ଲଣ୍ଡନ: ଓଡ଼ିଶାରେ ଜନ୍ମିତ ଉଦ୍ୟୋଗୀ ତଥା ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ କ୍ୟାପ୍ଟେନ୍ ଅରୁଣ କରଙ୍କୁ ୨୦୨୬ ପାଇଁ ‘ଟପ୍ ୫୦ ମୋଷ୍ଟ ଆମ୍ବିସିଅସ୍ ବିଜନେସ୍ ଲିଡର୍ସ’ ତାଲିକାରେ ସ୍ଥାନ ମିଳିଛି। ବ୍ରିଟେନ୍ଭିତ୍ତିକ ଟେକ୍ନୋଲୋଜି କମ୍ପାନୀ ଏକ୍ସପର୍ଟନେଷ୍ଟର ପ୍ରତିଷ୍ଠାତା ଅରୁଣ କଟକରେ ଜନ୍ମଗ୍ରହଣ କରିଛନ୍ତି। ଓଡ଼ିଶାରୁ ଆରମ୍ଭ ହୋଇଥିବା ତାଙ୍କ ଯାତ୍ରା ଭାରତୀୟ ସେନାରୁ ବ୍ରିଟେନ୍ର ଉଦ୍ୟୋଗ ଜଗତ ପର୍ଯ୍ୟନ୍ତ ପହଞ୍ଚିଛି। ଏବେ ତାଙ୍କ ଏହି ଯାତ୍ରା ବ୍ରିଟେନ୍ର ପ୍ରମୁଖ ବ୍ୟବସାୟିକ ମଞ୍ଚରେ ସ୍ୱୀକୃତି ହାସଲ କରିଛି।ଲଏଡ୍ସ ବ୍ୟାଙ୍କିଂ ଗ୍ରୁପ୍ର ଅଂଶ ଏଲ୍ଡିସି ପକ୍ଷରୁ ‘ଦ ଟାଇମ୍ସ’ ସହଭାଗିତାରେ ଆୟୋଜିତ ‘ଦ ଏଲ୍ଡିସି ଟପ୍ ୫୦’ କାର୍ଯ୍ୟକ୍ରମ ଅନ୍ତର୍ଗତ ଲଣ୍ଡନର ବାଫ୍ଟାରେ ଆୟୋଜିତ ସମାରୋହରେ ଅରୁଣଙ୍କୁ ବ୍ରିଟେନ୍ର ବିଭିନ୍ନ ଅଞ୍ଚଳର ପ୍ରମୁଖ ଉଦ୍ୟୋଗୀ ଓ ବ୍ୟବସାୟୀ ନେତାଙ୍କ ସହ ସମ୍ମାନିତ କରାଯାଇଥିଲା। ଲଏଡ୍ସ ବ୍ୟାଙ୍କିଂ ଗ୍ରୁପ୍ର ଅଂଶ ଥିବା ପ୍ରାଇଭେଟ୍ ଇକ୍ୱିଟି ନିବେଶକ ଏଲ୍ଡିସି, ‘ଦ ଟାଇମ୍ସ’ ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛି। ୨୦୧୮ରୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶହ ଶହ ଉଲ୍ଲେଖନୀୟ ଉଦ୍ୟୋଗୀଙ୍କ ଉଚ୍ଚାକାଂକ୍ଷା ଓ ସଫଳତାକୁ ସମ୍ମାନିତ କରାଯାଇଆସୁଛି।
ଏହି ତାଲିକାରେ ସ୍ଥାନ ପାଇଥିବା ବ୍ୟବସାୟୀମାନେ ବ୍ୟବସାୟର ବିକାଶ ଓ ବିସ୍ତାର ସହ ଦୀର୍ଘମିଆଦୀ ଭିତ୍ତିରେ ମଜବୁତ ବ୍ୟବସାୟ ଗଢ଼ିବାରେ ଗୁରୁତ୍ୱ ଦେଉଛନ୍ତି। ସେମାନେ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ ବଢ଼ାଇବା ସହ ନୂଆ ଉତ୍ପାଦ ଓ ସେବା ବିକଶିତ କରୁଛନ୍ତି। ପ୍ରଚଳିତ ବଜାରରେ ନୂଆ ସୁଯୋଗ ସୃଷ୍ଟି କରିବା ସହ କର୍ମଚାରୀଙ୍କ ବିକାଶରେ ମଧ୍ୟ ନିବେଶ କରୁଛନ୍ତି। ଏହି ପଦକ୍ଷେପ ବ୍ରିଟେନ୍ର ଅର୍ଥନୀତିକୁ ଅଧିକ ମଜବୁତ ଓ ପ୍ରତିସ୍ପର୍ଦ୍ଧୀ କରିବାରେ ସହାୟକ ହେଉଛି।
ଏହି ୫୦ ଜଣ ବ୍ୟବସାୟୀଙ୍କ କମ୍ପାନୀଗୁଡ଼ିକ ମିଶି ବର୍ଷକୁ ୧.୪ ବିଲିୟନ୍ ପାଉଣ୍ଡ ଆୟ କରୁଛନ୍ତି ଏବଂ ପ୍ରାୟ ୮,୫୦୦ ଲୋକଙ୍କୁ ରୋଜଗାର ଦେଉଛନ୍ତି। ଏହି କମ୍ପାନୀଗୁଡ଼ିକର ମୁଖ୍ୟାଳୟ ବ୍ରିଟେନ୍ର ୫୫ଟି ସହର ଓ ଅଞ୍ଚଳରେ ରହିଛି। ଏହା ବ୍ରିଟେନ୍ର ଅର୍ଥନୀତି ଓ ସ୍ଥାନୀୟ ଅଞ୍ଚଳର ବିକାଶରେ ମଧ୍ୟମ ଆକାରର ବ୍ୟବସାୟଗୁଡ଼ିକର ଅବଦାନକୁ ଦର୍ଶାଉଛି।ଅରୁଣ କରଙ୍କ ଉଦ୍ୟୋଗୀ ହେବାର ଯାତ୍ରା ଅନ୍ୟମାନଙ୍କଠାରୁ ଟିକେ ଭିନ୍ନ। ସେ ପୂର୍ବରୁ ଭାରତୀୟ ସେନାରେ ଅଧିକାରୀ ଭାବେ କାମ କରୁଥିଲେ। କିନ୍ତୁ ଏକ ସ୍ୱାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ତାଙ୍କ ସେନା ଜୀବନ ଅଧାରୁ ଶେଷ ହୋଇଯାଇଥିଲା। ଏହା ପରେ ସେ ବ୍ୟବସାୟ କ୍ଷେତ୍ରରେ ପାଦ ରଖିଥିଲେ। ୨୦୧୬ରେ ବ୍ରିଟେନ୍ରେ ଏକ୍ସପର୍ଟନେଷ୍ଟ ଆରମ୍ଭ କରି ସେ ପ୍ରଯୁକ୍ତି ଓ ନୂଆ ଚିନ୍ତାଧାରା ମାଧ୍ୟମରେ ବାସ୍ତବ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ।
ଅରୁଣଙ୍କ ବାପା ଡ. ମନୋରଞ୍ଜନ କର ଓ ମାଆ ରଶ୍ମିରେଖା କର କହିଛନ୍ତି, “ସେନା ଜୀବନରୁ ଉଦ୍ୟୋଗୀ ହେବା ପର୍ଯ୍ୟନ୍ତ ଅରୁଣଙ୍କ ଯାତ୍ରାକୁ ଅତି ନିକଟରୁ ଦେଖିବା ଆମ ପାଇଁ ଏକ ଭାବପ୍ରବଣ ଅନୁଭୂତି। ସେ ଯେଉଁ ଦୃଢ଼ତା ଓ ସାହସ ଦେଖାଇଛନ୍ତି, ତାହା ପାଇଁ ଆମେ ଗର୍ବିତ। ଏହି ଯାତ୍ରା ତାଙ୍କୁ ଆଜି ଯେଉଁ ସ୍ଥାନରେ ପହଞ୍ଚାଇଛି, ତାହା ଆମ ପାଇଁ ନିଶ୍ଚିତ ଭାବେ ଗର୍ବର ବିଷୟ।”ବର୍ତ୍ତମାନ ଏକ୍ସପର୍ଟନେଷ୍ଟ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ସ୍ୱୟଂଚାଳିତ ପ୍ରଯୁକ୍ତି, ଡାଟା ବିଶ୍ଳେଷଣ ଓ ଡିଜିଟାଲ୍ ପରିବର୍ତ୍ତନ କ୍ଷେତ୍ରରେ କାମ କରୁଛି। କମ୍ପାନୀର କାର୍ଯ୍ୟକ୍ଷେତ୍ର ମଧ୍ୟ ଧୀରେ ଧୀରେ ଅନ୍ତର୍ଜାତୀୟ ସ୍ତରରେ ବଢ଼ୁଛି। ଅରୁଣ କର କହିଛନ୍ତି, “ବ୍ରିଟେନ୍ର ଅନେକ ପ୍ରେରଣାଦାୟୀ ବ୍ୟବସାୟୀ ନେତାଙ୍କ ସହ ଏଲ୍ଡିସି ଟପ୍ ୫୦ରେ ସ୍ଥାନ ପାଇବା ମୋ ପାଇଁ ଗର୍ବର ବିଷୟ। ଉଦ୍ୟୋଗୀ ହେବା ମୋର ପ୍ରଥମ ଯୋଜନା ନଥିଲା। ସେନାରୁ ବ୍ୟବସାୟକୁ ଆସିବା ମୋ ପାଇଁ ଏକ ନୂଆ ଅନୁଭୂତି ଥିଲା ଏବଂ ଏଥିରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ଥିଲା। କିନ୍ତୁ ସେନାରୁ ଶିଖିଥିବା ଦୃଢ଼ତା, ଟିମ୍ରେ କାମ କରିବାର ଭାବନା ଓ ଲକ୍ଷ୍ୟ ଉପରେ ଧ୍ୟାନ ରଖିବାର ଅଭ୍ୟାସ ଆଜି ବି ମୋତେ ଆଗକୁ ବଢ଼ିବାରେ ସହାୟତା କରୁଛି।”
ନିଜ ଯାତ୍ରାକୁ ମନେ ପକାଇ ଅରୁଣ କର ଏକ୍ସପର୍ଟନେଷ୍ଟର ବିକାଶକୁ ଏକ ସରଳ ଉଦାହରଣ ଦେଇ ବୁଝାଇଛନ୍ତି। ବଡ଼ ‘ୟୁନିକର୍ଣ୍ଣ’ କମ୍ପାନୀ ଗଢ଼ିବା ତାଙ୍କ ଲକ୍ଷ୍ୟ ହୋଇପାରେ, କିନ୍ତୁ ଏକ୍ସପର୍ଟନେଷ୍ଟର ଆରମ୍ଭ ସେ ‘ଓଟ’ ଭଳି ହୋଇଥିବା କହିଛନ୍ତି। ତାଙ୍କ କହିବା ଅନୁସାରେ, ଓଟ କଠିନ ପରିସ୍ଥିତିରେ ମଧ୍ୟ ଟିକି ରହିପାରେ, ପାଣି ଅଭାବକୁ ସହିପାରେ ଏବଂ ଧୀରେ ଧୀରେ ନିଜ ଗନ୍ତବ୍ୟ ଆଡ଼କୁ ଆଗକୁ ବଢ଼ିଚାଲେ। ସେହିପରି, ଏକ୍ସପର୍ଟନେଷ୍ଟ ମଧ୍ୟ ଆରମ୍ଭରୁ ବଡ଼ ହେବା ଅପେକ୍ଷା ଦୃଢ଼ ଭାବେ ଟିକି ରହି, ପରିସ୍ଥିତି ସହ ଖାପ ଖୁଆଇ ଧୀରେ ଧୀରେ ଆଗକୁ ବଢ଼ିଛି।
ଏକ୍ସପର୍ଟନେଷ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତଥା ଅରୁଣ କରଙ୍କ ପତ୍ନୀ ନିଧି କର କହିଛନ୍ତି, “ମୁଁ ଏହି ଯାତ୍ରାକୁ ଅତି ନିକଟରୁ ଦେଖିଛି। ଏଥିରେ ଥିବା ଚ୍ୟାଲେଞ୍ଜ, ଦୃଢ଼ତା ଓ ଆଗକୁ ବଢ଼ିବାର ବିଶ୍ୱାସକୁ ମୁଁ ନିଜ ଆଖିରେ ଦେଖିଛି। ଏହି ସ୍ୱୀକୃତି ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ।” ଗତ କିଛି ବର୍ଷ ମଧ୍ୟରେ ଏକ୍ସପର୍ଟନେଷ୍ଟ ନିଜର ପ୍ରଯୁକ୍ତି କ୍ଷମତା ସହ ବ୍ୟବସାୟକୁ ମଧ୍ୟ ବିସ୍ତାର କରିଛି। ବ୍ରିଟେନ୍କୁ ମୁଖ୍ୟ ଆଧାର କରି କମ୍ପାନୀ ଅନ୍ତର୍ଜାତୀୟ ବଜାରରେ ନିଜର ଉପସ୍ଥିତି ବଢ଼ାଇଛି। ଭାରତର ନୋଏଡା ଓ ଅହମଦାବାଦରେ କାର୍ଯ୍ୟକ୍ଷେତ୍ରକୁ ମଜବୁତ କରିବା ସହ ଆମେରିକାରେ ମଧ୍ୟ ଏକ ସଂସ୍ଥା ଆରମ୍ଭ କରିଛି। ଏଥିସହ କମ୍ପାନୀ ନିଜସ୍ୱ ଏଆଇ ଆଧାରିତ ଉତ୍ପାଦ ଓ ନୂଆ ପ୍ରଯୁକ୍ତି ବିକାଶ ଉପରେ ମଧ୍ୟ ନିବେଶ ବଢ଼ାଉଛି।
ଏକ୍ସପର୍ଟନେଷ୍ଟର ପ୍ରତିଷ୍ଠାତା ତଥା ସିଟିଓ ଚିନ୍ତନ ପନାରା କହିଛନ୍ତି, “ବାସ୍ତବ ସମସ୍ୟାର ସମାଧାନ ଉପରେ ଧ୍ୟାନ ରଖି ଅରୁଣ ସବୁବେଳେ ଆମକୁ ବଡ଼ ଭାବିବାକୁ ପ୍ରେରଣା ଦେଇଛନ୍ତି। ଏହି ସ୍ୱୀକୃତି ତାଙ୍କର ସେହି ଆକାଂକ୍ଷାକୁ ପ୍ରତିଫଳିତ କରୁଛି।” ଅରୁଣ କର କହିଛନ୍ତି, ଆଗକୁ ଏକ୍ସପର୍ଟନେଷ୍ଟର ବ୍ୟବସାୟ ବଢ଼ାଇବା ସହ ଏହାର ପ୍ରଭାବ ଲୋକଙ୍କ ଜୀବନରେ ମଧ୍ୟ ଦେଖାଯିବା ତାଙ୍କ ଲକ୍ଷ୍ୟ। ସେ କହିଛନ୍ତି, “ମୋ ପାଇଁ କେବଳ ବ୍ୟବସାୟ ବଢ଼ିବା ଯଥେଷ୍ଟ ନୁହେଁ। ଏହି ବିକାଶ ଯେପରି ଲୋକଙ୍କ ପାଇଁ ନୂଆ ସୁଯୋଗ ଆଣିବ, ଗ୍ରାହକଙ୍କ ବାସ୍ତବ ସମସ୍ୟାର ସମାଧାନ କରିବ ଏବଂ ସକାରାତ୍ମକ ପରିବର୍ତ୍ତନ ଆଣିପାରୁଥିବା ପ୍ରଯୁକ୍ତି ବିକଶିତ କରିବ, ସେଥିପାଇଁ ଆମେ କାମ କରିବୁ।”
ଏକ୍ସପର୍ଟନେଷ୍ଟର ମୁଖ୍ୟ ଇନୋଭେସନ୍ ଅଫିସର ରିଙ୍କି ସିଂହ କହିଛନ୍ତି, “ଅରୁଣଙ୍କ ଲକ୍ଷ୍ୟ ଆମ ସମସ୍ତଙ୍କୁ ପ୍ରଭାବିତ କରେ। ସେ ସବୁବେଳେ ଆମକୁ ନୂଆ ଭାବନା ଆଣିବା, ଭିନ୍ନ ଭାବେ ଚିନ୍ତା କରିବା ଏବଂ ସମାଜରେ ଅର୍ଥପୂର୍ଣ୍ଣ ପ୍ରଭାବ ପକାଇପାରୁଥିବା ପ୍ରଯୁକ୍ତି ବିକଶିତ କରିବାକୁ ପ୍ରେରଣା ଦିଅନ୍ତି।” ଏଲ୍ଡିସିର ମ୍ୟାନେଜିଂ ପାର୍ଟନର ଜନ୍ ଗାର୍ନର କହିଛନ୍ତି, “ଚଳିତ ବର୍ଷର ଏଲ୍ଡିସି ଟପ୍ ୫୦ର ବିଶେଷତ୍ୱ ହେଉଛି, ଏହି ବ୍ୟବସାୟୀମାନେ ଏପର୍ଯ୍ୟନ୍ତ ଅନେକ ସଫଳତା ହାସଲ କରିଥିଲେ ମଧ୍ୟ ଆହୁରି ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ବ୍ରିଟେନ୍ର ବିଭିନ୍ନ ସ୍ଥାନରେ ସେମାନେ ନୂଆ ସୁଯୋଗ ଖୋଜୁଛନ୍ତି, ନିଜ କର୍ମଚାରୀଙ୍କ ବିକାଶ ପାଇଁ ନିବେଶ କରୁଛନ୍ତି ଏବଂ ଭବିଷ୍ୟତ ପାଇଁ ବ୍ୟବସାୟକୁ ଆହୁରି ମଜବୁତ କରୁଛନ୍ତି। ଚଳିତ ବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ସମସ୍ତ ବ୍ୟବସାୟୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କ ଆଗାମୀ ସଫଳତା କାମନା କରୁଛି।”
ଅରୁଣ କର କହିଛନ୍ତି, ଏହି ସମ୍ମାନ କେବଳ ତାଙ୍କର ନୁହେଁ, ଏକ୍ସପର୍ଟନେଷ୍ଟ ସହ ଜଡ଼ିତ ସମସ୍ତଙ୍କ ସଫଳତା। ସେ କହିଛନ୍ତି, “ଏଭଳି ସମ୍ମାନରେ ପ୍ରତିଷ୍ଠାତାଙ୍କ ନାମ ଆଗକୁ ଆସେ, କିନ୍ତୁ କୌଣସି ବ୍ୟବସାୟ ଜଣେ ବ୍ୟକ୍ତି ଏକା ଗଢ଼ିପାରନ୍ତି ନାହିଁ। ଏକ୍ସପର୍ଟନେଷ୍ଟକୁ ଆଜିର ସ୍ଥାନରେ ପହଞ୍ଚାଇବାରେ ଆମ କର୍ମଚାରୀ, ଗ୍ରାହକ, ସହଯୋଗୀ ଏବଂ ଆମ ଉପରେ ବିଶ୍ୱାସ ରଖିଥିବା ସମସ୍ତଙ୍କ ଅବଦାନ ରହିଛି। ଏହି ସମ୍ମାନ ନିଶ୍ଚିତ ଭାବେ ଆମ ପାଇଁ ଗର୍ବର ମୁହୂର୍ତ୍ତ। ତେବେ ଆମର ଯାତ୍ରା ଏଠାରେ ଶେଷ ହୋଇନାହିଁ, ଆଗକୁ ଆହୁରି ଅନେକ କିଛି କରିବାକୁ ଅଛି।”
ଏଲ୍ଡିସି ସମ୍ପର୍କରେ, ଏଲ୍ଡିସି ବ୍ରିଟେନ୍ରେ ନୂଆ ସ୍ୱପ୍ନ ଓ ବଡ଼ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଥିବା ବ୍ୟବସାୟୀଙ୍କ ପାଇଁ ଏକ ବିଶ୍ୱସନୀୟ ନିବେଶ ସହଯୋଗୀ। ଲଏଡ୍ସ ବ୍ୟାଙ୍କିଂ ଗ୍ରୁପ୍ର ଅଂଶ ଭାବେ ଏଲ୍ଡିସି ବିଭିନ୍ନ କ୍ଷେତ୍ରର ଶହ ଶହ ମଧ୍ୟମ ଆକାରର କମ୍ପାନୀ ସହ କାମ କରୁଛି। ନିବେଶ, ବିଶେଷଜ୍ଞ ପରାମର୍ଶ ଓ ସହଯୋଗ ମାଧ୍ୟମରେ ଏହି କମ୍ପାନୀଗୁଡ଼ିକୁ ନୂଆ ସୁଯୋଗ ଖୋଜିବା, ବ୍ୟବସାୟ ବଢ଼ାଇବା ଏବଂ ନିଜ ଲକ୍ଷ୍ୟକୁ ସଫଳତାରେ ପରିଣତ କରିବାରେ ଏଲ୍ଡିସି ସହଯୋଗ କରୁଛି।










