24.1 C
Bhubaneswar
Thursday, October 29, 2026
Homeଓଡିଶାବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଲଗାଣ ବର୍ଷା ଜନିତ ବନ୍ୟା ସ୍ଥିତି ସଂକ୍ରାନ୍ତରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଜନିତ ବନ୍ୟା ସ୍ଥିତି ସଂକ୍ରାନ୍ତରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର : ସ୍ପେଶାଲ୍ ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସ୍ଥିତ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଠାରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଏସଆରସି , ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏଵଂ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ମାନ୍ୟବର ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦିନତମାମ ସ୍ଥିତି ସମୀକ୍ଷା କରିଛନ୍ତି। ଅତ୍ୟଧିକ ବାଦଲଫଟା ବର୍ଷା ଯୋଗୁଁ ହଠାତ୍ ଆସିଥିବା ବନ୍ୟା କାରଣରୁ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପରିସ୍ଥିତି ଗମ୍ଭୀର ଥିବା ସତ୍ତ୍ୱେ ପ୍ରଭାଵିତ ଜନସାଧାରଣଙ୍କ ପାଖରେ ପ୍ରସାଶନ ପହଞ୍ଚି ସମସ୍ତ ପ୍ରକାରର ସେଵା ଏବଂ ସହାୟତା ସୁନିଶ୍ଚିତ କରିବା ନିମନ୍ତେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ସାରା ଦିନ କଣ୍ଟ୍ରୋଲ ରୁମରୁ ଆଭାସୀ ମାଧ୍ୟମରେ ସମସ୍ତ ଉଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ଭାବେ ତଦାରଖ କରିଛନ୍ତି।

ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ସମସ୍ତଙ୍କ ସମନ୍ୱିତ ଉଦ୍ୟମରୁ ଏହି ବନ୍ୟା ପରିସ୍ଥିତି ଖୁବ୍ ଶୀଘ୍ର ସ୍ୱାଭାବିକ ହେବ l ପ୍ରଭାବିତ ଜନସାଧାରଣଙ୍କ ଛାଇ ହେଇ ରାଜ୍ୟସରକାର ଏବଂ ସମ୍ପୂର୍ଣ୍ଣ ପ୍ରଶାସନିକ ବ୍ୟବସ୍ଥା ରହିଛନ୍ତି। ଜନସାଧାରଣ ସଂପୂର୍ଣ୍ଣ ନିଶ୍ଚିତ ରହି ପ୍ରଶାସନକୁ ସହଯୋଗ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ମାନ୍ୟବର ମନ୍ତ୍ରୀ ନିବେଦନ କରିଛନ୍ତି।

ପ୍ରଭାଵିତ ଜିଲ୍ଳାରେ ସମ୍ପ୍ରତି ଅବସ୍ଥାପିତ ମାନ୍ୟବର ମନ୍ତ୍ରୀଗଣ ଏବଂ ବରିଷ୍ଠଅଧିକାରୀଙ୍କ ସହ ସ୍ଥାନୀୟ ଜନପ୍ରତିିଧିମାନଙ୍କର ସହିତ ରାଜସ୍ୱ ମନ୍ତ୍ରୀ ନିୟମିତ ଫୋନ୍ ଯୋଗେ ଯୋଗାଯୋଗରେ ରହି ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ଏସଆରସିଙ୍କ ସହଯୋଗରେ ଆବଶ୍ୟକ ସୁଵିଧା ସୁନିଶ୍ଚିତ କରାଉଛନ୍ତି। ଏଥିସହିତ ମାନ୍ୟବର ମନ୍ତ୍ରୀ ଭାରତୀୟ ତଟରକ୍ଷୀ ବାହିନୀ ସହ ଯୋଗାଯୋଗ କରି ପ୍ରଭାବିତ ଅଞ୍ଚଳରେ ହେଲିକପ୍ଟର ଯୋଗେ ଜଳବନ୍ଦୀ ଜନସାଧାରଣଙ୍କ ସ୍ଥାନାନ୍ତରଣ ସୁନିଶ୍ଚିତ କରିବା ନିମନ୍ତେ ଵ୍ୟଵସ୍ଥା କରିଛନ୍ତି।

ପ୍ରଭାବିତ ଅଂଚଳରେ ପ୍ରଖର ଜଳସ୍ରୋତ ଯୋଗୁଁ ଯେଉଁଠି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପହଁଚିବା ସମ୍ଭବପର ହେଉ ନାହିଁ, ସେ ସବୁ ଅଂଚଳରେ ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଏୟାରଲିଫ୍ଟିଂ କରାଯାଇଛି । ଗଞ୍ଜାମ ଜିଲ୍ଲାର ବିପଦଜନକ ସ୍ଥାନରେ ଥିବା ପ୍ରଭାଵିତ ଜନସାଧାରଣଙ୍କୁ ପର୍ଯ୍ୟାୟକ୍ରମେ କୋଷ୍ଟଗାର୍ଡ଼ ହେଲିକପ୍ଟର ଯୋଗେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି। ପ୍ରଭାଵିତ ଜନସାଧାରଣଙ୍କ ନିମନ୍ତେ ରନ୍ଧା ଖାଦ୍ୟ, ପିଇବା ପାଣି ଓ ଆବଶ୍ୟକ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।

ବାତ୍ୟା ଅର୍ଣ୍ଣବ୍ ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି l ଗଞ୍ଜାମ ଜିଲ୍ଲାର ପାତ୍ରପୁର ଠାରେ ୫୪୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କନ୍ଧମାଳ ଜିଲ୍ଳାର ଜି ଉଦୟଗିରିଠାରେ ୪୬୨.୪ ମିମି ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ଗଞ୍ଜାମ, ଗଜପତି, କନ୍ଧମାଳ ଆଦି ଜିଲ୍ଲାର ଅନେକ ଅଞ୍ଚଳରେ ୨୦୦ ମିମିରୁ ଅଧିକ ଅର୍ଥାତ୍ ଅତି ପ୍ରବଳ ବର୍ଷା ରେକର୍ଡ଼ ହୋଇଛି।

ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ୪୫ଓଡ୍ରାଫ୍ (ODRAF), ୭ଏନଡିଆରଏଫ୍ (NDRF), ୨୪ ଅଗ୍ନିଶମ ଦଳ (Fire Teams) ନିୟୋଜିତ ଥିବା ବେଳେ ୧୧୦ ସ୍ଥାୟୀ ଆଶ୍ରୟସ୍ଥଳୀ ସହ ଅନେକ ଅସ୍ଥାୟୀ ଆଶ୍ରୟସ୍ଥଳୀର ବ୍ୟବସ୍ଥା ସହିତ ପ୍ରାଥମିକ ପର୍ଯ୍ୟାୟରେ ଚୁଡ଼ା,ଗୁଡ଼ ଓ ପଲିଥିନ୍ ରୋଲ୍ ଵ୍ୟଵସ୍ଥା କରାଯାଇଛି।

ଗଞ୍ଜାମ ଜିଲ୍ଲାରେ ୯୨୨ ଟି ସମ୍ବେଦନଶୀଳ ଗ୍ରାମ ଚିହ୍ନଟ (୨୨ଟି ବ୍ଲକରେ ୨୯୯ଟି ଗ୍ରାମ ପ୍ରଭାବିତ) ସହ ୪ଟି SRC ପାୱାର୍ ବୋଟ୍ ନିୟୋଜିତ ହୋଇଛି। ଉଦ୍ଧାରକାରୀ ବୋଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୫୫୦ ଜଣ ଗର୍ଭବତୀ ମହିଳା ସ୍ଥାନାନ୍ତରିତ (୨୯୩ ଟି institutional delivery) ହୋଇଛନ୍ତି । କଳିଙ୍ଗା ଘାଟି ଏବଂ ବିଭିନ୍ନ ନଦୀ ଜଳ ଉପରେ ନିରନ୍ତର ନିରୀକ୍ଷଣ କରାଯାଉଛି।

ସେହିପରି ଗଜପତି ଜିଲ୍ଲାରେ ୧୨ ଓଡ୍ରାଫ୍, ୧ ଏନଡିଆରଏଫ୍ ଏବଂ ୧୨ ଅଗ୍ନିଶମ ଦଳ ପ୍ରସ୍ତୁତ ଥିବା ବେଳେ ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀର ଵ୍ୟଵସ୍ଥା ସହ ରିଲିଫ୍ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି।

ଗଜପତି ଜିଲ୍ଲାର ୭ଟି ବ୍ଲକରେ ୧୧୯ଟି ଗ୍ରାମ ସମ୍ବେଦନଶୀଳ ଥିବା ବେଳେ (୭୧୧ଟି ଗ୍ରାମ ପ୍ରଭାବିତ) ଗୋଟା ବ୍ୟାରେଜ୍, ବଡ଼ନାଳ ଏବଂ ଡ୍ରେନେଜ୍ ନିରୀକ୍ଷଣ କରାଯାଉଛି।ବଂଶଧାରାରେ ଜଳସ୍ତର ୫୨.୫ ମିଟର ; ଯାହା ବିପଦ ସଙ୍କେତ (୫୪.୧୦ ମିଟର) ଠାରୁ ବହୁତ କମ୍ ଅଛି । ୭ଟି ଉଦ୍ଧାରକାରୀ ବୋଟ୍ ନିୟୋଜିତ ଥିବା ବେଳେ ୪୨୦ ଜଣ ଗର୍ଭବତୀ ମହିଳା ସ୍ଥାନାନ୍ତରିତ (୩୩ଟି institutional delivery) ହୋଇଛନ୍ତି।

ରାୟଗଡ଼ା ଜିଲ୍ଲାରେ ୧୧ ଅଗ୍ନିଶମ ଦଳ ନିୟୋଜିତ ଥିବା ବେଳେ ୩ ଟି ସ୍ଥାୟୀ ଏବଂ ୧୩୧ ଅସ୍ଥାୟୀ (ମୋଟ ୧୩୪) ଆଶ୍ରୟସ୍ଥଳୀ ଵ୍ୟଵସ୍ଥା ସହ ରିଲିଫ୍ ସାମଗ୍ରୀ ମଧ୍ୟ ପର୍ଯ୍ୟାପ୍ତ ମହଜୁଦ୍ ରହିଛି। ୧୪୮ଟି ସମ୍ବେଦନଶୀଳ ଗ୍ରାମ ଚିହ୍ନଟ ହୋଇ ସମସ୍ତ ବ୍ୟବସ୍ଥା ସହ ଗୁଣପୁର, ଗୁଡ଼ାରୀ ଏବଂ କେ. ସିଂହପୁରରେ ୩ଟି SRC ପାୱାର୍ ବୋଟ୍ ମହଜୁଦ୍ ରହିଛି । ୨୩୬ ଜଣ ଗର୍ଭବତୀ ମହିଳାଙ୍କୁ ପ୍ରଶାସନ ଦ୍ଵାରା ସ୍ଥାନାନ୍ତରିତ (୮୬ଟି institutional delivery) କରାଯାଇଛି। ସେହିପରି ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଅଛି।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୫ଟି ଓଡ୍ରାଫ୍ ଏବଂ ୭ଟି ଏନ୍.ଡି.ଆର୍.ଏଫ୍. ଦଳ ସମେତ ମୋଟ ୫୨ଟି ଦଳ ନିୟୋଜିତ ଅଛନ୍ତି। ଗଜପତି ଜିଲ୍ଲାରେ ୧୨ଟି ଓଡ୍ରାଫ୍ ଏବଂ ୧ଟି ଏନ୍.ଡି.ଆର୍.ଏଫ୍. ଦଳ ସହ ମୋଟ ୧୩ଟି ଦଳ କାର୍ଯ୍ୟରତ ଅଛନ୍ତି। ସମସ୍ତ ସ୍ଥାନକୁ ମିଶାଇ ସମଗ୍ର ରାଜ୍ୟରେ ୬୦ଟି ଓଡ୍ରାଫ୍ ଏବଂ ୯ଟି ଏନ୍.ଡି.ଆର୍.ଏଫ୍. ଦଳ (ସମୁଦାୟ ୬୯ଟି ଦଳ) ସମ୍ପୂର୍ଣ୍ଣ ଭାବେ ନିୟୋଜିତ ରହି ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରୁଛନ୍ତି। ସେହିପରି ମୋଟ୍ ୨୪୪ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ବାହିନୀ ସମଗ୍ର ରାଜ୍ୟରେ ନିୟୋଜିତ ରହି ଗଛ କାଟି ରାସ୍ତା ସଫା କରିବା, ଯୋଗାଯୋଗ ପୁନଃସ୍ଥାପନ କରିବା,ଉଦ୍ଧାର ଏବଂ ସ୍ଥାନାନ୍ତରଣ କାର୍ଯ୍ୟ ସୁନିଶ୍ଚିତ କରୁଛନ୍ତି। ସମସ୍ତ ଉଦ୍ଧାରକାରୀ ଦଳ ୨୪*୭ କାର୍ଯ୍ୟରେ ନିୟୋଜିତ ରହିଛନ୍ତି।

ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି, ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ, ଗଜପତି, ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ ଜିଲ୍ଲା ପ୍ରଭାଵିତ ହୋଇଛି । ବିପଦସଙ୍କୁଳ ଅଞ୍ଚଳରୁ ମୋଟ୍‌ ୫୯,୦୨୮ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି, ଯେଉଁଥିପାଇଁ ୮୩୦ଟି ଆଶ୍ରୟସ୍ଥଳୀର ଵ୍ୟଵସ୍ଥା ହୋଇଛି । ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ,ଗଜପତି ଜିଲ୍ଲା । ଗଜପତି ଜିଲ୍ଲାରେ ୧୭,୪୪୧ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି, ଯେଉଁଥିପାଇଁ ୨୯୮ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି । ଏହା ପଛକୁ ମାଲକାନଗିରିରେ ୧୫,୪୭୭, ଗଞ୍ଜାମରେ ୧୧,୮୮୨ ଏବଂ ନବରଙ୍ଗପୁରରେ ୧୦,୫୧୯ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କୋରାପୁଟ ଜିଲ୍ଲାରେ ପଟ୍ଟାଙ୍ଗି-ଗାଲିଗବଦର ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା, ଯାହାକି ବର୍ତ୍ତମାନ ସ୍ୱାଭାବିକ ହୋଇଛି । ଗଜପତି ଜିଲ୍ଲାର ମୋହନା, ଉଦୟଗିରି ଏବଂ ରାୟଗଡ଼ ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ୪ଟି ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଥିବା ବେଳେ ଜଳସ୍ତର ଅନୁଧ୍ୟାନ କରାଯାଇ ଆବଶ୍ୟକ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ବନ୍ୟା ଓ ବର୍ଷା ଯୋଗୁଁ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରୁଛନ୍ତି ଏବଂ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି ।

ସେହିପରି ବିଶାଖାପାଟଣା ଡ଼ିଭିଜନର ଇଚ୍ଛାପୁରମ – ଝଡୁପୁଡ଼ି ସେକ୍ସନ ମଧ୍ୟରେ ଅନେକ ସ୍ଥାନରେ ରେଳପଥ ଜଳବନ୍ଦୀ ହୋଇଥିବା ବେଳେ ୯ ଟି ଟ୍ରେନର ଯାତ୍ରା ସ୍ଥଗିତ ରଖାଯାଇଥିବା ବେଳେ ୧୪ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ସେହିପରି ଓଡ଼ିଶାର ପାଞ୍ଚଟି ସ୍ଥାନରେ ପ୍ରଭାବିତ ଗତିପଥ ଟ୍ରେନ୍ ଅଟକି ରହିଥିବା ବେଳେ ଯାତ୍ରୀମାନଙ୍କ ପାଇଁ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଉଛି।

ସମଗ୍ର ରାଜ୍ୟରେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ପୁନଃସ୍ଥାପନକୁ ଗୁରୁତ୍ୱ ଦିଆଯାଇ ପ୍ରଭାବିତ ୩୧୬ ୩୩କେଭି ଷ୍ଟେସନରୁ ୨୯୮ଟି ଷ୍ଟେସନରେ ପୁନଃସ୍ଥାପନ ହୋଇ ଇତିମଧ୍ୟରେ ପ୍ରାୟ ୮୪% ବିଦ୍ୟୁତ୍ ସଂଯୋଗ ହୋଇଯାଇଛି। ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରକର ମୌଳିକ ସୁବିଧା ତ୍ୱରିତ ଉପଲବ୍ଧ କରାଯାଉଛି ।

ଖୁବ୍ ଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ କେନ୍ଦ୍ରୀୟ ଟିମ୍ ମଧ୍ୟ ପରିସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ଗଞ୍ଜାମ ,ଗଜପତି ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସରକାର ମଧ୍ୟ ନିରନ୍ତର ରାଜ୍ୟସରକାରଙ୍କ ସହ ସମ୍ପର୍କରେ ରହି ସମସ୍ତ ଆବଶ୍ୟକ ସହଯୋଗ ଯୋଗାଇ ଦେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking