ଭୁବନେଶ୍ୱର: ରଙ୍ଗିଲା ତଥା ନକଲି ଡାକ୍ତର ରମେଶ ସ୍ୱାଇଁ ତୃତୀୟ ଥର ପାଇଁ ରିମାଣ୍ଡରେ ଆସିବେ । ଗୌହାଟିର ଡାକ୍ତରାଣୀ ସ୍ତ୍ରୀ’ଙ୍କୁ ୨୩ ଲକ୍ଷ ଟଙ୍କା ଠକିବା ମାମଲାରେ ରମେଶଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ମହିଳା ଥାନା ପୁଲିସ କୋର୍ଟରେ ଆବେଦନ କରିଥିଲା । ତେବେ କୋର୍ଟ ଆବେଦନକୁ ଗ୍ରହଣ କରି କେସ୍ ନଂ.୨୨/୨୦୨୨ରେ ଶୁକ୍ରବାର ଠାରୁ ୫ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି । ରମେଶଙ୍କୁ ଶୁକ୍ରବାର ଠାରୁ ରିମାଣ୍ଡରେ ଅଣାଯାଇ ମାରାଥନ ଜେରା କରାଯିବ ବୋଲି ମହିଳା ଥାନା ଅଧିକାରରିଣୀ ସନ୍ତୋଷିନୀ ବେହେରା କହିଛନ୍ତି । ଅନ୍ୟପକ୍ଷରେ ରମେଶଙ୍କ ବିରୋଧରେ ଅଭିଯୋଗ ବଢ଼ିବାରେ ଲାଗିଛି ।
ତାଙ୍କ ବିରୋଧରେ ପୁଣି ଦୁଇଟି ଠକେଇ ମାମଲା ରୁଜୁ ହୋଇଛି । ଗୋଟିଏ ସହିଦନଗର ଥାନାରେ ହୋଇଥିବାବେଳେ ଅନ୍ୟଟି ପାହାଳ ଥାନାରେ ହୋଇଛି । ଏହି ଦୁଇ ଅଭିଯୋଗ ପରେ ରମେଶଙ୍କ ବିରୋଧରେ ରାଜ୍ୟରେ ମୋଟ୍ ୧୬ଟି ମାମଲା ରୁଜୁ ହୋଇଥିବା ପୁଲିସ କହିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ରମେଶ ୨୦୧୮ରେ ସତ୍ୟବିହାରରେ ରହୁଥିବା ଉପେନ୍ଦ୍ର କୁମାର ମହାରଣା ନାମକ ଜଣେ ଠିକାଦାରଙ୍କୁ ପାହାଳ ଅଞ୍ଚଳରେ ଥିବା ତାଙ୍କ ଜମିରେ ପାଚେରି କରିବାକୁ କହିଥିଲେ ।
ସେ ୭୦ହଜାରରୁ ୧ଲକ୍ଷ ଟଙ୍କା ଭିତରେ ପାଚେରି ବୁଲେଇବା ପରେ ରମେଶ ତାଙ୍କୁ ଆଉ ଟଙ୍କା ଦେଇନଥିଲେ । ଏନେଇ ଉପେନ୍ଦ୍ର ଅଭିଯୋଗ କରିବା ପରେ ପାହାଳ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେହିପରି ଖଣ୍ଡଗିରି ପାତ୍ରପଡ଼ାରୁ ଜବତ ହୋଇଥିବା କାର୍କୁ ରମେଶ ସହିଦନଗର ଥାନା ଅଞ୍ଚଳରେ ଥିବା ଏକ ସୋ’ରୁମ୍ରୁ ୨୦୧୯ରେ ଜାଲ ୍କାଗଜପତ୍ର ଦେଇ ଆଣିଥିଲେ । ଏନେଇ ମହିଳା ଥାନା ପୁଲିସ ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।