ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନର ଆଶଙ୍କା ରହିଛି। ପାଣିପାଗ ବିଭାଗ ପକ୍ଷରୁ ୫ଟି ଜିଲ୍ଲାକୁ ରେଡ୍, ୧୧ଟି ଜିଲ୍ଲାକୁ ଅରେଞ୍ଜ ଏବଂ ଅନ୍ୟ ୧୪ଟି ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଥିବା ସୂଚନା ମିଳିଛି। ଗୋପାଳପୁରରେ ସର୍ବାଧିକ ୯୨ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୭୦ କିଲୋମିଟର ବେଗରେ ପବନ ହେବାର ଆଶଙ୍କା ରହିଛି । ସେହିପରି ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ସମେତ ଅନ୍ୟ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପବନ ହୋଇପାରେ। ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ସହ ପବନର ସମ୍ଭାବନା ରହିଛି ।ଆସନ୍ତା ୨୯ ତାରିଖ ସକାଳ ପର୍ଯ୍ୟନ୍ତ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୭୦ କିଲୋମିଟର ରହିପାରେ। ପରେ ଧୀରେ ଧୀରେ ପବନର ବେଗ କମିବାର ସମ୍ଭାବନା ରହିଛି। ୨୯ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।










