କିଭ: ରୁଷ୍ ପକ୍ଷରୁ ୟୁକ୍ରେନ୍ର ମାଇକୋଲେଭ୍ ସହରରେ ଥିବା ଏକ ସାମରିକ ଘାଟି ଉପରେ ପ୍ରବଳ ରକେଟ୍ ମାଡ କରାଯାଇଥିବାବେଳେ ଏଥିରେ ୫୦ ଜଣ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣ ସମୟରେ ଉକ୍ତ ଘାଟିରେ ୟୁକ୍ରେନ୍ର ୨୦୦ରୁ ଊର୍ଦ୍ଧ୍ୱ ସୈନ୍ୟ ବିଶ୍ରାମ ନେଉଥିଲେ । ଏପର୍ଯ୍ୟନ୍ତ ଧ୍ୱଂସସ୍ତୂପ ତଳୁ ୫୦ଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଉ କେତେକ ପୋତି ହୋଇପଡିଥିବା ଆଶଙ୍କା କରାଯାଉଛି । ଅନ୍ୟ ଏକ ସୂତ୍ର ଅନୁଯାୟୀ ଏହି ରକେଟ୍ମାଡରେ ଶତାଧିକ ୟୁକ୍ରେନ୍ ସୈନ୍ୟ ପ୍ରାଣ ହରାଇଥିବା କୁହାଯାଇଛି । ତେବେ ୟୁକ୍ରେନ୍ ସରକାରଙ୍କ ତରଫରୁ ମୃତ୍ୟୁସଂଖ୍ୟା ସ୍ପଷ୍ଟ କରାଯାଇନାହିଁ । କୃଷ୍ଣସାଗରରୁ ମାତ୍ର ୧୩୦ କିମି ଦୂରରେ ମାଇକୋଲେଭ୍ ସହର ଅବସ୍ଥିତ । ଅପରପକ୍ଷରେ ରବିବାର ମାରିୟୁପୋଲ ସହରର ଏକ ସ୍କୁଲ ଉପରେ ପ୍ରବଳ ବୋମାମାଡ କରାଯାଇଥିବା ଜଣାପଡିଛି । ସେହି ସମୟରେ ଉକ୍ତ ସ୍କୁଲରେ ୪୦୦ ୟୁକ୍ରେନ୍ ଶରଣାର୍ଥୀ ଆଶ୍ରୟ ନେଇଥିବାବେଳେ ମୃତାହତ ସଂଖ୍ୟା ଜଣାପଡିନାହିଁ ।