ସୁରଟ୍: ଏକ ମାନହାନି ମୋକଦ୍ଦମାରେ ଦୋଷୀସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୋମବାର ଗୁଜରାଟର ସୁରଟ୍ସ୍ଥିତ ଏକ ଫୌଜଦାରୀ ଅଦାଲତ ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି । ତେବେ ଦଣ୍ଡାଦେଶ ବାତିଲ କରିବାକୁ ରାହୁଲ ଯେଉଁ ଆବେଦନ କରିଥିଲେ, ତାହାକୁ ବିଚାରପତି ଅଗ୍ରାହ୍ୟ କରିଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩କୁ ଧାର୍ଯ୍ୟ କରାଯାଇଛି ।
ତେବେ ରାହୁଲଙ୍କ ଦଣ୍ଡାଦେଶକୁ ଅଦାଲତ ସ୍ଥଗିତ ରଖିଛନ୍ତିି । ଅପରପକ୍ଷରେ ଯଦି ଦଣ୍ଡାଦେଶ ବାତିଲ ନହୁଏ, ତେବେ ରାହୁଲ ସାଂସଦ ପଦ ହରାଇବା ସହ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ବୋଲି କୁହାଯାଇଛି । ସୋମବାର ରାହୁଲ ଏକ ବିରାଟ ଶୋଭାଯାତ୍ରାରେ କୋର୍ଟ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ।
ଭଉଣି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ତିନି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯଥା ଅଶୋକ ଗେହଲଟ୍ (ରାଜସ୍ଥାନ), ଭୂପେଶ ବାଘେଲ (ଛତିଶଗଡ) ଏବଂ ସୁଖବିନ୍ଦର ସିଂହ ସୁଖୁ (ହିମାଚଳ ପ୍ରଦେଶ) ଏହି ଶୋଭାଯାତ୍ରାରେ ସାମିଲ ଥିବା ଜଣାପଡିଛି । ରାହୁଲଙ୍କ ଏଭଳି ଶୋଭାଯାତ୍ରାକୁ ବିଜେପି ପକ୍ଷରୁ ସମାଲୋଚନା କରାଯାଇଛି ।
ଅଦାଲତ ଉପରେ ଚାପ ସୃଷ୍ଟି କରିବା ଲକ୍ଷ୍ୟରେ ରାହୁଲ ବିରାଟ ଶୋଭାଯାତ୍ରା ଆୟୋଜନ କରିଥିବା କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି । ରାହୁଲଙ୍କ ଏହା ଏକ ପିଳାଲିଆମି ଏବଂ ଦେଶର କୌଣସି ଅଦାଲତ ଚାପର ବଶବର୍ତ୍ତୀ ହୋଇନଥାନ୍ତି ବୋଲି ରିଜିଜୁ ଟ୍ୱିଟ୍ କରି କହିଛନ୍ତି । ରିଜିଜୁଙ୍କୁ ଜବାବ ଦେବାକୁ ଯାଇ କଂଗ୍ରେସ ଶିବିର କହିଛି ଯେ ଶକ୍ତି ପ୍ରଦର୍ଶନ ପାଇଁ ଏହି ଶୋଭାଯାତ୍ରା ଉଦ୍ଦିିଷ୍ଟ ନଥିଲା, ବରଂ ରାହୁଲଙ୍କ ପ୍ରତି ସମର୍ଥନ ସ୍ୱରୂପ ଏହା ଆୟୋଜିତ ହୋଇଥିଲା । ରାହୁଲ ଦେଶ ପାଇଁ ଲଢୁଛନ୍ତି । ଏହି ଲଢେଇରେ ସମର୍ଥନ ଦେବାକୁ କଂଗ୍ରେସର ବରିଷ୍ଠ ନେତୃବର୍ଗ ସାମିଲ ଥିଲେ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ କହିଛନ୍ତି । ଏପରିକି ସୁରଟ୍ ଗସ୍ତରେ ଯାଇଥିବା ଏକାଧିକ କଂଗ୍ରେସ ନେତା ଓ କର୍ମୀଙ୍କୁ ଗିରଫ କରାଯାଇଥିବାରୁ ଖର୍ଗେ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାରଠାରେ ଏକ ସଭାକୁ ସମ୍ବୋଧିତ କରିବା ସମୟରେ ରାହୁଲ ‘ମୋଦୀ’ ସାଙ୍ଗିଆକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ରାହୁଲ ସେତେବେଳେ କହିଥିଲେ ଯେ ‘ସବୁ ଚୋରଙ୍କର ସାଙ୍ଗିଆ କ’ଣ ମୋଦୀ?’ । ରାହୁଲ ଏହି ପ୍ରସଙ୍ଗରେ ନୀରବ ମୋଦୀ ଓ ଲଲିତ ମୋଦୀଙ୍କୁ ଆକ୍ଷେପ କରିଥିଲେ ସୁଦ୍ଧା ପରୋକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିିଥିଲେ । ରାହୁଲଙ୍କ ଏହି ମନ୍ତବ୍ୟ ପ୍ରତିବାଦରେ ଗୁଜରାଟ ବିଧାୟକ ତଥା ବିଜେପି ନେତା ପୂର୍ଣ୍ଣେଶ ମୋଦୀ ସୁରଟ୍ କୋର୍ଟରେ ଏକ ମାନହାନି ମୋକଦ୍ଦମା ରୁଜୁ କରିଥିଲେ ।
ବିଚାରପତି ମାର୍ଚ୍ଚ ୨୩ରେ ରାହୁଲଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ତାଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ ପ୍ରଦାନ କରିଥିଲେ । ତେବେ ଦଣ୍ଡାଦେଶ ପରେ ୧୦ ହଜାର ଟଙ୍କାର ବେଲ୍ ବଣ୍ଡ୍ ଦାଖଲ କରି ରାହୁଲ ଜାମିନ ପାଇବାରେ ସଫଳ ହୋଇଥିଲେ । ଅଦାଲତ ସେତେବେଳେ ରାହୁଲଙ୍କ ପିଟିସନକୁ ଆଧାର କରି ୩୦ ଦିନ ପାଇଁ ଏହି ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ । ଫଳରେ ଦଣ୍ଡାଦେଶ ବିରୋଧରେ ଉପରିସ୍ଥ ଅଦାଲତର ଦ୍ୱାରସ୍ଥ ହେବାକୁ ରାହୁଲଙ୍କୁ ୩୦ ଦିନ ସମୟ ମିଳିବ ବୋଲି କୁହାଯାଇଥିଲା ।
ତେବେ ଉପରିସ୍ଥ ଅଦାଲତ ଯିବା ପୂର୍ବରୁ ମାର୍ଚ୍ଚ ୨୪ରେ ଲୋକସଭା ସେକ୍ରେଟେରିଏଟ୍ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରାଯାଇ ରାହୁଲଙ୍କ ସାଂସଦ ପଦ ପ୍ରତ୍ୟାହାର କର।।ଯାଇଥିଲା । ଏଥିସହିତ ଏପ୍ରିଲ ୨୩ ମଧ୍ୟରେ ତୋଗଲକ୍ ଲେନ୍ସ୍ଥିତ ସରକାରୀ ବଙ୍ଗଳା ଖାଲି କରିବାକୁ ରାହୁଲଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି ।