30.1 C
Bhubaneswar
Sunday, May 19, 2024
Homeଓଡିଶାଆନ୍ଧ୍ର ସୀମାନ୍ତ ଚେକ୍ ପଏଣ୍ଟ ଅନୁଧ୍ୟାନକଲେ ଏସ୍‌ପି, ଫେରିଲେଣି ୮ ହଜାର ପ୍ରବାସୀ

ଆନ୍ଧ୍ର ସୀମାନ୍ତ ଚେକ୍ ପଏଣ୍ଟ ଅନୁଧ୍ୟାନକଲେ ଏସ୍‌ପି, ଫେରିଲେଣି ୮ ହଜାର ପ୍ରବାସୀ

ରାୟଗଡ଼ା : ଓଡ଼ିଶା-ଆନ୍ଧ୍ର ସୀମାନ୍ତ କେରେଡା ଚେକ୍ ପଏଣ୍ଟ ଆଜି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା । ଚେକ୍ ପଏଣ୍ଟରେ ପୁଲିସ୍ ବ୍ୟବସ୍ଥାର ଯାଞ୍ଚ କରିବା ସହ ସୀମା ଦେଇ ଜିଲ୍ଲାକୁ ପ୍ରବେଶ କରୁଥିବା ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ଓ ସେମାନଙ୍କ ସଙ୍ଗରୋଧ ସଂପର୍କରେ ଏସ୍‌ପି ଶ୍ରୀ ଶର୍ମା ପଚାରି ବୁଝିଛନ୍ତି । ସୀମାନ୍ତ କେରେଡା ଦେଇ ପଡୋଶୀ ଆନ୍ଧ୍ର ସମେତ ଦକ୍ଷିଣ ଭାରତର ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ପ୍ରବାସୀଙ୍କ ପଞ୍ଜୀକରଣ, ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ବ୍ୟବସ୍ଥାର ମଧ୍ୟ ଏସପି ଅନୁଧ୍ୟାନ କରିଥିଲେ । ଆଜି ସୁଦ୍ଧା ସୀମାନ୍ତ ଦେଇ ଜିଲ୍ଲାକୁ ୮ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଥିବା ବେଳେ ପ୍ରଶାସନର ତତ୍ତ୍ୱାବଧାନରେ ସଙ୍ଗରୋଧରେ ମାତ୍ର ଶହେ ପ୍ରବାସୀ ଥିବା ଜଣାପଡିଛି । ଅନ୍ୟମାନଙ୍କ ସଙ୍ଗରୋଧ ଅବଧି ଶେଷ ସାଙ୍ଗକୁ ଆରଟିପିସିଆର ରିପୋର୍ଟ, ଟିକାକରଣ ସାର୍ଟିଫିକେଟ୍ ଥିବାରୁ ପ୍ରବାସୀଙ୍କୁ ନିଜ ଘରକୁ ଛାଡ଼ି ଦିଆଯାଇଥିବା ପ୍ରଶାସନ କହିଛି । ତେବେ ବାହାର ରାଜ୍ୟରୁ ରାୟଗଡ଼ା ଦେଇ ଚଳାଚଳ କରୁଥିବା ଟ୍ରେନରେ ଆସୁଥିବା ଯାତ୍ରୀଙ୍କ ସଂପର୍କରେ ପ୍ରଶାସନ ନିକଟରେ କୌଣସି ସୂଚନା ନାହିଁ । ଜିଲ୍ଲାର ରାୟଗଡ଼ା, ମୁନିଗୁଡ଼ା ଷ୍ଟେସନରେ ବହୁ ଯାତ୍ରୀ ଓହ୍ଲାଇ ପଡୋଶୀ କନ୍ଧମାଳ, କଳାହାଣ୍ଡି ଜିଲ୍ଲାକୁ ଯାତାୟାତ କରୁଛନ୍ତି । ବର୍ତ୍ତମାନ ଲକଡାଉନ୍ ଚାଲିଥିଲେ ମଧ୍ୟ ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇ ବିଭିନ୍ନ ସ୍ଥାନକୁ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ପ୍ରବାସୀ ଶ୍ରମିକଙ୍କ ଉପରେ କଡ଼ା ନଜର ରଖିବାକୁ ବ୍ଲକ୍ ପ୍ରଶାସନ ଓ ପୁଲିସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଆଜି ହଠାତ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଭିଡ୍ ନିୟନ୍ତ୍ରଣ କକ୍ଷ ପରିଦର୍ଶନରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ନିୟନ୍ତ୍ରଣ କକ୍ଷର ସଠିକ୍ କାର୍ଯ୍ୟକାରିତା ଉପରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହିତ ଜିଲ୍ଲାପାଳ ଆଲୋଚନା କରି ସାହାର୍ଯ୍ୟ ଚାହୁଁଥିବା ଲୋକଙ୍କ ସହିତ ଯୋଗଯୋଗ ଠିକ୍‌ରେ ହେଉଛି କି ନାହିଁ, କୋଭିଡ ପଜିଟିଭ୍ ରୋଗୀଙ୍କ ସଂପର୍କରେ ସଠିକ୍ ତଥ୍ୟ ରହିଛି କି ନାହିଁ ସେ ଉପରେ ଆଲୋଚନା କରିଥିଲେ । ନିୟନ୍ତ୍ରଣ କକ୍ଷ ୪ କର୍ମଚାରୀଙ୍କୁ ନେଇ ପରିଚାଳନା ହେଉଥିବାରୁ ଅତିରିକ୍ତ ୪ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିୟନ୍ତ୍ରଣ କକ୍ଷ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଛି । ଏହା ପୂର୍ବରୁ ଜିଲ୍ଲାପାଳ ଆରଟିପିସିଆର, ଆଣ୍ଟିଜେନ୍ ପରୀକ୍ଷା ପାଇଁ ସଂଗ୍ରହ ହେଉଥିବା ସ୍ୱାବ ସେଣ୍ଟରର ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଡା. ଡିବି ଦେବ, ଏନଏଚଏମ୍ ଡିପିଏମ ରାଜେଶ୍ୱର ରାଓ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking