ଦୁବାଇ: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ଦିନିକିଆ ର୍ୟାଙ୍କିଙ୍ଗ୍ର ବ୍ୟାଟିଂ ସୂଚୀରେ ଭାରତର ନୂଆ ସୀମିତ ଓଭର୍ କ୍ୟାପ୍ଟେନ୍ ରୋହିତ ଶର୍ମା ୩ୟ ସ୍ଥାନ ବଜାୟ ରଖିଛନ୍ତି । ମାତ୍ର ଦ୍ୱିତୀୟ ସ୍ଥାନରେ ସ୍ଥିର ଥିବା ପୂର୍ବତନ କ୍ୟାପ୍ଟେନ୍ ତଥା ସାଥୀ ଖେଳାଳି ବିରାଟ କୋହଲିଙ୍କଠାରୁ ବ୍ୟବଧାନକୁ କମ୍ କରିବାରେ ସଫଳ ହୋଇଛନ୍ତି । ରୋହିତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ ଫଳରେ ଗୁରୁତ୍ୱପୂର୍ଣ୍ଣ ରେଟିଂ ପଏଣ୍ଟ ହାସଲ କରିଛନ୍ତି । କୋହଲିଙ୍କ ରେଟିଂ ପଏଣ୍ଟ ୮୨୮ ଥିବାବେଳେ ତାଙ୍କ ରେଟିଂ ପଏଣ୍ଟ ୮୦୭ ରହିଛି । ପାକିସ୍ତାନ କ୍ୟାପ୍ଟେନ୍ ବାବର୍ ଆଜମ୍ ପୂର୍ବପରି ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ତାଙ୍କ ଟିମ୍ ସାଥୀ ଫଖର୍ ଜମାନ୍ ଓ ଇଂଲଣ୍ଡର ଜୋ ରୁଟ୍ ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି ।
ପ୍ରଥମ ମ୍ୟାଚ୍ରେ ୮ ରନ୍ କରିଥିବା ୱେଷ୍ଟଇଣ୍ଡିଜ୍ର ଶାଇ ହୋପ୍ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହରାଇ ଶୀର୍ଷ ୧୦ରୁ ବାହାର ହୋଇଯାଇଛନ୍ତି । ବୋଲିଂ ର୍ୟାଙ୍କିଙ୍ଗ୍ରେ ଭାରତୀୟ ପେସର୍ ଜସ୍ପ୍ରୀତ୍ ବୁମ୍ରା ସପ୍ତମ ସ୍ଥାନରେ ସ୍ଥିର ଥିବାବେଳେ ଶୀର୍ଷ-୧୦ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଅଲ୍ରାଉଣ୍ଡର୍ ସୂଚୀରେ ରବୀନ୍ଦ୍ର ଜାଡେଜା ଅଷ୍ଟମ ସ୍ଥାନରେ ଥିବା ବେଳେ ଅହମ୍ମଦାବାଦରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିବା ଫଳରେ ୱେଷ୍ଟଇଣ୍ଡିଜ୍ର ଜେସନ୍ ହୋଲ୍ଡର୍ ଚାରିଟି ସ୍ଥାନ ଉପରକୁ ଉଠି ଶୀର୍ଷ ୨୦ରେ ପହଞ୍ଚିଛନ୍ତି ।
ୟୁଏଇ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଶତକ ହାସଲ କରିଥିବା ଓମାନ୍ର ଜତିନ୍ଦର ସିଂହଙ୍କୁ ଏହି ର୍ୟାଙ୍କିଙ୍ଗ୍ରେ ଜବରଦସ୍ତ ଲାଭ ମିଳିଛି । ସେ ୨୬ଟି ସ୍ଥାନର ଉନ୍ନତି ସହ ବ୍ୟାଟିଂ ସୂଚୀର ଶୀର୍ଷ ୧୦୦ରେ ପ୍ରବେଶ କରିଛନ୍ତି । ଆଇସିସି ପୁରୁଷ ବିଶ୍ୱକପ୍ ଲିଗ୍-୨ ଟୁର୍ଣ୍ଣାମେଣ୍ଟ୍ରେ ଜତିନ୍ଦର ଦ୍ୱିତୀୟ ସର୍ବାଧିକ ସ୍କୋରର୍ ଭାବେ ୨୩ ମ୍ୟାଚ୍ରେ ୫୯୪ ରନ୍ ସଂଗ୍ରହ କରିଛନ୍ତି ।