ଥାନା ଘର ନିର୍ମାଣ ପାଇଁ ଗରିବଙ୍କ ଆହାର ଉପରେ ପଡ଼ିଲା ପାହର

କେନ୍ଦ୍ରାପଡ଼ା : ଥାନା ଗୃହ ନିର୍ମାଣ ପାଇଁ ଗରିବଙ୍କ ଆହାର ଉପରେ ପାହାର ପଡ଼ିଲା । ଗରିବଙ୍କ ଜୀପବୀକା ଉଜୁଡ଼ିବାର ଦୀର୍ଘ ଦିନ ପରେ ବି ଥାନା ଗୃହ ନିର୍ମାଣ ହୋଇ ନାହିଁ । କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନାକୁ ସରକାର ଆଦର୍ଶ ଥାନା ଘୋଷଣା କରିବା ପରେ ନୂତନ ଥାନା ଗୃହ ନିର୍ମାଣ ପାଇଁ ଜାଗା ଖୋଜା ପଡ଼ିଲା । ପଟ୍ଟାମୁଣ୍ଡାଇ ବାଇପାସ ନିକଟ ବେଲତାଳ ମୌଜାରେ ଖାତା ନମ୍ବର୪୫୫ ଓ ପ୍ଲଟ ନମ୍ବର-୪୦୮ରେ ଜଳସମ୍ପଦ ବିଭାଗ ଅଧିନରେ ଥିବା ୯୭ ଡେସିମିଲ ସରକାରୀ ଜାଗାରେ ନୂତନ ଥାନା ଗୃହ ନିର୍ମାଣ କରାଯିବାକୁ ରାଜ୍ୟ ଘରୋଇ ବିଭାଗକୁ ପ୍ରସ୍ଥାବ ଦିଆଗଲା । ନୂତନ ଥାନା ଗୃହ ନିର୍ମାଣ ପାଇଁ ସରକାର ମୋଟ ୩ କୋଟି ଟଙ୍କା ମଞ୍ଜୁର କଲେ । ଜଳସମ୍ପଦ ବିଭାଗ ଅଧିନରେ ଥିବା ଏହି ଖାଲି ଜାଗାର ରାସ୍ତା କଡ଼ରେ ଛୋଟ କ୍ୟାବିନ ପକାଇ ବେପାର କରି ପେଟ ପୋଷୁଥିବା ଉଠା ଦୋକାନୀଙ୍କୁ ରାତାରାତି ଉଠାଇ ଦିଆଗଲା ନୂତନ ଥାନା ଗୃହ ନିର୍ମାଣ ହେବା କଥା କୁହାଯାଇ । ହେଲେ ଏହା ମଧ୍ୟରେ ଦୀର୍ଘ ଦିନ ବିତିଯାଇଥିଲେ ବି ଥାନା ଗୃହ ନିର୍ମାଣ ହୋଇପାରି ନାହିଁ । ସେପଟେ ଥାନା ଗୃହ ନିର୍ମାଣ ହୋଇପାରି ନଥିବାରୁ ସସରକାର ମଞ୍ଜୁର କରିଥିବା ୩ କୋଟିଟଙ୍କା ଫେରିଯିବାକୁ ବସିଲାଣି । ଜଳସମ୍ପଦ ବିଭାଗ ଅଧିନରେ ଥିବା ଏହି ଜାଗାରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ନୂତନ ଗୃହ ନିର୍ମାଣ ହେବ ବୋଲି ଶୁଣାଯାଉଛି । ହେଲେ ଗୃହ ବିଭାଗକୁ ଏହି ଜାଗା ହସ୍ତାନ୍ତର ହୋଇନାହିଁ କି ଜାଗାର ଆଦି ଅନ୍ତ କିଛି ମିଳୁନାହିଁ । ଗତ ୨୦୧୯ ମସିହା ସେପ୍ଟେମ୍ବର ୨୯ ତାରିଖରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ଜାଗାରେ ପଟ୍ଟାମୁଣ୍ଡାଇ ପୌରପରିଷଦର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଥିଲେ ଓ ସେହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଧୃବ ସାହୁ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ, ପଟ୍ଟାମୁଣ୍ଡାଇ ପୌର ଅଧିକାରୀ ସମ୍ପଦ ସ୍ୱାଇଁ, ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଇଂ କୁମାର ଦାସ, ସ୍ଥାନୀୟ ତହସିଲଦାର ଶରତ କୁମାର ଗିରି, ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଓ ଏସଡିପିଓ ରଞ୍ଜନ ଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସ୍ଥାନରେ ଆଦର୍ଶ ଥାନା ନିର୍ମାଣ ହେବା ନେଇ ପ୍ରସ୍ଥାବ ରହିଛି । ହେଲେ ଏ ପର୍ଯ୍ୟନ୍ତ ସ୍ଥିର ହୋଇ ପାରି ନାହିଁ । ରାଜ୍ୟ ଗୃହ ବିଭାଗକୁ ଏହି ଜମି ଯୋଗାଇ ଦିଆଯିବାକୁ ଗୃହ ବିଭାଗ ପକ୍ଷରୁ ପ୍ରସ୍ଥାବ ଦିଆଯାଇଛି, ହେଲେ ଜାଗା ହସ୍ତାନ୍ତର ପାଇଁ କେନ୍ଦ୍ରାପଡ଼ା ଜିଲ୍ଳାପାଳଙ୍କ ଅନୁମତି ଲୋଡ଼ାଯାଇଛି ଓ ଜିଲ୍ଲାପାଳଙ୍କ ଅନୁମତି ମିଳିଲା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ପଟାମୁଣ୍ଡାଇ ତହସିଲଦାର ଶରତ କୁମାର ଗିରି କହିଛନ୍ତି । ଅନ୍ୟପକ୍ଷରେ ଏହି ସ୍ଥାନରେ ଆଦର୍ଶ ଶୌଚାଳୟ ଓ ଆହାରକନ୍ଦ୍ର ମଧ୍ୟ ରହିଛି । ଶୌଚାଳୟ ନିକଟରେ ଅଡ଼ିଟୋରିଅମ ନିର୍ମାଣ ପାଇର୍ ୨୦୧୨ ମସିହାରେ ତତକାଳୀନ ବିଧାୟକ ଆଲୋକ ଜେନା ଶୀଳାନ୍ୟାସ କରିଥିଲେ ହେଁ ଅଡ଼ିଟୋରିଅମକୁ ଚୂନଡ଼ିହ ନିକଟକୁ ସ୍ଥାନାନ୍ତର କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ଥାନା ଗୃହ ନିର୍ମାଣ ପାଇଁ ୩୦ରୁ ଅଧିକ ଗରିବ ଉଠାଦୋକାନୀଙ୍କ ପେଟରେ ଲାତ ମରାଗଲା ସେହି ଥାନା ଗୃହ ନିର୍ମାଣ ନେଇ ଅନନିଶ୍ଚିତା ଦେଖାଦେଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here