ଅନୁଗୁଳ: ଅନୁଗୁଳରୁ ଅପହରଣ ପରେ ହତ୍ୟା । ଢେଙ୍କାନାଳ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ପରଦାଫାସ କରିଛି ଜରପଡା ଥାନା ପୋଲିସ । ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବା ଯୋଗୁଁ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ବି ୩ ଜଣ ଫେରାର ରହିଛନ୍ତି । ଗିରଫ ଯୁବକ ଜଣଙ୍କ ହେଲେ କଣିହାଁ ଥାନା ଜାମ୍ବୁଯୋଡି ଗାଁର ମାମୁଲି ଓରଫ ସଞ୍ଜିଲ ପ୍ରଧାନ । ଅନୁଗୁଳ ଜିଲ୍ଲା ଜରପଡା ଥାନାରେ ଗତ ୨୬ ନଭେମ୍ବରରେ ସଂଧ୍ୟାରେ କୋରଡ଼ା ଗାଁର ବିକାଶ ବେହେରାଙ୍କୁ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଜରପଡା ଥାନା ପୋଲିସ ମାମଲା ରୁଜୁ କରିବା ସହିତ ତଦନ୍ତ କରିଥିଲା ।
ଗତ ନଭେମ୍ବର ୨୬ତାରିଖ ରାତି ୮ଟା ବେଳେ ସଂଜିଲ ପ୍ରଧାନ ଓ ତାଙ୍କ ସହଯୋଗୀ ମାନେ ବିକାଶ ବେହେରାଙ୍କୁ କୋରଡା ଗାଁରୁ ବୋଲେରୋ ଗାଡ଼ିରେ ଅପହରଣ କରି ନେଇଥିଲେ । ଏହାପରେ ସେମାନେ କୋଶଳା କୁମୁଣ୍ଡା ରାସ୍ତା ଦେଇ ଵାରିହାପୁର ଜଙ୍ଗଲକୁ ନେଇ ସେଠାରେ ଏକ ବିକାଶର ଗଳା ଚିପି ହତ୍ୟା କରିଥିଲେ । ହତ୍ୟା ପରେ ସେମାନେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତ ଦେହକୁ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଘୋଡ଼ାଡ଼ିଆଁ ଗାଁକୁ ନେଇ ଏକ ପୋଖରୀରେ ପଥର ବାନ୍ଧି ପକାଇ ଦେଇଥିଲେ । ଏହି ଘଟଣାରେ ପୋଲିସ ଛାନଭିନ କରି କଣିହାଁ ଥାନା ମାମୁଲି ଓରଫ ସଂଜିଲ ପ୍ରଧାନକୁ ଗିରଫ କରିଛି ।
ବିକାଶ ବେହେରା ସଂଜିଲଙ୍କ ଜଣେ ସହଯୋଗୀଙ୍କ ଝିଆରୀଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିବା କହିଛି ସଞ୍ଜିଲ । ଏହି ଘଟଣାକୁ ନେଇ ସଂଜିଲଙ୍କ ଅନ୍ୟ ସହଯୋଗୀ ମାନେ ଷଡଯନ୍ତ୍ର କରିଥିଲେ । ସେହି ଯୋଜନା ଅନୁଯାୟୀ ସେମାନେ ବୋଲେରୋ ନେଇ ଜଙ୍ଗଲ ଭିତରେ ହତ୍ୟା କରିଥିଲେ ବୋଲି ସ୍ୱୀକାର କରିଥିଲା । ଏହା ଜାଣିବା ପରେ ପୋଲିସ ସଞ୍ଜିଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୋଲିସ ଏହି ଘଟଣାରେ ହତ୍ୟାରେ ବ୍ୟବହୃତ ଏକ ମୋଟର ସାଇକେଲ, ହତ୍ୟାରେ ବ୍ୟବହୃତ ହୋଇଥିବା ପଥର ଓ ଦଉଡିକୁ ଜବତ କରାଯାଇଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଅନୁଗୁଳ ପୋଲିସ ଉଦ୍ୟମ ଜାରି ରଖିଛି ।