ଯାଜପୁର : ଯାଜପୁର ଟାଉନ ଥାନା ଅନ୍ତର୍ଗତ ଦେବୀଦ୍ୱାର ଅଞ୍ଚଳରେ ଥିବା କେଶବ ଚନ୍ଦ୍ର ପାଣିଙ୍କ ଅଟାକଳ ଉପରେ ଆଜି ପୁଲିସ ଚଢାଉ କରି ବିଭିନ୍ନ କମ୍ପାନୀର ଅଟା ପ୍ୟାକେଟ୍ ସମେତ ଏଥିରେ ବ୍ୟବହୃତ ହେଉଥିବା ମେସିନ୍କୁ ଜବତ କରିଛି । ତା’ଛଡା ଏହି ଘଟଣାରେ ଅଟା କଳର ମାଲିକ କେଶବଙ୍କୁ ଥାନାକୁ ଆଣି ପଚରା ଉଚରା ଚଳାଇଛି ।
ସୂଚନା ଅନୁଯାୟୀ, ଯାଜପୁର ସହରର ଦେବୀଦ୍ୱାର ଅଞ୍ଚଳରେ ବିଭିନ୍ନ କମ୍ପାନୀର ଅଟା ପ୍ୟାକେଟ୍ ନକଲି କରାଯାଉଥିବାର ଖବର ପାଇ ଆଜି ଯାଜପୁର ଟାଉନ ପୁଲିସ ସେଠାରେ ଚଢାଉ କରିଥିଲେ । ଚଢାଉ ସମୟରେ ଏହି ଅଟାକଳରେ ବିଭିନ୍ନ କମ୍ପାନୀର ଲୋଗୋ ଥିବା ଅଟା ପ୍ୟାକେଟ୍ରେ ନକଲି ଭାବେ ପ୍ରସ୍ତୁତ କରାଯାଉଥିଲା ବୋଲି ଜାଣିବାକୁ ପାଇଛି । ପରିବାର କମ୍ପାନୀ ପ୍ୟାକେଟ୍ରେ ୧କେଜି ବିଶିଷ୍ଟ ୫୦ ପ୍ୟାକେଟ୍, ୨୨୦ପିସ୍ ଖୋଲା ପ୍ୟାକେଟ୍, ଆଶୀର୍ବାଦ କମ୍ପାନୀ ନାଁରେ କେଜିକିଆ ୨୮୦ପ୍ୟାକେଟ୍ ଓ ୫କେଜିଆ ୬୫ପ୍ୟାକେଟ୍ ଅଟା ସହ ଏଥିରେ ବ୍ୟବହୃତ ହୋଇଥିବା ମେସିନ୍କୁ ଜବତ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଜକୁ କିଛି ମାସ ହେବ କେଶବ ‘ପରିବାର’ କମ୍ପାନୀ ନାଁ ରେ ନକଲି ଅଟା ପ୍ୟାକେଟ୍ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ‘ପରିବାର’ ଅଟା କମ୍ପାନୀର କର୍ମଚାରୀ ଯାଜପୁର ପୁଲିସ ନିକଟରେ ଅଭିଯୋଗ କରିଥିଲେ ।