ଭୁବନେଶ୍ୱର : ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେସନ। ଆଜି ଏହି ପରିପ୍ରେକ୍ଷୀରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟବାସୀଙ୍କ ପାଖରେ ସଠିକ୍ ତଥ୍ୟ ରଖିବା ଆମର ଉତ୍ତରଦାୟୀତ୍ୱ । ବୈଠକରେ ରାଜ୍ୟ ସରକାରଙ୍କ ଉପଲବ୍ଧି, ବିରୋଧୀ ଦଳ ଉଠାଇବାକୁ ଥିବା ବିଭିନ୍ନ ପ୍ରସଙ୍ଗ ଏବଂ ରାଜ୍ୟ ସ୍ୱାର୍ଥ ସମ୍ବଳିତ ମୁଦ୍ଦା ଉପରେ ବିସ୍ତୃତ ଆଲୋଚନା ହୋଇଛି। ବିଶେଷକରି ବାତ୍ୟା ମୁକାବିଲାରେ ସରକାରଙ୍କ ପଦକ୍ଷେପ ଓ ସଫଳତା, ପ୍ରଭାବିତ ଲୋକଙ୍କୁ ରିଲିଫ୍ ଏବଂ ସହାୟତା ପ୍ରଦାନ ପ୍ରସଙ୍ଗ ଗୃହରେ ଉଠିବ। ଗଞ୍ଜାମ, କନ୍ଧମାଳ ଓ ଗଜପତି ଜିଲ୍ଲାର ପ୍ରଭାବିତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ପ୍ୟାକେଜ୍ ପ୍ରଦାନ କରାଯାଇଛି। ବାତ୍ୟା ପରେ ଲୋକଙ୍କ ନିକଟରେ ମନ୍ତ୍ରୀ ଓ ବିଧାୟକମାନେ ପହଞ୍ଚି ସେମାନଙ୍କ ଦୁଃଖ ଓ ସମସ୍ୟା ବୁଝିବା ସହ ଆବଶ୍ୟକ ସହାୟତା ପାଇଁ ପଦକ୍ଷେପ ନେଇଛନ୍ତି। କୃଷି କ୍ଷୟକ୍ଷତି, ପଶୁପାଳନ ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ଓ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହି ସମସ୍ତ ତଥ୍ୟ ଗୃହରେ ରଖାଯିବ ବୋଲି ମାନ୍ୟବର ସଂସଦୀୟ ବ୍ୟାପର ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି ।
ଅନ୍ୟ ପଟେ ବିରୋଧୀ ଦଳ ଅନେକ ପ୍ରସଙ୍ଗ ଉଠାଇବାକୁ ଥିବାବେଳେ ଏହାର ଜବାବ ତଥ୍ୟ ଓ ପ୍ରମାଣ ସହ ରଖିବାକୁ ଶାସକ ଦଳ ପ୍ରସ୍ତୁତ ରହିଛି। ବିରୋଧୀ ଦଳ ଯଦି କୌଣସି ଭ୍ରମାତ୍ମକ କିମ୍ବା ଅସତ୍ୟ ତଥ୍ୟ ଆଧାରରେ ପ୍ରସଙ୍ଗ ଉଠାନ୍ତି, ତେବେ ସରକାରଙ୍କ ପକ୍ଷରୁ ତାହାର ସତ୍ୟାସତ୍ୟ ଗୃହରେ ରଖାଯିବ। ବିରୋଧୀଙ୍କ ପ୍ରତ୍ୟେକ ପ୍ରଶ୍ନ ଓ ଅଭିଯୋଗର ତଥ୍ୟଭିତ୍ତିକ ଉତ୍ତର ଦେବାକୁ ସରକାରୀ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସେହିପରି ପ୍ରଶ୍ନକାଳ, ଶୂନ୍ୟକାଳ, ମୋସନ୍ ଏବଂ ବିଧାନସଭାର ବିଭିନ୍ନ ବିଧାନସଭା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଆସୁଥିବା ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଶାସକ ଦଳ ପ୍ରସ୍ତୁତ ରହିଛି। ସର୍ବଦଳୀୟ ବୈଠକରେ ବିଜେଡି, କଂଗ୍ରେସ ଓ ବିଜେପି ସମେତ ସମସ୍ତ ଦଳର ସହମତି ଆଧାରରେ ଗୃହ ପରିଚାଳନା ଓ ବିଜନେସ୍ ଆଡଭାଇଜରି କମିଟିର ସୁପାରିସ ଅନୁଯାୟୀ ବିଭିନ୍ନ ବିଲ୍ ଉପରେ ଆଲୋଚନା କରାଯିବ। ବିଧାନସଭାରେ ସୁସ୍ଥ ଓ ଗଠନମୂଳକ ଆଲୋଚନା ହେବା ସହ ଗୃହର କାର୍ଯ୍ୟ ସୁରୁଖୁରୁରେ ଚାଲିବ ଆଶା ପ୍ରକାଶ କରୁଛୁ ବୋଲି ଡ.ମହାଲିଙ୍ଗ କହିଛନ୍ତି ।
ଆଜି ସଂଧ୍ୟାରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସହପ୍ରଭାରୀ ଡ. ସ୍ୱଦେଶ ସିଂହଙ୍କ ସମେତ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ଏହି ବୈଠକରେ ଯୋଗ ଦେଇ ରଣନୀତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ବୋଲି ମନ୍ତ୍ରୀ ଡ.ମହାଲିଙ୍ଗ ସୂଚନା ଦେଇଛନ୍ତି ।










