ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ତଥା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳର ଭିଜିଟର୍ ରାମନାଥ କୋବିନ୍ଦ ଶୁକ୍ରବାର ୧୨ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭାଇସ୍ କୁଳପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଶୁକ୍ରବାର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ଭାବେ ଏହି ସୂଚନା ପ୍ରଦାନ କରାଯାଇଛି । ଗୁରୁବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାରେ ସୂଚନା ଦେଇଥିଲେ ଯେ ମୋଟ ୨୨ଟି କେନ୍ଦ୍ରୀୟ ବିଦ୍ୟାଳୟରେ କୁଳପତି ପଦବୀ ଖାଲି ପଡ଼ିଛି । ଏହା ମଧ୍ୟରୁ ୧୨ଟି ପଦବୀରେ ନିଯୁକ୍ତି ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ନାମ ଚୂଡ଼ାନ୍ତ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ପୂର୍ଣ୍ଣକାଳୀନ କୁଳପତିଙ୍କ ବିନା ଚାଲିଥିବା ୧୦ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଜବାହରଲା ନେହରୁ ବିଶ୍ୱବିଦ୍ୟାଳୟ ଅନ୍ୟତମ ।
ନୂତନ ଭାବେ ନିଯୁକ୍ତି ପାଇଥିବା କୁଳପତି ମାନେ ହେଲେ ଟଙ୍କେଶ୍ୱର କୁମାର (ହରିୟାଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ), ପ୍ରକାଶ ବନ୍ସଲ୍ (ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ), ସଞ୍ଜୀବ ଜୈନ (ଜମ୍ମୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ), କ୍ଷିତିତ୍ ଭୂଷଣ ଦାସ (ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ), ବଟ୍ଟୁ ସତ୍ୟନାରାୟଣ (କର୍ଣ୍ଣାଟକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ), ମୁଥୁକଳିଙ୍ଗନ୍ କ୍ରିଷ୍ଣନ୍ (ତାମିଲନାଡ଼ୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ) ଏବଂ ବସୁଥକର ଜେ ରାଓ (ଆନ୍ଧ୍ରପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ) । ସେହିପରି ଦକ୍ଷିଣ ବିହାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କାମେଶ୍ୱର ନାଥ ସିଂହ, ଉତ୍ତର-ପୂର୍ବାଞ୍ଚଳ ହିଲ୍ ବିଶ୍ୱବିଦ୍ୟାଳୟରେ ପ୍ରଭା ଶଙ୍କର ଶୁକ୍ଳା, ବିଳାସପୁର ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳରେ ଆଲୋକ କୁମାର ଚକ୍ରାୱାଲ୍, ମୌଲାନା ଆଜାଦ୍ ନ୍ୟାସ୍ନାଲ୍ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟରେ ସୟଦ୍ ଅଇନୁଲ୍ ହସନ୍ ଏବଂ ମଣିପୁର ବିଶ୍ୱବିଦ୍ୟାଳୟରେ ଲୋକେନ୍ଦର ସିଂହଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ମିଳିଛି ।