ଜୟପୁର: ରାଜସ୍ଥାନ ଝାଲାଓ୍ବାଡ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଭ୍ୟାନକୁ ଗୋଟିଏ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୯ଜଣଙ୍କ ମୃତ୍ୟୁ ହୋଇଛି । ଆଜି (ରବିବାର) ସକାଳେ ଆକ୍ଲେରା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଭ୍ୟାନରେ ମୋଟ କେତେ ଲୋକ ଥିଲେ ଓ ଆହତଙ୍କ ସଂଖ୍ୟା ସମ୍ପର୍କରେ ସ୍ପଷ୍ଟ ହୋଇନି । ସ୍ଥାନୀୟ ପୋଲିସ ଓ ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ ହୋଇଛି । ମୃତଦେହଗୁଡିକୁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଉଛି । ସେମାନଙ୍କ ପରିଚୟ ସ୍ପଷ୍ଟ କରି ସମ୍ପର୍କୀୟଙ୍କୁ ଯୋଗାଯୋଗ କରିବା ଜାରି ରଖିଛି ପୋଲିସ ।
ସ୍ଥାନୀୟ ଆକ୍ଲେରା ଥାନାଧିକାରୀ ସନ୍ଦୀପ ବିଷ୍ଣୋୟୀଙ୍କ ସୂଚନା ଅନୁସାରେ, ଝାଲାଓ୍ବାଡ ଜିଲ୍ଲାର ଡୁଙ୍ଗର ଅଞ୍ଚଳର ବାଗ୍ରି ସମ୍ପ୍ରଦାୟର କିଛି ଲୋକେ ଗତକାଲି (ଶନିବାର) ନିଜ କେହି ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ସାମିଲ ହେବା ପାଇଁ ମଧ୍ୟପ୍ରଦେଶ ଯାଇଥିଲେ । ଗତକାଲି ରାତିରେ ସେମାନେ କାର୍ୟ୍ୟକ୍ରମ ସାରି ଫେରୁଥିଲେ । ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି । ସେମାନେ ଫେରୁଥିବା ଭ୍ୟାନକୁ ଏକ ଦ୍ରୁତଗତିରେ ଆସୁଥିବା ଲରି (ଟ୍ରକ) ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଭ୍ୟାନରେ ଥିବା ୯ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।
ମୃତକମାନଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ସେମାନେ ସମ୍ପର୍କୀୟ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତଦେହକୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି । ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ପୋଲିସ ଯୋଗାଯୋଗ କରୁଛି । ତେବେ ଦୁର୍ଘଟଣାର କାରଣ ଜଣାପଡିନଥିଲେ ସୁଦ୍ଧା ଟ୍ରକଟି ଦୃତଗତିରେ ଥିବା ଓ ଅନିୟନ୍ତ୍ରିତ ହୋଇ ଭ୍ୟାନକୁ ଧକ୍କା ଦେଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି ।