାନ୍ତି, ଯାହାକି ଚଳିତ ବର୍ଷ କରୋନା ଯୋଗୁ ଫିକା ପଡ଼ି ଯାଇଛି । କରୋନା ମହାମାରୀ ଯୋଗୁ ସାମାଜିକ ଦୂରତାକୁ ପ୍ରମୁଖ ଆୟୁଧ ଭାବେ ଗ୍ରହଣ କରାଯାଉଥିବାରୁ ବର୍ତମାନ ସୁଦ୍ଧା ପ୍ରେକ୍ଷାଳୟ, ଅଡ଼ିଟୋରିୟମ, ଅପେରା ଆଦିରେ ଜନଗହଳିକୁ ଦୃଷ୍ଟିରେ ରଖି ପ୍ରତିବନ୍ଧକ ପ୍ରଶାସନ ପକ୍ଷରୁ ଲଗାଯାଇଛି । ଏପରିସ୍ଥଳେ ରାଉରକେଲା ସହରକୁ ଚଳିତ ବର୍ଷ କୌଣସି ଯାତ୍ରା ପାର୍ଟି ନଆସୁଥିବାରୁ ଯାତ୍ରାପ୍ରେମୀ ମାନଙ୍କ ମଧ୍ୟରେ ନୈରାଶ୍ୟର ବାତାବରଣ ଖେଳିଯିବା ସ୍ପଷ୍ଟ ରୂପେ ବାରି ହୋଇ ପଡୁଛି ।

ଅମାନିଆ ଗ୍ରାହକ, ଅବୁଝା ବ୍ୟବସାୟୀ !

ରାଉରକେଲା: ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ କରୋନାର ପ୍ରକୋପ ଏଯାଏ ଏତେଟା ଥମିନି, ତଥାପି କୋଭିଡ଼ କଟକଣା ମାନିବାକୁ ମୁହଁ ମୋଡୁଛନ୍ତି ସାରନଗରୀ ଅଂଚଳର କିଛି ଅମାନିଆ ଗ୍ରାହକ ଓ ଅବୁଝା ବ୍ୟବସାୟୀ! ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଛୋଟ, ବଡ଼ ଦୋକାନୀ ନିଜ ଦୋକାନରେ ଜିନିଷ ବିକ୍ରି କରିବା ସମୟରେ ମୁହଁରେ ମାସ୍କ ପରିଧାନ କରିବା ସହ ଗ୍ରାହକ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶନାମା ଜାରି କରା ଯାଇଥିଲା । କିଛି ଦିନ ଏଭଳି ନିୟମ ଅଂଚଳର ଦୋକାନୀ ମାନେ ପାଳନ କରିବା ପରେ ପୁଣି ଯେସାକୁ ତେସା ଅବସ୍ଥା ଦେଖିବାକୁ ମିଳିଛି । ଆଗକୁ ପାର୍ବଣ ରୁତୁ ଆସୁଥିବାରୁ ସାରନଗରୀ ଅଂଚଳର ବିଭିନ୍ନ ମାର୍କେଟରେ ନୂତନ ବସ୍ତ୍ର, ସୁନା ଅଳଙ୍କାର କ୍ରୟ କରିବାକୁ ପ୍ରାୟତଃ ସଂଧ୍ୟା ସମୟରେ ଗ୍ରାହକ ଦୋକାନ ମୁହାଁ ହେଉଛନ୍ତି । ସେହିପରି ସାରନଗରୀର ମାଛ, ମାଂସ ଦୋକାନ, ରାସନ ଦୋକାନ, ଜଳଖିଆ ହୋଟେଲରେ ପୂର୍ବରୁ ନୋ ମାସ୍କ, ନୋ ଗୁଡସ୍‌( ମାସ୍କ ନାହିଁ ତ ଜିନିଷ) ନାହିଁ ଉଲ୍ଲେଖ କରାଯାଇ କୋଭିଡ଼ ନିୟମକୁ ପାଳନ କରାଯାଉଥିବା ବେଳେ, ବର୍ତମାନ ଏହା ଧିରେ ଧିରେ ଅପସରି ଗଲାଭଳି ପ୍ରତୀୟ ମାନ ହେଉଛି । ସଂଧ୍ୟା ସମୟରେ ପିସିଆର ନାଲିବତୀ ଗାଡ଼ିକୁ ଦେଖିଲେ ଦୋକାନୀ ମାନେ ତରବରିଆ ଭାବରେ ମୁହଁରେ ମାସ୍କ ବାନ୍ଧି ଦେଉଥିବା ବେଳେ, ପିସିଆର ଭ୍ୟାନ ରାସ୍ତା ଅତିକ୍ରମ କରିବା ପରେ ମାସ୍କକୁ ଥୋଡ଼ିରେ ଝୁଲାଇ ରଖୁଛନ୍ତି ।

ସାରନଗରୀର ଗଳିକନ୍ଦିରେ ଥିବା ରାସନ ଦୋକାନ ଗୁଡ଼ିକରେ କୋଭିଡ଼ ନିୟମ ସମୂର୍ଣ୍ଣ ଭାବେ ଉଲ୍ଲଘଂନ ହେଉଥିବା ଅଭିଯୋଗ ହେଉଛି। ଏପରିସ୍ଥଳେ କରୋନା ସଚେତନତା ସାରନଗରୀରେ ଏକ ପ୍ରକାର ଶୂନ ହୋଇ ପଡ଼ିଛି ବୋଲି ଅଂଚଳବାସୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି । ସେହିପରି ସାରନଗରୀର ମଙ୍ଗଳା ଛକ, ପାଣିଟାଙ୍କି ମାର୍କେଟ ମଡର୍ଣ୍ଣ ଇଣ୍ଡିଆ ଓ ଅନ୍ୟ ଜାଗା ଗୁଡ଼ିକରେ ଯୁବଗୋଷ୍ଠୀ ମାନେ ସାମାଜିକ ଦୂରତାକୁ ଭୁଲି ଗୁଲିଗପ(ଖଟି)ରେ ବ୍ୟସ୍ତ ରହିବା ପ୍ରତିଦିନ ସଂଧ୍ୟାରେ ନିତିଦିନିଆ ଘଟଣାରେ ପରିଣତ ହେଲାଣି । ଏଭଳି ସ୍ଥିତିରେ ସ୍ଥାନୀୟ ପୁଲିସ ପକ୍ଷରୁ ପୁଣିଥରେ କଠୋରଶୀଳ ନୀତି ଅବଲମ୍ବନ କରିବାକୁ ସାଧାରଣରେ ଦାବି ହୋଇଛି ।

ବିଦ୍ୟାର୍ଥୀଙ୍କୁ ସୁହାଉଛି ଗଣମାଧ୍ୟମ ଶିକ୍ଷାଦାନ

ରାଉରକେଲା: ଗତ ମାର୍ଚ୍ଚ ମାସ ୧୬ ତାରିଖରେ ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା । ସେବେଠାରୁ ରାଜ୍ୟରେ କରୋନା ମହାମାରୀ ତା’ର ପ୍ରଭାବ ବିସ୍ତାର କରିବାରେ ଲାଗିଛି । କରୋନା ଯୋଗୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିଛି । ସରକାରଙ୍କ ପକ୍ଷରୁ ଅନଲାଇନ ମାଧ୍ୟମରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରାଯାଉଛି । ମାତ୍ର ଉଭୟ ସହରାଚଂଳ ଓ ଗ୍ରାମାଂଚଳରେ ବସବାସ କରୁଥିôବା ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରିବାରେ ଅକ୍ଷମ ହେଉଥିବା ଜଣାପଡ଼ିଛି । ଆର୍ଥିକ ଅନାଟନରୁ ମୋବାଇଲ କିଣିବାରେ ଅସମର୍ଥ ଗରିବ ବିଦ୍ୟାର୍ଥୀ ଅନଲାଇନ ଶିକ୍ଷାର ସୁଫଳ ପାଇ ପାରୁନାହିଁ ବୋଲି ଟିମ୍ବର କଲୋନୀ ଅଂଚଳର ଜଣେ ବରିଷ୍ଠ ଶିକ୍ଷକ ନିଜ ମତ ରଖିଛନ୍ତି ।

କିଛି ଗ୍ରାମରେ ମୋବାଇଲ ଟାୱାର ନଥିବାରୁ ଛାତ୍ରଛାତ୍ରୀ ମାନେ ଛାତ, ଗଛ ଉପରେ ରହି ଅନଲାଇନରେ ପାଠ ପଡୁଥିବାର ବିକଳ ଚିତ୍ର ସାମନାକୁ ଆସୁଛି । ଅପରପକ୍ଷରେ, କିଛି ଗରିବ ଓ ମଧ୍ୟବିତ ଛାତ୍ରଛାତ୍ରୀଙ୍କ ପାଇଁ ଗଣମାଧ୍ୟମ ସର୍ବୋକୃଷ୍ଟ ବିକଳ୍ପ ପାଲଟିଛି । ଘରେ ଥିବା କଳାଧଳା ଅବା ରଙ୍ଗୀନ ଟେଲିଭିଜନ ମାଧ୍ୟମରେ ଶିକ୍ଷା ଆହରଣ କରୁଛନ୍ତି ଛାତ୍ରଛାତ୍ରୀ । ଭାରତ ସରକାରଙ୍କ ଦୂରଦର୍ଶନ କେନ୍ଦ୍ରରୁ ଦିନକୁ ଦୁଇଟି କାର୍ଯ୍ୟକ୍ରମ କେବଳ ନବମ, ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପ୍ରସାରଣ ହେଉଛି । କିଛି ମୁଦ୍ରିତ ଗଣମାଧ୍ୟମରେ ନବମ ଓ ଦଶମ ଶ୍ରେଣୀର ବିଷୟ ବସ୍ତୁ ବିଦ୍ୟାର୍ଥୀଙ୍କୁ ଶିକ୍ଷାରେ ସହାୟକ ହେଉଛି ବୋଲି ଆଇଡ଼ିଏଲ ଅଂଚଳର ଜଣେ ନବମ ଶ୍ରେଣୀ ଛାତ୍ର ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here