ଭୁବନେଶ୍ୱର: ରସିକିଆ ନକଲି ଡାକ୍ତରଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ୍ ପୁଲିସ । ତା’ର ଅପରାଧିକ ରେକର୍ଡ ଜାଣିବାପାଇଁ ଜେରା କରିବେ ବିଶେଷଜ୍ଞ ଓ ଉଚ୍ଚ ପୁଲିସ ଅଧିକାରୀ । ୩୦ ବର୍ଷର ଅପରାଧିକ ରେକର୍ଡର ପର୍ଦ୍ଦାଫାସ କରିବାକୁ ପୁଲିସ ଉଦ୍ୟମ କରିବ। ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ ବିରୋଧରେ କମିଶନରେଟ୍ ପୁଲିସରେ ଦୁଇଟି ମାମଲା ରୁଜୁ ହୋଇଥିବାବେଳେ ୧୧ ଅଭିଯୋଗ ମିଳିଛି । ଅଭିଯୋଗକାରୀ ଲିଖିତ ଅଭିଯୋଗ କରିବା ପରେ ତାହାର ତର୍ଜମା କରାଯାଇ ମାମଲା ରୁଜୁ ହେବ । ଜଣେ ମହିଳାଙ୍କ ଡେବିଟ୍ କାର୍ଡ ସହାୟତାରେ ୨୦ ଲକ୍ଷ ଟଙ୍କା ରମେଶ ଠକିନେଇଥିବା ନୂଆ ଅଭିଯୋଗ ଆସିବା ସହ କାମାକ୍ଷନଗରରୁ ଅଙ୍ଗ ତସ୍କରୀ ଅଭିଯୋଗ ହୋଇଛି ।
୧୮ ପତ୍ନୀଙ୍କ ସମ୍ପର୍କରେ ପୁଲିସ ତର୍ଜମା କରିବା ସହ ଶତାଧିକ ମହିଳାଙ୍କ ଯୋଗାଯୋଗରେ ଅଛି । ରିମାଣ୍ଡ ଜେରା ପରେ ମିଳିବା ତଥ୍ୟ ଅନୁଯାୟୀ ଆବଶ୍ୟକ ହେଲେ ସାଇବର ଥାନା, ମହିଳା ଥାନା ଓ ଆଣ୍ଟିଫ୍ରଡ୍ ସେଲ୍ ଅଫିସରଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ରାଜ୍ୟ ବାହାରକୁ ଯିବ । ଜଣଙ୍କ ପରେ ଜଣେ ରମେଶଙ୍କୁ ସ୍ୱତନ୍ତ୍ର କଠୋରୀରେ ରିମାଣ୍ଡ ଜେରା କରିବା ସହ ତାହାର ରେକର୍ଡ କରାଯାଉଛି ।ରମେଶ ସ୍ୱାଇଁ ଘର କେନ୍ଦ୍ରାପଡା ଜିଲ୍ଲାରେ । ସେ କଟକ, ବଡ଼ମ୍ବା, କେନ୍ଦ୍ରାପଡ଼ା ଏପରି କାମାକ୍ଷାନଗରରେ ମଧ୍ୟ କ୍ଲିନିକ୍ ଖୋଲିଥିଲା । କ୍ଲିନିକ୍ରେ କର୍ମଚାରୀଙ୍କୁ ଦରମା ଦେବା ତ ଦୂରର କଥା ଉଚ୍ଚ ପଦବୀରେ ରଖି ସେମାନଙ୍କୁ ଧରାଛୁଆଁ ଦେଉନଥିଲା ।
ରମେଶର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରୋଗୀଙ୍କୁ ବିଭ୍ରାନ୍ତରେ ପକାଇ ସେମାନଙ୍କୁ ଅସୁବିଧାରେ ପକାଇବା । ଏପରିକି କାମାକ୍ଷନଗର ଅଞ୍ଚଳରୁ କେତେକ ଅଙ୍ଗ ତସ୍କରୀ ଅଭିଯୋଗ ଆସିଛି । ଅଙ୍ଗ ତସ୍କରୀ ସମ୍ବଦ୍ଧରେ ଅଭିଯୋଗ କରିଛନ୍ତି ସୋମନାଥ ସେନାପତି ଓ ବିନୋଧ କୁମାର ପାଣିଗ୍ରାହୀ । ମୁଖ୍ୟତଃ ପୁଲିସ ଜେରାବେଳେ ରମେଶ ସହ ଆଉ କେଉଁମାନେ ଅଛନ୍ତି ନା ସେ ଏକା ୩୦ବର୍ଷ ଧରି ସାତ ରାଜ୍ୟରେ ଅପରାଧ ଘଟାଇ ଚାଲିଥିଲା । ଜଣେ ପତ୍ନୀ, ଭିଣୋଇ ଓ ଡ୍ରାଇଭର ତାଙ୍କୁ ଅପରାଧରେ ସହଯୋଗ କରୁଥିବା ଜଣାପଡିଥିଲେ ମଧ୍ୟ ସେ ଦିଗରେ ତଦନ୍ତ କରାଯାଉଛି । ଚାକିରି ଦେବା ଓ ବିବାହ କରିବା ବାହାନାରେ କେଉଁମାନଙ୍କଠାରୁ କୋଟି କୋଟି ଟଙ୍କା ଠକିଛି ସେ ସମ୍ପର୍କରେ ରିମାଣ୍ଡରେ ପୁଲିସ ସ୍ପଷ୍ଟ ହେବ । ଆଉ କ୍ଲିନିକ୍ରେ ରୋଗୀସେବା ବାହାନାରେ ଶରୀରରୁ କିଡନୀ ଓ ଅନ୍ୟାନ୍ୟ କେଉଁ ଅଙ୍ଗ ତସ୍କରୀ କରିବା ସହ ଠକେଇ ସମ୍ପର୍କରେ ମଧ୍ୟ ବିସ୍ତୃତ ତର୍ଜମା ହେଉଛି ।
ସାଇବର ଓ ଆଣ୍ଟିଫ୍ରଡ ବିଶେଷଜ୍ଞମାନେ ରମେଶର ୩୦ବର୍ଷ ଅପରାଧ ଉପରେ ଫୋକସ୍ କରିଛନ୍ତି । ତାହାର ସର୍ମ୍ପକୀୟଙ୍କୁ ଛାଡି ଅନ୍ୟ କେଉଁମାନେ ତାହା ସହିତ ଅଛନ୍ତି ତାହା ମଧ୍ୟ ଜଣାପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଡିସିପି ଡ. ଉମାଶଙ୍କର ଦାଶଙ୍କ କହିବାନୁଯାୟୀ ଦୁଇଟି ମାମଲା ହୋଇସାରିଛି । ଅନ୍ୟ ୧୧ ଅଭିଯୋଗ ସମ୍ପର୍କରେ ତର୍ଜମା ହେଉଛି । ପୁଲିସ କଣ୍ଟାକ୍ଟରେ ଥିବା ଶତାଧିକ ମହିଳା ଓ ବିବାହ ପାଇଁ ଡେଟିଂ କରିଥିବା ଝିଅ ଓ ମହିଳାଙ୍କ ସର୍ମ୍ପକରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଉଛି । ଓଡ଼ିଶା ସମେତ ୭ରାଜ୍ୟରେ ସେ ଘଟାଇଥିବା ସମସ୍ତ ଅପରାଧ ସର୍ମ୍ପକରେ ଜାଣିବାପାଇଁ ଉଚ୍ଚ ପୁଲିସ ଅଧିକାରୀ ଓ ସ୍ୱତନ୍ତ୍ର ଅଧିକାରୀମାନେ ପ୍ରୟାସ କରୁଛନ୍ତି ।
ଅପରାଧ ବିଶେଷଜ୍ଞଙ୍କ ମତରେ କେବଳ ଠକେଇ ନୁହେଁ, ମହିଳା ନିର୍ଯାତନା ଓ ବଳତ୍କାର ଭଳି ସଙ୍ଗିନ୍ ଦଫା ଲାଗୁ କରାଗଲେ ସେ ସଜା ପାଇବ । ନଚେତ୍ ଠକେଇ ଭଳି ଦଫାରେ ସେ ପୂର୍ବରୁ ଜାମିନ୍ ପାଇଛି ଓ ଏବେ ମଧ୍ୟ ଜାମିନ୍ ପାଇଯିବ । ଓଡିଶାର ବିଭିନ୍ନ ପ୍ରାନ୍ତର ଓ ଦେଶର ସାତ ରାଜ୍ୟର ସେ କେତେ ଲୋକଙ୍କୁ ଠକିବା ସହ ଅପରାଧ ଘଟାଇଛି ତାହା ସ୍ପ ହେଲେ ମାମଲା ଭିନ୍ନ ମୋଡ୍ ନେବ । କମିଶନରେଟ୍ ପୁଲିସର ବହୁ ଦକ୍ଷ ଅଧିକାରୀ ରମେଶ ମାମଲାର ତଦନ୍ତରେ ମୂଲ୍ୟବାନ୍ ସମୟ ଦେଉଛନ୍ତି । ଯଦି ପୁଲିସ ସନ୍ତୁଷ୍ଟ ନହୁଏ ଆବଶ୍ୟକ ହେଲେ ତାକୁ ଅଧିକ ଥର ରିମାଣ୍ଡରେ ଅଣାଯାଇପାରେ ।