ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶନିବାର ଆନ୍ଦୋଳନ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ରାଜଧାନୀରେ ରାତିସାରା ୧୦୦୦ରୁ ଅଧିକ ଲୋକଙ୍କୁ ପୋଲିସ ଅଟକ ରଖିଛି। ଦିଲ୍ଲୀ ବିମାନବନ୍ଦରରେ ସିଜେପି ନେତା ଅଭିଜିତ ଦୀପକେଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ । ୟୁଟ୍ୟୁବର ଧ୍ରୁବ ରାଠିଙ୍କୁ ଦିଲ୍ଲୀ ପୋଲିସ ଗୁରୁଗ୍ରାମର ସେକ୍ଟର ୫୬ ସ୍ଥିତ ତାଙ୍କ ବାସଭବନରୁ ଅଟକ ରଖିଛି। ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିବା ପରେ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ମଧ୍ୟ ଅଟକ ରଖାଯାଇଛି। ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପୋଲିସ ମୁତୟନ ବଢ଼ାଯିବା ସହ ସହରର ପ୍ରବେଶ ପଥ ଓ ସୀମାନ୍ତ ଅଞ୍ଚଳରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଇସ୍ତଫା ଦିଅନ୍ତୁ ବୋଲି ଆନ୍ଦୋଳନକାରୀମାନେ ଦାବି କରୁଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଯୋଜନା ପ୍ରସ୍ତୁତ କରାଯାଇଛି।










