33.1 C
Bhubaneswar
Friday, May 17, 2024
Homeଓଡିଶାରଥଖଳାରେ ୩ରଥର ଚକଡ଼େରା ଓ ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପୂର୍ଣ୍ଣ

ରଥଖଳାରେ ୩ରଥର ଚକଡ଼େରା ଓ ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପୂର୍ଣ୍ଣ

ପୁରୀ : ରଥଯାତ୍ରା ପାଖେଇ ଆସିବା ସଙ୍ଗେ ସଙ୍ଗେ ସରି ସରି ଆସୁଛି ରଥ ନିର୍ମାଣ କାମ । ଶନିବାର ସୁଦ୍ଧା ରଥଖଳାରେ ୩ରଥର ଚକଡ଼େରା ଓ ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ନେତ୍ରୋତ୍ସବ ବା ଉଭାଯାତ୍ରା ଦିନ ୩ରଥ ସିଂହଦ୍ୱାର ଠାରେ ବିନା ବାଧାରେ ପହଞ୍ଚିବା ପାଇଁ ଦିଗ ନିର୍ଣ୍ଣୟ କରାଯାଇ ଚକ ଅଖଗୁଡ଼ିକୁ ସେଟିଂ କରାଯାଇଛି । ଶନିବାର ଦିନ ୧୯୬ଜଣ ରଥ ସେବକ ୩ରଥର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୭୮ଜଣ ମହାରଣା, ୭୬ଜଣ ଭୋଇ ସେବକ, ୪ଜଣ କରତି ସେବକ, ଜଣେ ପାହି ମହାରଣା, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୯ଜଣ ରୂପକାର ସେବକ, ଜଣେ ରଥଖଳା ସହାୟକ ଓ ୧୫ଜଣ ଓଝା ବା କମାର ସେବକ ନିୟୋଜିତ ହୋଇଥିଲେ । ୩ରଥର ଦଣ୍ଡା ବା ଫ୍ରେମଗୁଡ଼ିକରେ ପରୀକ୍ଷାମୂଳକ ଭାବେ ବିଭିନ୍ନ ଅଂଶ ସଂଯୋଗ କରାଯାଇଥିଲା । ଦଣ୍ଡା ଫ୍ରେମ, ଚକ- ଅଖର ଉପରିଭାଗରେ ପୁନର୍ବାର ଖଞ୍ଜାଯିବା ପାଇଁ ପ୍ରସ୍ତୁତ କରି ରଖାଯାଇଛି ।

ଏଥିସହିତ ୩ରଥର ୭ଟି ଲେଖାଏଁ ଯୋଖା ନିର୍ମାଣ ଶେଷ ହୋଇଛି । ସୂଚନାଯୋଗ୍ୟ ଯେ ତାଳଧ୍ୱଜ ରଥରେ ୧୬ଟି, ଦେବଦଳନ ରଥରେ ୧୨ଟି ଓ ନନ୍ଦିଘୋଷ ରଥରେ ୧୬ଟି ଯୋଖା ଲାଗିଥାଏ । ସେହିଭଳି ୩ରଥର ୨ଟି ଲେଖାଏଁଗରଗରାରେ ବିନ୍ଧ ଖୋଦେଇ କାର୍ଯ୍ୟ ଶେଷ ହୋଇଛି । ୩ରଥର ଚାର ପରିଛା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଚାର ପରିଛା ରଥରେ ଚାରବନ୍ଧା ଓ ଘୋଡ଼ାବନ୍ଧା ବେଳେ ଘୋଡ଼ାର ପଛଭାଗରେ ରହିଥାଏ । ଶନିବାର ସୁଦ୍ଧା ୩ରଥର ଗୋଟିଏ ଲେଖାଏଁ ଧମକର ଚଉପଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହା ଗୟଳ ଓ ୪ନାହାକାକୁ ବାନ୍ଧି ରଖିବା ପାଇଁ ଆଗ ଓ ପଛପାଶ୍ୱର୍ରେ ଲାଗିଥାଏ ।

୩ରଥର ପ୍ରଭା ଅପସରାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଭା ଅପସରା ଉପରେ ଠାକୁରଙ୍କ ଆସ୍ଥାନ ପ୍ରଭା ଖଞ୍ଜାଯାଏ । ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୨ଟି ଲେଖାଏଁ ପୋଲଗୟଳ ଚଉପଟ କାର୍ଯ୍ୟ ଇତି ମଧ୍ୟରେ ଶେଷ ହୋଇଛି । ଦେବଦଳନ ରଥର ପୋଲ ଗୟଳ ଦୋଳବେଦୀ ଠାରେ ଚିରଟ ପୂର୍ବରୁ ଏହି କାଠର ବାରିଶିରେ ସମତୁଲ କରିବା କାର୍ଯ୍ୟ ଚାଲିଛି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ମହାରଣାମାନଙ୍କ ଦ୍ୱାରା ଚାଲିଛି କଣ୍ଟା ତିଆରି । ଓଝା ସେବକମାନେ ୩ରଥର ଦଣ୍ଡା, କଣ୍ଟା, ଆଗ ପାତେଳୀ କଣ୍ଟା ଓ ଚଉରସ କଣ୍ଟା ନିର୍ମାଣ ଶେଷ କରିଛନ୍ତି । ଏଥିସହିତ ଯୋଖା କଣ୍ଟା, ଗୟଳ କଣ୍ଟା ଓ ଛନ୍ଦା ଗୟଳ କଣ୍ଟା ତିଆରି କାମ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking