32.1 C
Bhubaneswar
Thursday, May 2, 2024
Homeଓଡିଶାପ୍ରସ୍ତୁତି ଜୋର୍‌ଦାର୍‌; ଆଉ ଦୁଇ ଦିନ ପରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ

ପ୍ରସ୍ତୁତି ଜୋର୍‌ଦାର୍‌; ଆଉ ଦୁଇ ଦିନ ପରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ

ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ । ଆସନ୍ତା ୧୮ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ସହ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ । ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର୍ ଚାଲିଛି । ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସାର୍ବଜନୀନ କରିବା ନିମନ୍ତେ ବି ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ୱେବ୍‌ସାଇଟ୍ ଲୋକାର୍ପିତ ହୋଇଛି ।
ଦେଶରେ ମୋଟ୍ ୯୭ କୋଟି ପଞ୍ଜିକୃତ ଭୋଟର୍ ଥିବାବେଳେ ଓଡ଼ିଶାରେ ୩.୩୪ କୋଟି ଭୋଟର ଅଛନ୍ତି । ଏମାନେ ଚଳିତ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିବେ । ସେହିପରି ଦେଶରେ ୧୦.୫ ଲକ୍ଷ ପୋଲିଂ ବୁଥ୍ ଥିବାବେଳେ ଓଡ଼ିଶାରେ ୩୭,୮୦୯ଟି ବୁଥ୍ ରହିଛି । ଭୋଟ୍ ଗ୍ରହଣ ପାଇଁ ଓଡ଼ିଶା ସମେତ ସାରା ଦେଶରେ ଦେଢ଼ କୋଟି ପୋଲିଂ ଅଫିସର ସାମିଲ ହୋଇଛନ୍ତି । ତେବେ ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ମେ’ ୧୩, ୨୦,୨୫ ଓ ଜୁନ୧ରେ ଭୋଟ୍ ହେବ । ଜୁନ୍ ୪ ମଙ୍ଗଳବାର ଭୋଟ୍ ଗଣତି ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୮ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ରାଜ୍ୟର ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ହେବ । ନିର୍ବାଚନ ହେବାକୁ ଥିବା ଚାରି ଲୋକସଭା ଆସନ ହେଉଛି କଳାହାଣ୍ଡି, ନବରଙ୍ଗପୁର(ଏସ୍‌ଟି),ବ୍ରହ୍ମୁପର ଓ କୋରାପୁଟ(ଏସ୍‌ଟି) । ଏହି ପର୍ଯ୍ୟାୟରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଆଗାମୀ ୨୫ ଥିବା ବେଳେ ୨୬ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ ହୋଇଛି । ମେ’ ୧୩ରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କେବଳ ବିଭିନ୍ନ ଦଳର ପ୍ରାର୍ଥୀମାନେ ନାମାଙ୍କନ ଭରିବାକୁ ବାକି ରହିଛି ।
ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସେଥିପାଇଁ ୨୦୨୪ ନିର୍ବାଚନକୁ ‘ସ୍ୱଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଆହ୍ୱାନ ଦେଇଛନ୍ତି । ଏହି କ୍ରମରେ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଜନସାଧାରଣଙ୍କ ଠାରେ ପହଞ୍ଚାଇବା ଉଦ୍ଦେଶ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମାଉସ୍ ସ୍ୱିଚ୍ ଟିପି ଏକ ସ୍ୱତନ୍ତ୍ର ୱେବ୍‌ସାଇଟ୍ ଲୋକାର୍ପଣ କରିଛନ୍ତି । ସମସ୍ତ ତଥ୍ୟ ଧାର୍ଯ୍ୟ ସମୟରେ ତଥ୍ୟ ଉପଲବ୍ଧ ହେବ । ସେଥିପାଇଁ ଏକ ଜନାଭିମୁଖୀ ରୂପରେ ଓଡ଼ିଶା ୱେବ୍‌ସାଇଟ୍ ଉପଲବ୍ଧ ହୋଇଛି । ଏହାର ପ୍ରାରମ୍ଭିକ ପୃଷ୍ଠାରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା, ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ସଂପର୍କିତ ତଥ୍ୟ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବାର୍ତ୍ତା ରହିଛି । ଫେସ୍‌ବୁକ୍‌, ଏକ୍ସ, ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ୍ ଆଦି ଭଳି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମାଜିକ ଗଣମାଧ୍ୟମ ପୃଷ୍ଠାର ଲିଙ୍କ୍ ମଧ୍ୟ ଏଠାରେ ରହିଛି । ଏହି ମୁଖ୍ୟ ପୃଷ୍ଠାରେ ନିର୍ବାଚନ ସଂପର୍କିତ ହେଲପ୍‌ଲାଇନ୍‌-୧୯୫୦ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମୋବାଇଲ୍ ଆପ୍ ଓ ପୋର୍ଟାଲର ମଧ୍ୟ ଲିଙ୍କ୍ ରହିଛି । ମୁଖ୍ୟ ପୃଷ୍ଠାରେ ଥିବା ଇଲେକ୍‌ସନ୍ ମାଇକ୍ରୋସାଇଟ୍‌ରେ କ୍ଲିକ୍ କରି ଭାରତ ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌କୁ ବ୍ୟବହାରକାରୀ ଯାଇପାରିବେ । ଏଥିସହ ୱେବ୍‌ସାଇଟ୍‌ରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସଂପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ଭୋଟର୍‌ମାନଙ୍କ ସଂପର୍କିତ ସମସ୍ତ ତଥ୍ୟ ଯେପରି ଭୋଟର୍ ତାଲିକା, ଅନ୍‌ଲାଇନ୍ ଆବେଦନ, ଭୋଟର ତାଲିକାରେ ନାମ ଖୋଜିବା, ବୁଥ୍ ତାଲିକା, ଲୋକସଭା ଓ ବିଧାନସଭା କ୍ଷେତ୍ର ମ୍ୟାପ୍ ଆଦି ଦିଆଯାଇଛି । ଅନ୍ୟ ବଟନ୍‌ଗୁଡ଼ିକରେ ଆଦର୍ଶ ଆଚରଣ ବିଧି, ଇଭିଏମ୍‌-ଭିଭିପାଟ୍‌, ପୂର୍ବ ନିର୍ବାଚନଗୁଡ଼ିକର ଫଳାଫଳ, ମତଦାନ ହାର, ରାଜନୈତିକ ଦଳ, ପ୍ରାର୍ଥୀଙ୍କ ବିଭିନ୍ନ ଫର୍ମ, ଗାଇଡ଼୍‌ଲାଇନ୍ ଆଦି ବିଷୟରେ ସବିଶେଷ ତଥ୍ୟ ଦିଆଯାଇଛି । ଭାରତ ନିର୍ବାଚନ କମିଶନ ନିର୍ବାଚନ ସଂପର୍କିତ ସମସ୍ତ ତଥ୍ୟ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ନିର୍ବାଚନ ସୁପରିଚାଳନାର ଏକ ପ୍ରମୁଖ ଦିଗ ବୋଲି ସିଇଓ ପ୍ରକାଶ କହିଛନ୍ତି । ଲୋକାର୍ପଣ କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ୍ ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି ଓ ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking