କନ୍ଧମାଳ: କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀରେ ଜଣେ ଶିଶୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଡାକ୍ତରଙ୍କ ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ସହ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ସୂଚନା ଅନୁଯାୟୀ ସ୍ଥାନୀୟ ଶଗଡିଆ ସାହିରେ ରହୁଥିବା ରୁଚିନା ଦିଗାଲଙ୍କ ୯ ବର୍ଷର ପୁଅ ସମ୍ବିତଙ୍କ ଦେହ ଖରାପ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।
ଏହାକୁ ନେଇ ପରିବାର ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିଲା । ଡାକ୍ତରଙ୍କ ଅବହେଳାରୁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ସମ୍ପର୍କୀୟ । ଶିଶୁର ଚିକିତ୍ସା ପାଇଁ ରକ୍ତର ଆବଶ୍ୟକ ଥିବାବେଳେ ଏ ନେଇ ଶେଷ ମୂହୁର୍ତ୍ତରେ ଡାକ୍ତର ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ପରିବାର । ଉତ୍ତ୍ୟକ୍ତଲୋକେ ସ୍ଥାନୀୟ ଶଗଡିଆ ସାହିରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଫଳରେ ଜାତୀୟ ରାଜପଥ ୧୫୭ ରେ ଯାତାୟାତ ବ୍ୟାହତ ହୋଇଛି । କର୍ତ୍ତବ୍ୟରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି କରିଛନ୍ତି । ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।