ଭୁବନେଶ୍ୱର: ରାଜସ୍ୱ ବିଭାଗ ଅଧିନସ୍ଥ ଯେଉଁ କର୍ମଚାରୀ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ବର୍ଷ କାର୍ଯ୍ୟ କରିଥିବେ ବା ନିଜ ଜିଲ୍ଲାରେ କାର୍ଯ୍ୟ କରୁଥିବେ ସେମାନଙ୍କର ତାଲିକା ଆସନ୍ତାକାଲି ସୁଦ୍ଧା ପ୍ରଦାନ କରିବାକୁ ହେବ । ବିଶେଷକରି ଓଡ଼ିଶା ପ୍ରଶାସନିକ ସେବା, ଓଡ଼ିଶା ରାଜସ୍ୱ ସେବା ଓ ଗ୍ରୁପ-ବି ଅଫିସରଙ୍କ ପାଇଁ ଏହି ନିୟମ ଲାଗୁ ହେବ । ଭାରତୀୟ ନିର୍ବାଚନ ଆୟୋଗ ଏହି ନିର୍ଦ୍ଦେଶ ଦେବା ପରେ ରାଜସ୍ୱ ବିଭାଗ ପକ୍ଷରୁ ତାଲିକା ପ୍ରସ୍ତୁତ ସହ ସଂପୃକ୍ତ କର୍ମଚାରୀଙ୍କୁ ବଦଳି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଫଳରେ ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଛି । ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସମସ୍ତ ଏଥିସମ୍ପର୍କିତ ତଥ୍ୟ ମାଗିଛନ୍ତି ।
ସେହି ତଥ୍ୟାନୁସାରେ ରାଜସ୍ୱ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଜିଲ୍ଲାରେ କାର୍ଯ୍ୟରତ ଓଏଏସ୍, ଓଆରଏସ୍ ଏବଂ ଗ୍ରୁପ-ବି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି । ଗୋଟିଏ ପଦବୀରେ ୩ ବର୍ଷ ବା ନିଜ ଜିଲ୍ଲାରେ କାର୍ଯ୍ୟ କରି ହେବ ନାହିଁ । ହେଲେ ନିର୍ବାଚନର ୬ ମାସ ମଧ୍ୟରେ ଅବସର ନେବାକୁ ଥିବା କମର୍ଚାରୀ ଓ ଅଧିକାରୀଙ୍କ ପାଇଁ ଏହା ଲାଗୁ ହେବନାହିଁ । ଏହି ନିୟମ ବି ପୁଲିସ୍ ଆଇଜି, ଡିଆଇଜି, ଏସ୍ପି, ଏସଡିପିଓଙ୍କ କ୍ଷେତ୍ରରେ ଲାଗୁ ହେଉଥିବାବେଳେ କଂପ୍ୟୁଟର ସେଲ୍, ଟ୍ରେନିଂ, ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବନାହିଁ । ଏହା ସହ ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ଓ କମର୍ଚାରୀଙ୍କ ପାଇଁ ଏହି ନିୟମ ମଧ୍ୟ ପ୍ରଯୁଜ୍ୟ ନୁହେଁ । ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବା ନିମନ୍ତେ ଅଧିକାରୀଙ୍କ ପୋଷ୍ଟିଙ୍ଗ ଓ ବଦଳି ନେଇ ନିର୍ବାଚନ କମିଶନ ଏହି କଟକଣା ଲାଗୁ କରିଛନ୍ତି ।