ଲଣ୍ଡନ୍: ବ୍ରିଟେନ୍ର ହାରେହିଲ୍ସ ଅଞ୍ଚଳର ଲୁକ୍ସର ଷ୍ଟ୍ରିଟ୍ ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି । ଏଠାରେ କିଛି ସରକାରୀ ଏଜେଣ୍ଟ, ସ୍ଥାନୀୟ ପିଲାମାନଙ୍କୁ ଜୋରଜବରଦସ୍ତି ଉଠାଇନେଇ କେୟାର ସେଣ୍ଟରକୁ ନେଇଯିବା ପାଇଁ ଚେଷ୍ଟା କରୁଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । କେବଳ ସେତିକି ନୁହେଁ ସାଧାରଣ ଲୋକେ ଏହାକୁ ବିରୋଧ କରିବାରୁ ଉଭୟ ପକ୍ଷରୁ ଉତ୍ତେଜନା ଆରମ୍ଭ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ଟେକା ପଥର ମାଡ଼ କରିବା ସହ ରାସ୍ତାରେ ଥିବା ଗାଡ଼ିଗୁଡ଼ିକରେ ନିଆଁ ଲଗାଇଦେଇଛନ୍ତି । ବ୍ରିଟେନ୍ ରାଜରାସ୍ତା ଉପରେ ଉତ୍ତ୍ୟକ୍ତ ଲୋକେ ବସ୍ ଓ କାରକୁ ନିଆଁ ଲଗାଇ ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କୁ ଘରୁ ନ ବାହାରିବାକୁ ବ୍ରିଟିଶ ସରକାରଙ୍କ ପକ୍ଷରୁ ଅପିଲ୍ କରାଯାଇଛି । ଏଥିସହ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ପିଲାଙ୍କୁ କେଉଁ କାରଣରୁ ଉଠାଇନେଉଛ ବୋଲି ପ୍ରଶ୍ନ କରିବାରୁ ସରକାରୀ ଏଜେଣ୍ଟମାନେ ପାଟିତୁଣ୍ଡ କରିଥିଲେ । ପରେ ସେମାନେ ହାତାହାତି ମଧ୍ୟ କରିଥିଲେ । ଖବର ପାଇ ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଭୟ ପିଲାମାନଙ୍କ ସହ ସରକାରୀ ଏଜେଣ୍ଟଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଛି । ତେବେ କୌଣସି ପ୍ରକାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ବିପର୍ଯ୍ୟସ୍ତ ହେବାକୁ ଦିଆଯିବନି । ଆମେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛୁ ବୋଲି ବ୍ରିଟେନର ହୋମ ସେକ୍ରେଟାରୀ ୟଭେଟ କୁପର କହିଛନ୍ତି ।