32.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶଇଭିଏମ୍‌ର ସ୍ୱଚ୍ଛତା ଉପରେ ପ୍ରଶ୍ନ: କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଇଭିଏମ୍‌ର ସ୍ୱଚ୍ଛତା ଉପରେ ପ୍ରଶ୍ନ: କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ସମ୍ପ୍ରତି ସର୍ବବୃହତ୍ ନିର୍ବାଚନୀ ମହାପର୍ବ ଜାରି ରହିଛି । ୫ମ ପର୍ଯ୍ୟାୟ ମତଦାନ ପର୍ଯ୍ୟାୟ ଶେଷ ହୋଇସାରିଥିବା ବେଳେ ଆହୁରି ୨ଟି ପର୍ଯ୍ୟାୟ ବାକି ରହିଛି । ତେବେ ଜୁନ୍ ୪ତାରିଖରେ ଫଳାଫଳ ପ୍ରକାଶ ପାଇବା ସହ ଦେଶରେ ୧୮ତମ ଲୋକସଭାର ଶୁଭାରମ୍ଭ ହେବ । ଦେଶରେ ନୂଆ ସରକାର ଗଠନ ହେବା ସହ ନୂଆ ସମ୍ଭାବନାର ଅଧ୍ୟାୟ ମଧ୍ୟ ପ୍ରାରମ୍ଭ ହେବ । ତେବେ ନିର୍ବାଚନରେ ପରାଜୟ ବରଣ କରିଥିବା ଦଳ ଭାରତୀୟ ନିର୍ବାଚନ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ସାଜିଥିବା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍‌) ଉପରେ ପ୍ରଶ୍ନ ଉଠାଇବା ଏବଂ ଏହାର ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ଉଠାଇବା ଏକପ୍ରକାର ନିଶ୍ଚିତ । ପରାଜୟର କାରଣ ଭାବେ କିଛି ପରାଜିତ ଦଳ ଇଭିଏମ୍‌କୁ ହିଁ ଦୋଷାରୋପ କରିବେ । ତେବେ ଭାରତରେ ଅନୁଷ୍ଠିତ ହେଉଥିବା ୨୦୨୪ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଭଳି ୪ ରାଜ୍ୟରେ ସମାନ ସମୟରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ପ୍ରକ୍ରିୟାରେ ବ୍ୟବହାର ହେଉଥିବା ଇଭିଏମ୍ ସମ୍ପର୍କରେ ଏକ ବଡ଼ ତଥା ସ୍ପଷ୍ଟ ସୂଚନା ଏବେ ସମସ୍ତଙ୍କ ସାମ୍ନାକୁ ଆସିବା ନିତାନ୍ତ ଜରୁରି ।
ଇଭିଏମ୍‌କୁ ନିର୍ମାଣ କରିଥିବା ଦେଶର ପ୍ରଖ୍ୟାତ ଆଇଆଇଟିଆନ୍‌ଙ୍କ ମତରେ ବର୍ତ୍ତମାନ ସମୟରେ ଭାରତୀୟ ନିର୍ବାଚନୀ ପ୍ରକ୍ରିୟାରେ ବ୍ୟବହାର କରାଯାଉଥିବା ଇଭିଏମ୍‌ରେ ଏକବିଂଶ ଶତାବ୍ଦୀର ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଭାରତ ଏବେ ତୃତୀୟ ପୀଢ଼ିର ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍‌) ବା ଏମ୍‌୩ ଇଭିଏମ୍ ମେସିନ୍ ବ୍ୟବହାର କରୁଛି । ଅର୍ଥାତ୍ ଏହି ଇଭିଏମ୍‌ଗୁଡ଼ିକ ଉଚ୍ଚକୋଟିର ବୈଷୟିକ ଜ୍ଞାନକୌଶଳ ସହ ନିର୍ମାଣ କରାଯିବା ସହ ଏହାକୁ ଟ୍ୟାମ୍ପର ପ୍ରୁଫ୍ ମଧ୍ୟ କରାଯାଇଛି । ଏହି ଇଭିଏମ୍‌ଗୁଡ଼ିକୁ ଯଦି ଖୋଲିବାକୁ ସାମାନ୍ୟତମ ଚେଷ୍ଟା ମଧ୍ୟ କରାଯାଏ, ତେବେ ଏସବୁ ମେସିନ୍‌ଗୁଡ଼ିକ ସ୍ୱତଃପ୍ରବୃତ୍ତ ଭାବେ ‘ସୁରକ୍ଷା ମୋଡ୍‌\’ କୁ ଚାଲିଯିବା ସହ ଅକାମୀ ହୋଇପଡିବ । ଏଥିରେ ଇଣ୍ଟରନେଟ୍ ଏବଂ ବ୍ଲୁଟୁଥ୍ ଭଳି ଫିଚରକୁ ସଂଲଗ୍ନ କରାଯାଇନଥିବାରୁ ଏହାକୁ ବାହାରୁ ହ୍ୟାକ୍ କିମ୍ବା ଅପରେଟ୍ କରିବା ମଧ୍ୟ ଅସମ୍ଭବ । ସମୟ ସହ ତାଳ ଦେଇ ବିଭିନ୍ନ ପର୍ଯ୍ୟାୟରେ ଇଭିଏମ୍‌ଗୁଡ଼ିକୁ ଅପଗ୍ରେଡ୍ (ଉନ୍ନତରୁ ଉନ୍ନତତର କରାଯିବା) କରାଯିବା ଦିଗରେ ୩ଟି ଭିନ୍ନ ଭିନ୍ନ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ଅଭିଜ୍ଞ ବୈଜ୍ଞାନିକଙ୍କ ଟିମ୍ ନିରନ୍ତର ପ୍ରୟାସରତ ରହିଛନ୍ତି ।
ପ୍ରକାଶ ନିର୍ବାଚନୀ ପ୍ରକ୍ରିୟାରେ ଏପ୍ରକାର ଇଭିଏମ୍‌ର ବ୍ୟବହାର କରିବା କ୍ଷେତ୍ରରେ ଭାରତ, ବିଶ୍ୱର ପ୍ରଥମ ଦେଶ । କେରଳର ଏକ ନିର୍ବାଚନ ସମୟରେ ୧୯୮୨ରେ ପ୍ରଥମ ଥର ପାଇଁ ଏହି ଭୋଟିଂ ମେସିନ୍‌ର ଉପଯୋଗ କରାଯାଇଥିଲା । ସେହିପରି ୨୦୧୯ ପରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ପକ୍ଷରୁ ଏହି ଏମ୍ ୩ ସିରିଜ୍‌ର ଇଭିଏମ୍ ମେସିନ୍‌କୁ ନିର୍ବାଚନୀ ବ୍ୟବସ୍ଥାରେ କାର୍ଯ୍ୟକାରୀ କରାଯାଇଛି, ଯାହାକି ସବୁଠାରୁ ଉନ୍ନତ ଅଟେ । ଏହାପୂର୍ବରୁ ବ୍ୟବହୃତ୍ ହେଉଥିବା ଏମ୍ ୧ ଏବଂ ଏମ୍ ୨ ସିରିଜ୍‌ର ଇଭିଏମ୍‌କୁ ଏବେ ଅବସର ଦିଆଯାଇସାରିଛି । ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ଏକ ଇଭିଏମ୍ ୟୁନିଟ୍‌ର କାର୍ଯ୍ୟକାଳ କ୍ଷମତା ହାରାହାରି ୧୫ ବର୍ଷ ହିଁ ରହିଥିବା ବେଳେ ଏହାର ମୂଲ୍ୟ ଭାରତୀୟ ମୂଲ୍ୟ ଅନୁସାରେ ପ୍ରାୟ ୩୩,୯୩୫ ଟଙ୍କା (କଣ୍ଟ୍ରୋଲ୍ ୟୁନିଟ୍ ମୂଲ୍ୟ ୯,୮୧୨ ଟଙ୍କା, ବାଲାଟିଂ ୟୁନିଟ୍ ମୂଲ୍ୟ ୭,୯୯୧ ଟଙ୍କା ଏବଂ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପାଟ୍‌) ମେସିନ୍‌ର ମୂଲ୍ୟ ୧୬,୧୩୨ ଟଙ୍କା) ରହିଛି । ନିର୍ବାଚନ ଆୟୋଗ ୨୦୨୧-୨୦୨୩ ବର୍ଷ ମଧ୍ୟରେ ମଧ୍ୟରେ ଏହି ଏମ୍ ୩ ବର୍ଗର ଇଭିଏମ୍ କ୍ରୟ କରିବା ଉଦ୍ଦେଶ୍ୟରେ ପ୍ରାୟ ୩୯୬୦.୧୦ କୋଟି ଟଙ୍କା ଖର୍ଚ୍ଚ କରିଛି । ସେହିପରି ୨୦୨୪ ଲୋକସଭା ନିର୍ବାଚନୀ ପ୍ରକ୍ରିୟା ଅନ୍ତର୍ଗତ ମୋଟ୍ ମୋଟ୍ ୫.୫ ନିୟୁତ ଇଭିଏମ୍‌କୁ ବ୍ୟବହାର କରାଯାଉଛି ।
ସୂଚନାଯୋଗ୍ୟ, ଇଭିଏମ୍ ପ୍ରସ୍ତୁତି ଏବଂ କାର୍ଯ୍ୟକାରିତା କ୍ଷେତ୍ରରେ କାମ କରୁଥିବା ବିଶିଷ୍ଟ ଆଇଆଇଟିଆନ୍ ଟିମ୍‌ଙ୍କ ମଧ୍ୟରେ ଦିଲ୍ଲୀ ଆଇଆଇଟି ପ୍ରଫେସର ଡି ଟି ଶାହାନି ଏବଂ ପ୍ରଫେସର ଏ କେ ଅଗ୍ରୱାଲା, ଆଇଆଇଟି ଗାନ୍ଧିନଗରର ନିର୍ଦ୍ଦେଶକ ପ୍ରଫେସର ରଜତ୍ ମୁନା ଏବଂ ଆଇଆଇଟି ବମ୍ବେର ପ୍ରଫେସର ଦୀନେଶ କେ ଶର୍ମା ପ୍ରମୁଖ ଅନ୍ୟତମ । ସେନ୍ସର ଏବଂ ଯନ୍ତ୍ରପାତି ବିଶେଷଜ୍ଞ ଭାବେ ପ୍ରାୟ ୪୦ବର୍ଷର ଅଭିଜ୍ଞତାସମ୍ପନ୍ନ ପ୍ରଫେସର ଡି ଟି ଶାହାନୀଙ୍କୁ ୨୦୨୨ ମସିହାରେ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାଳନିତ କରିଛନ୍ତି । ୨୦୧୬ରୁ ସେ ଅତ୍ୟାଧୁନିକ ଇଭିଏମ୍ ଉପରେ କାମ କରିବା ଆରମ୍ଭ କରିଥିଲେ ଏବଂ ଏଥିରେ ତାଙ୍କୁ ସହଯୋଗ କରିଥିଲେ ପ୍ରଫେସର ଏ କେ ଅଗ୍ରୱାଲା । ୨୦୧୬ ପର ଠାରୁ, ପ୍ରଫେସର ଶାହାନି ଭାରତର ନିର୍ବାଚନ ଆୟୋଗ ପାଇଁ ସର୍ବଶେଷ ଇଭିଏମ୍ ଡିଜାଇନ୍ ଉପରେ ପରାମର୍ଶ ଦେବାରେ ଜଡିତ ଅଛନ୍ତି । ଉଭୟ ମିଳିତ ଭାବେ ଏମ୍ ୧, ଏମ୍ ୨ ଏବଂ ଏମ୍ ୩ ବର୍ଗର ଇଭିଏମ୍‌କୁ ବିକଶିତ କରିବାରେ ସଫଳ ହୋଇଥିଲେ । ସେହିପରି ଆଇଆଇଟି ଗାନ୍ଧିନଗରର ନିର୍ଦ୍ଦେଶକ ପ୍ରଫେସର ରଜତ୍ ମୁନା ଏବଂ ଆଇଆଇଟି ବମ୍ବେର ପ୍ରଫେସର ଦୀନେଶ କେ ଶର୍ମାଙ୍କ ଠାରେ ମଧ୍ୟ କମ୍ପ୍ୟୁଟର ବିଜ୍ଞାନ, ବୈଦ୍ୟୁତିକ ବିଜ୍ଞାନ ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ପ୍ରାୟ ୩ଦଶନ୍ଧିରୁ ଅଧିକ ସମୟ ଧରି ଅଭିଜ୍ଞତା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking