ଚଣ୍ଡିଗଡ: ହରିୟାଣାରେ ଛାତିଥରା ଘଟଣା । ତିନି ମହିଳାଙ୍କ ଉପରେ ମାଡିଗଲା ଚଳନ୍ତା କାର । ଗାଡ଼ି ଭିତରେ ତିନି ଜଣ ଯୁବକ ରିଲ୍ସ କରୁଥିବା ବେଳେ ମହିଳାଙ୍କୁ ଧକ୍କା ଦେଇଥିଲା । ଏହି ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କର୍ଣ୍ଣଲ ଅଞ୍ଚଳର ସେକ୍ଟର ୬ର ସାଇ ମନ୍ଦିର ରୋଡରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟାଇବା ପରେ କାର ଧରି ଯୁବକ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସୂଚନା ଅନୁଯାୟୀ, ତିନି ଜଣ ମହିଳା ପ୍ରତିଦିନ ସନ୍ଧ୍ୟାରେ ସାଇ ମନ୍ଦିର ରୋଡ୍ରୁ ନୁର ମହଲ ପର୍ଯ୍ୟନ୍ତ ଚଲାବୁଲା କରିଥାଆନ୍ତି । କିନ୍ତୁ ଗତ ସୋମବାର ଦିନ ବର୍ଷା ହେବାରୁ ସେମାନେ ଅଧା ରାସ୍ତା ଚାଲି ପଛକୁ ଫେରୁଥିଲେ ।
ଏହି ସମୟରେ ଦ୍ରୁତ ଗତିରେ ଏକ କାର ଆସି ମହିଳାଙ୍କ ଉପରକୁ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ଅଞ୍ଜୁ ନାମକ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ମହିଳା ଗୁରୁତର ହୋଇପଡିଥିଲେ । ସଙ୍ଗେସଙ୍ଗେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କିଛି ସମୟ ପରେ ଶଶି ପହୱା ନାମକ ମହିଳାଙ୍କର ବି ମୃତ୍ୟୁ ହୋଇଥିଲା । ମୃତ ସଞ୍ଜୁ ସାଇ ମନ୍ଦିରରେ ସେବା କାର୍ଯ୍ୟରେ ନିୟୋଜତି ଥିଲେ ଏବଂ ସନ୍ଧ୍ୟା ସମୟରେ ଭଜନକୀର୍ତ୍ତନ କରୁଥିଲେ । ମୃତ ଶଶି ଓ ଗୁରୁତର ମହିଳା ଜଣଙ୍କ ମଧ୍ୟ ପ୍ରତିଦିନ ସନ୍ଧ୍ୟା ଆଳତି ସମୟରେ ସାଇ ମନ୍ଦିରକୁ ଯାଇଥାନ୍ତି । ସେଠାରେ ଆଳତି ସରିବା ପରେ ସେମାନେ ବୁଲିକାକୁ ଯାଉଥିଲେ । ଦୁଇ ମୃତ ମହିଳାଙ୍କ ଘର କର୍ଣ୍ଣଲର ସେକ୍ଟର ୬ରେ ହୋଇଥିବା ବେଳେ ଉଭୟଙ୍କ ବୟସ ୫୦ ବର୍ଷ ହେବ ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାର ମଧ୍ୟରେ କିଛି ଯୁବର ରିଲ୍ସ କରୁଥିଲେ । ଏହି ସମୟରେ କାର ବେଗ ଅଧିକ ରହିଥିଲା । ରାସ୍ତାରେ ଚାଲୁଥିବା ତିନି ଜଣ ମହିଳାଙ୍କୁ କାରଟି ଧକ୍କା ଦେବା ପରେ ଘଟଣାସ୍ଥଳରୁ ଯୁବକ ମାନେ ଫେରାର ହୋଇଯାଇଥିଲେ । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ସାଇ ମନ୍ଦିର ରୋଡରେ ଦୁର୍ଘଟଣା ଘଟିଥିବା ଖବର ଆମ ପାଖକୁ ଆସିଥିଲା । ପୋଲିସ ସଙ୍ଗେସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟ ଜଣେ ମହିଳାଙ୍କ ଚିକିତ୍ସା ଜାରି ରହିଛି । କିଛି ଯୁବକ କାରକୁ ଦ୍ରୁତ ହେବଗରେ ଚଲାଇବା ସହ ରିଲ୍ସ କରୁଥିଲେ । ଯାହା ଫଳରେ କାରଟି ତିନି ଜଣ ମହିଳାଙ୍କୁ ଧକ୍କା ଦେଇଥିଲା । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଗାଡ଼ି ଚିହ୍ନଟ ହୋଇନାହିଁ ।