ଭୁବନେଶ୍ୱର: ପାଣି ଟାଙ୍କି ସଫା କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ। ଭୁବନେଶ୍ୱର ସୁନ୍ଦରପଦାସ୍ଥିତ ହାଇଟେକ୍ ପ୍ଲାଜାରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଶ୍ରମିକ ହେଉଛନ୍ତି ୨୫ ବର୍ଷୀୟ ଆଶିଷ ରାଉତରାୟ। ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗ ଷ୍ଟେସନ ନିକଟ ପଞ୍ଚୁପଲ୍ଲା ଗାଁରେ। ସେ ଲକ୍ଷ୍ମୀସାଗର ଅଞ୍ଚଳରେ ଭଡ଼ା ଘରେ ରହି ଗତ ୪ ବର୍ଷ ହେବ ପାଇପ୍ଲାଇନ୍ କାମ କରୁଥିଲେ।ସୂଚନା ଅନୁଯାୟୀ, ଆଜି ସକାଳେ ହାଇଟେକ୍ ପ୍ଲାଜାରେ ପାଣି ଟାଙ୍କି ସଫା କରୁଥିବା ସମୟରେ ଆଶିଷ ଅସାବଧାନତାବଶତଃ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଏହା ଦେଖି ତାଙ୍କ ସହ କାମ କରୁଥିବା ଅନ୍ୟ ଶ୍ରମିକମାନେ ତୁରନ୍ତ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଆଶିଷଙ୍କ ପରିବାର ଲୋକ ହସ୍ପିଟାଲରେ ପହଞ୍ଚିଛନ୍ତି। ତାଙ୍କ ମୃତ୍ୟୁ ଖବରରେ ପରିବାର ଓ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।










