33.1 C
Bhubaneswar
Saturday, April 27, 2024
Homeଓଡିଶାଟାହିଆରେ ଟହଲିବେ କଳା ଠାକୁର, ପ୍ରସ୍ତୁତ ହେଉଛି ୨୪ଟି ଟାହିଆ

ଟାହିଆରେ ଟହଲିବେ କଳା ଠାକୁର, ପ୍ରସ୍ତୁତ ହେଉଛି ୨୪ଟି ଟାହିଆ

ପୁରୀ : ସ୍ନାନ ପୂର୍ଣ୍ଣମୀ, ଶ୍ରୀଗୁଣ୍ଡିଚା, ବାହୁଡ଼ା ଯାତ୍ରା ତଥା ନୀଳାଦ୍ରି ବିଜେ ପହଣ୍ଡି ବେଳେ ଶ୍ରୀଜିଉମାନଙ୍କ ଶ୍ରୀମସ୍ତକରେ ଶୋଭା ପାଇଥାଏ ସୁଦୃଶ୍ୟ ଟାହିଆ । ଘଣ୍ଟଘଣ୍ଟା ଓ ଅନ୍ୟାନ୍ୟ ବାଦ୍ୟ ଧ୍ୱନି ସହିତ ତାଳ ଦେଇ ପହଣ୍ଡି ବେଳେ ଟାହିଆର ଦୋଳନ ସୃଷ୍ଟି କରିଥାଏ ଅନିର୍ବଚନୀୟ ଦୃଶ୍ୟ । ଏହି ଦୃଶ୍ୟରେ ଭକ୍ତମାନେ ହୋଇଥାନ୍ତି ଆତ୍ମହରା । ଠାକୁରମାନଙ୍କ ପହଣ୍ଡି ବିଜେକୁ ଅଧିକ ଆକର୍ଷଣୀୟ କରୁଥିବା ଟାହିଆର ଅନନ୍ୟ ସ୍ୱାତନ୍ତ୍ର‌୍ୟ ରହିଛି । ଟାହିଆର କଳାକୃତି କେବଳ ଶ୍ରୀମନ୍ଦିର ପରମ୍ପରାରେ ସୀମିତ । ଶ୍ରୀଗୁଣ୍ଡିଚା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ କରାଯାଇଥାଏ ୨୪ଟି ଟାହିଆ । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ କେବଳ ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ହିଁ ଶ୍ରୀଜିଉମାନେ ସୁଦୃଶ୍ୟ ଟାହିଆ ପରିଧାନ କରି ପହଣ୍ଡି ବିଜେ ହୋଇଥାନ୍ତି ।

ସୋଲ, ଜରି ଓ ଫୁଲରେ ନିର୍ମିତ ଟାହିଆ ଦାରୁବିଗ୍ରହମାନଙ୍କୁ କରିଥାଏ ଅଧିକ ମନୋରମ । ଅକ୍ଷୟ ତୃତୀୟା ଠାରୁ ନୀଳାଦ୍ରି ବିଜେ ମଧ୍ୟରେ ଠାକୁରମାନଙ୍କ ପାଇଁ ୨୪ଟି ଛୋଟବଡ଼ ଟାହିଆ ପ୍ରସ୍ତୁତ କରାଯାଇଥାଏ । ସ୍ନାନ ପୂର୍ଣ୍ଣମୀ, ବାହୁଡ଼ା ଓ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ସମୟରେ ଚତୁର୍ଦ୍ଧା ମୂର୍ତ୍ତି ପରିଧାନ କରିଥିବା ଟାହିଆ ଛୋଟ ହୋଇଥିବା ବେଳେ ରଥଯାତ୍ରା ଓ ନୀଳାଦ୍ରି ବିଜେ ଦିନ ଶ୍ରୀଜିଉମାନେ ବଡ଼ ଟାହିଆ ପରିଧାନ କରିଥାନ୍ତି । ସ୍ନାନ ପୂର୍ଣ୍ଣମୀ ଠାରୁ ନୀଳାଦ୍ରି ବିଜେ ମଧ୍ୟରେ ଠାକୁରମାନେ ୬ଥର ଟାହିଆ ପରିଧାନ କରି ପହଣ୍ଡି ବିଜେ କରନ୍ତି । ଦେବସ୍ନାନ ପୂର୍ଣ୍ଣମୀରେ ରତ୍ନ ସିଂହାସନରୁ ଚତୁର୍ଦ୍ଧା ମୂର୍ତ୍ତି ଟାହିଆ ପରିଧାନ କରି ସ୍ନାନବେଦୀକୁ ବିଜେ କରିବେ ଓ ଅଣସର ପିଣ୍ଡିକୁ ବାହୁଡ଼ା ବିଜେ ବେଳେ ମଧ୍ୟ ମଣ୍ଡିତ ହେବେ ଟାହିଆରେ । ଗୁଣ୍ଡିଚା ଦିନ ଅଣସର ପିଣ୍ଡିରୁ ବାହାରି ସାତ ପାହାଚ ଠାରେ ଟାହିଆ ଲାଗି ହୋଇ ୩ରଥକୁ ବିଜେ କରିବେ । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ପହଞ୍ଚିବା ପରେ ଟାହିଆ ପରିହିତ ହୋଇ ଆଡ଼ପମଣ୍ଡପକୁ ବିଜେ କରିବେ । ସେହିଭଳି ବାହୁଡ଼ା ଯାତ୍ରା ଦିନ ଟାହିଆ ପରିଧାନ କରି ରଥକୁ ଠାକୁରମାନେ ବିଜେ କରିବେ ।

ନୀଳାଦ୍ରି ବିଜେ ସମୟରେ ଶ୍ରୀଜିଉମାନେ ଟାହିଆ ପରିଧାନ କରିବେ । ପରମ୍ପରା ଅନୁଯାୟୀ ଚଳିତବର୍ଷ ଅକ୍ଷୟ ତୃତୀୟା ଠାରୁ ଟାହିଆ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ସ୍ନାନ ଯାତ୍ରା ଅବସରରେ ଲାଗି ହେବା ପାଇଁ ପ୍ରସ୍ତୁତ କରାଯାଉଛି ୮ଟି ଟାହିଆ । ରଥଯାତ୍ରା ପାଇଁ ମଧ୍ୟ ୮ଟି ଟାହିଆ ପ୍ରସ୍ତୁତ କରାଯିବ । ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେ ପାଇଁ ପ୍ରସ୍ତୁତ ହେବ ଆଉ ୮ଟି ଟାହିଆ । ବେତ, ବାଉଁଶ, ସୋଲ, ଜରି, ପାଣି ରଙ୍ଗ, ପଇତା ସୂତା, ବିଭିନ୍ନ ସୁବାସିତ ପୁଷ୍ପ, ତୁଳସୀ ଓ କଦଳୀପଟୁକାରେ ଟାହିଆ ପ୍ରସ୍ତୁତ କରାଯାଇଥାଏ । ଟାହିଆଗୁଡ଼ିକର ନିର୍ଦ୍ଧିଷ୍ଟ ମାପ ରହିଛି । ଦେବୀ ସୁଭଦ୍ରାଙ୍କ ଟାହିଆର ଲମ୍ବ ଦେଢ଼ ହାତ ଓ ଓସାର ଦେଢ଼ ହାତ । ଟାହିଆର ଏହି ମାପକୁ ଟିକାନିଆ କୁହାଯାଏ । ଶ୍ରୀସୁଦର୍ଶନଙ୍କୁ ଲାଗି କରାଯାଏ ଟୋପର ବା ଚୂଳ ଆକୃତିର ଟାହିଆ । ଏହାର ଲମ୍ବ ଓ ଓସାର ଦେଢ଼ ହାତ । ଟାହିଆ ଉପରେ ଦୁବ ଓ ଫୁଲ ୭ଟି କାଠିରେ ଗୁଡ଼ାଇ ଲଗାଯାଇଥାଏ । ସୁଭଦ୍ରା ଓ ସୁଦର୍ଶନ ଏହି ଟାହିଆ ଧାରଣ କରିଥାନ୍ତି ।

ପ୍ରଭୁ ବଳଭଦ୍ରଙ୍କ ବଡ଼ ଟାହିଆର ଲମ୍ବ ସାଢ଼େ ୪ ହାତ ଏବଂ ଓସାର ୩ହାତ । ଛୋଟ ଟାହିଆର ଲମ୍ବ ସାଢ଼େ ୩ ହାତ ହୋଇଥିବା ବେଳେ ଓସାର ୩ହାତ । ଗୁଣ୍ଡିଚା ମନ୍ଦିରରେ ପ୍ରବେଶ ଓ ମନ୍ଦିରରୁ ପ୍ରସ୍ଥାନ ତଥା ସ୍ନାନ ପୂର୍ଣ୍ଣମୀରେ ୨ଠାକୁର ଏହି ଟାହିଆ ପିନ୍ଧିବେ । ବସନ୍ତ ରଣାଙ୍କ ତତ୍ତ୍ୱାବଧାନରେ ୮ଜଣ କାରିଗର ଏହି ଟାହିଆ ପ୍ରସ୍ତୁତିରେ ନିମଗ୍ନ ରହିଛନ୍ତି । ମହାପ୍ରଭୁଙ୍କ ବଡ଼ ଟାହିଆରେ ୩୭ଟି ଓ ବଳଭଦ୍ରଙ୍କ ଟାହିଆରେ ୩୧ଟି କାଠି ବ୍ୟବହୃତ ହେଉଥିବା ବେଳେ ଶ୍ରୀଜଗନ୍ନାଥଙ୍କ ଛୋଟ ଟାହିଆରେ ୨୫ ଓ ବଳଭଦ୍ରଙ୍କ ଟାହିଆରେ ୨୧ଟି କାଠି ବ୍ୟବହାର କରାଯାଉଛି । ଟାହିଆ ନିର୍ମାଣର ଶୈଳୀ ସ୍ୱତନ୍ତ୍ର । ବାଉଁଶ ଚଞ୍ଛାଯାଇ ଏହି ସବୁ କାଠି ତିଆରି କରାଯାଏ । ବେତରେ ଫୋଡ଼ କରାଯାଇ କଦଳୀପଟୁକା ବନ୍ଧାଯାଏ । ପ୍ରଥମେ ସୋଲର ଫୁଲ ତାପରେ ତୀର, ପଦ୍ମପାଖୁଡ଼ା, ଚଉକ, ରଙ୍ଗଣୀ ଓ ପାନଖିଲ ସଦୃଶ ଅମୃତ ଭଣ୍ଡି ତା ଉପରେ ମାଧବୀ ପତ୍ର, ତା ଉପରେ ସୋଲ ତିଆରି କଦମ ଫୁଲ ଓ ପାନପତ୍ର ଲଗାଯାଏ । ଟାହିଆ ପ୍ରସ୍ତୁତି ପାଇଁ ସୋଲ ଆସେ ଉର ଓ ଛଇତନା ଅଞ୍ଚଳରୁ । ଟାହିଆ ତିଆରି ପାଇଁ ସୋଲ ଓ ବେତ ବ୍ୟତୀତ ଜରି, କେବଳ ଲାଲ ପାଣି ରଙ୍ଗ ଓ ରଙ୍ଗଣୀ ଫୁଲ ମୁଖ୍ୟତଃ ବ୍ୟବହୃତ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking