22.1 C
Bhubaneswar
Friday, January 10, 2025
Homeଓଡିଶାଓଡ଼ିଶାରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଟିମ୍‌; ପଶ୍ଚିମରେ ତନଖି ଶେଷ, ଏବେ ଉପକୂଳ ପାଳି

ଓଡ଼ିଶାରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଟିମ୍‌; ପଶ୍ଚିମରେ ତନଖି ଶେଷ, ଏବେ ଉପକୂଳ ପାଳି

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଦଶ ଦିନିଆ କ୍ଷେତ୍ର ପରିଦର୍ଶନରେ ଆସିଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ୍ ପଶ୍ଚିମ ଓଡ଼ିଶାରେ ତନଖି ଶେଷ କରି ଉପକୂଳ ଓଡ଼ିଶାରେ ବିଭିନ୍ନ ନଦୀ ଓ ଜଳ ଉତ୍ସର ସ୍ଥିତି ପରଖିବା ଆରମ୍ଭ କରିଛନ୍ତି । ସେମାନେ ୨୬ରୁ ୨୮ ପର୍ଯ୍ୟନ୍ତ ତିନି ଦିନ ଧରି ରିପୋର୍ଟ ସଂଗ୍ରହ କରିବେ । ବିଶେଷକରି କଟକ, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ଭ୍ରମଣ କରି ଦିଗନ୍ତବିସ୍ତାରୀ ଚିଲିକା ଓ ଅଂଶୁପା ହ୍ରଦ ସହ ଦୟା, ଭାର୍ଗବୀ,କୁଶଭଦ୍ରା ନଦୀ ଏବଂ ନରାଜ ଓ ମୁଣ୍ଡୁଳୀ ବ୍ୟାରେଜ୍‌ରେ ଜଳଧାରା କେତେ କମିଛି ଦେଖିବେ ।

ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ପକ୍ଷରୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ.ଏମ. ଖାନ୍‌ୱିଲକର୍‌ଙ୍କ ନେତୃତ୍ୱରେ ଟିମ୍ ସ୍ଥିତି ଅନୁଧ୍ୟାନ କରି ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ କରିବା ପାଇଁ ହୀରାକୁଦ ବନ୍ଧ ସହ ବିଭିନ୍ନ ଜିଲ୍ଲାର କ୍ଷେତ୍ର ପରିଦର୍ଶନ କରୁଛନ୍ତି । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀକୁ ନେଇ ଜଳ ବିବାଦ ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆନ୍ତଃରାଜ୍ୟ ଜଳ ବିବାଦ ଆଇନ-୧୯୫୬ର ଧାରା-୩ରେ ଅନୁସାରେ ଟ୍ରିବ୍ୟୁନାଲ ଗଠନ ହୋଇଛି । ଏଥିପାଇଁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ସଦସ୍ୟମାନେ ଛତିଶଗଡ଼ ପରେ ଓଡ଼ିଶା ଗସ୍ତ କରିଛନ୍ତି । ଜଷ୍ଟିସ୍ ଖାନୱିଲକରଙ୍କ ସହ ପାଟନା ହାଇକୋର୍ଟର ବିଚାରପତି ଡକ୍ଟର ରବି ରଞ୍ଜନ ଓ ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦରମିତ କୌର କୋଚ୍ଚର ଟିମ୍‌ରେ ସାମିଲ ଅଛନ୍ତି । ଟ୍ରିବ୍ୟୁନାଲ ସଦସ୍ୟଙ୍କ ସହ ଜଳସମ୍ପଦ ବିଭାଗର ଅଧିକାରୀ, ବୈଷୟିକ ଟିମ୍‌, ଉଭୟ ଓଡ଼ିଶା ଓ ଛତିଶଗଡ଼ର ଆଇନ ବିଶେଷଜ୍ଞମାନେ ମଧ୍ୟ ଏହି ଗସ୍ତରେ ସାମିଲ ଅଛନ୍ତି ।

୩୨ଜଣିଆ ସମସ୍ୟ ବିଶିଷ୍ଟ ମହାନଦୀ ଟ୍ରିବ୍ୟୁନାଲ ଟିମ୍ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଆସନ୍ତା ୨୭ ପୂର୍ବାହ୍ଣରେ ବ୍ରହ୍ମଗିରିର ମିର୍ଜାପୁରଠାରେ ପହଞ୍ଚି ଚିଲିକା ମୁହାଣ ଅରଖକୁଦା ଠାରେ ସମୁଦ୍ର ଓ ଚିଲିକାର ମିଳନସ୍ଥଳୀ ସ୍ଥିତି ଦେଖିବେ । ଏହି ଅବସରରେ ସାତପଡ଼ାରେ ଥିବା ସିଡିଏ ଇଣ୍ଟରପ୍ରିଟେସନ୍ ସେଣ୍ଟର ବୁଲି ଦେଖିବା ସହ ଗବକୁଣ୍ଡ ଜେଟିକୁ ଯାଇ ସ୍ଥିତି ପରଖିବେ । ପୂଣି ଭୁବନେଶ୍ୱର ଫେରିବେ ଏବଂ ପରଦିନ ଭାର୍ଗବୀ, ଦୟା ଓ କୁଶଭଦ୍ରା ଆଦି ନଦୀର ଜଳ ଧାର ସ୍ଥିତି ଦେଖିବେ । ସେହିପରି କୋଣାର୍କ ରାମଚଣ୍ଡୀଠାରେ କୁଶଭଦ୍ରା ସଙ୍ଗମସ୍ଥଳ ଦେଖିବେ । ସେଥିପାଇଁ ଚାରି ଜିଲ୍ଲାର ସଂପୃକ୍ତ ଅଧିକାରୀ ସାତପଡ଼ା, ମିର୍ଜାପୁର ଘାଟ ସହ ସବୁ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

 ଉଲ୍ଲେଖନୀୟ ଯେ, ଗତ ୨୦ରେ ଟ୍ରିବ୍ୟୁନାଲର ଟିମ୍ ହୀରାକୁଦ ଡ୍ୟାମ୍ ଅଞ୍ଚଳ ଓ ମହାନଦୀ ଆୟକଟ୍ ଅଞ୍ଚଳ ପରିଦର୍ଶନ କରି ପ୍ରାରମ୍ଭିକ ରିପୋର୍ଟ ସଂଗ୍ରହ କରିଥିଲେ । ଏହା ପରେ ନୂଆପଡ଼ା ଜିଲ୍ଲା ଗସ୍ତ କରି ସେମାନେ ସାଇପଲ୍ ଡ୍ୟାମ୍ ଓ ଅପର୍ ଜଙ୍କ୍ ଡ୍ୟାମ୍‌ର ସ୍ପିଲ ସାଇଟ୍ ବୁଲି ଦେଖିଥିଲେ । ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିବା ଯୋଗୁଁ ଉକ୍ତ ଦୁଇ ଡ୍ୟାମ୍ କେତେଦୂର ପ୍ରଭାବିତ ହୋଇଛି ତାହାର ସ୍ଥିତି ବି ପରଖିôଥିଲେ । ୨୪ରେ ସେମାନେ ଅନୁଗୁଳ ଗସ୍ତ କରି ସାତକୋଶିଆ ଗଣ୍ଡ ସ୍ଥିତି ଦେଖିଥିଲେ । ପରେ ଭୁବନେଶ୍ୱର ପହଞ୍ଚିଥିଲେ । ଗସ୍ତ ଶେଷରେ ଟ୍ରିବ୍ୟୁନାଲ ସଦସ୍ୟଙ୍କ ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking