29.1 C
Bhubaneswar
Saturday, May 4, 2024
Homeଓଡିଶାସଜେଇ ହେଉଛି ସ୍ନାନବେଦୀ, ସ୍ନାନଯାତ୍ରାରେ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ

ସଜେଇ ହେଉଛି ସ୍ନାନବେଦୀ, ସ୍ନାନଯାତ୍ରାରେ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ

ପୁରୀ : ଆସନ୍ତା ୨୪ତାରିଖ ଦିନ ଜ୍ୟେଷ୍ଠ ପୂର୍ଣ୍ଣମୀ ଅବସରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା । ରତ୍ନ ସିଂହାସନରୁ ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପକୁ ବିଜେ କରିବେ ଓ ପାରମ୍ପରିକ ବିଧିବିଧାନ ସହକାରେ ସୁନାକୂପରୁ ଅଣାଯାଇଥିବା ୧୦୮ ଗଡ଼ୁ ସୁବାସିତ ଜଳରେ ଠାକୁରମାନଙ୍କୁ ସ୍ନାନ କରାଯିବ । ସ୍ନାନ ମଣ୍ଡପରେ ଠାକୁରମାନେ ହାତୀବେଶରେ ସଜ୍ଜିତ ହେବେ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ସ୍ନାନଯାତ୍ରା ପାଇଁ ପ୍ରସ୍ତୁତ ହେଉଛି ସ୍ନାନବେଦୀ । ଚଟାଣ ମରାମତି କରାଯିବା ସଙ୍ଗେ ସଙ୍ଗେ ସ୍ନାନବେଦୀର କାନ୍ଥ ରଙ୍ଗ କରାଯାଉଛି । ଏଏସଆଇ ପକ୍ଷରୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସ୍ନାନବେଦୀର ମରାମତି କାର୍ଯ୍ୟ । ସମୟାନୁବର୍ତ୍ତିତା ସହକାରେ ସୁରୁଖୁରୁରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ସମାପନ ପାଇଁ ବିଭିନ୍ନ ସେବାୟତ ନିଯୋଗର କର୍ମକର୍ତ୍ତାଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିଛି । କରୋନା ସଂକ୍ରମଣ ଯୋଗୁଁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସମ୍ପନ୍ନ ହେବ ସ୍ନାନଯାତ୍ରା ।

କେବଳ କରୋନା ସଂକ୍ରମିତ ହୋଇନଥିବା ପାଳିଆ ସେବାୟତମାନଙ୍କୁ ନେଇ ସ୍ନାନଯାତ୍ରା କରାଯିବ । ଇତି ମଧ୍ୟରେ ମୁଖ୍ୟ ପ୍ରଶାସକ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ, ଦଇତାପତି ନିଯୋଗର କର୍ମକର୍ତ୍ତା ଓ ୪ ବାଡ଼ଗ୍ରାହୀଙ୍କ ସହ ଆଲୋଚନା କରିଛନ୍ତି । ସ୍ନାନଯାତ୍ରା ପାଇଁ ପୁରୀ ସହରକୁ ୭ଟି ଜୋନରେ ବିଭକ୍ତ କରାଯାଇଛି । ଯାତ୍ରା ପରିପ୍ରେକ୍ଷୀରେ ୩ପ୍ରକାର କର୍ଡ଼ନର ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଅଞ୍ଚଳ ଇନର କର୍ଡ଼ନରେ ରହିବ । ମନ୍ଦିର ସଂଲଗ୍ନ ସାହିଗୁଡ଼ିକ ମିଡ଼ିଲ କର୍ଡ଼ନ ଓ ଯାନବାହନ ରହୁଥିବା ସ୍ଥାନକୁ ଆଉଟର କର୍ଡ଼ନରେ ରଖାଯିବ । ପ୍ରାୟ ୩୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ସ୍ନାନ ପୂର୍ଣ୍ଣର୍ମୀ ପରିପ୍ରେକ୍ଷୀରେ କରାଯାଉଥିବା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଆରକ୍ଷୀ ଅଧିକ୍ଷକ ଡ଼ଃ. କେ ବିଶାଲ ସିଂ ପ୍ରକାଶ କରିଛନ୍ତି ଯେ ସେବାୟତମାନେ କିପରି ସୁବିଧାରେ ମନ୍ଦିରରେ ପ୍ରବେଶ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ । ସମୟାନୁସାରେ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନ ହେବ ।

କାହାର ଯେପରି କୌଣସି ସମସ୍ୟା ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ । ପାସ୍‌ଧାରୀମାନେ କେଉଁ ସ୍ଥାନରେ ରହିବେ ଓ କେଉଁଠା ପର୍ଯ୍ୟନ୍ତ ପ୍ରବେଶ କରିପାରିବେ ସେଥିପ୍ରତି ଗରୁତ୍ୱ ଦିଆଯିବ । କୋଭିଡ଼ ଗାଇଡ଼ଲାଇନ ପାଳନ କରାଯିବା ସଙ୍ଗେ ସଙ୍ଗେ ଗହଳି ହେବାକୁ ଦିଆଯିବ ନାହିଁ । ଜନସାଧାରଣଙ୍କ ଯାତାୟତରେ ଯେପରି କୌଣସି ସମସ୍ୟା ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ । ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଯାତାୟତ କରିପାରିବେ । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସବୁପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ପ୍ରକାଶ କରିବା ସଙ୍ଗେ ସଙ୍ଗେ ପ୍ରଶାସନକୁ ସହଯୋଗ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking