ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ତେଲ କମ୍ପାନିଗୁଡ଼ିକ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ପୁଣି ବଢ଼ାଇଛନ୍ତି। ପେଟ୍ରୋଲ ଦର ଲିଟର ପିଛା ୯୩ ପଇସା ବୃଦ୍ଧି ପାଇ ୧୦୫ ଟଙ୍କା ୪୪ ପଇସାରେ ପହଞ୍ଚିଛି। ସେହିଭଳି ଡିଜେଲ ଦର ଲିଟର ପିଛା ୯୬ ପଇସା ବଢ଼ି ୯୬ ଟଙ୍କା ୫୫ ପଇସା ହୋଇଛି। ଏଥିସହିତ ପ୍ରିମିୟମ ପେଟ୍ରୋଲ ଦର ଲିଟର ପିଛା ୯୪ ପଇସା ବଢ଼ି ୧୧୪ ଟଙ୍କା ୫୬ ପଇସା ଛୁଇଁଛି। ଗତ ୫ ଦିନ ଭିତରେ ଏହା ପେଟ୍ରୋଲ ଓ ଡିଜେଲର ଦ୍ବିତୀୟ ଦରବୃଦ୍ଧି। ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଫଳ ଚଳିତମାସ ୩ ତାରିଖରେ ପ୍ରକାଶ ପାଇଥିଲା। ଏହା ପରେ ଚଳିତମାସ ୧୫ ତାରିଖରେ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୩ ଟଙ୍କାରୁ ଅଧିକ ବଢ଼ାଇଥିଲେ। ଫଳରେ ଭୁବନେଶ୍ବର ବଜାରରେ ପେଟ୍ରୋଲ ଦର ୧୦୪ ଟଙ୍କା ୫୧ ପଇସା, ଡିଜେଲ ଦର ୯୫ ଟଙ୍କା ୯୯ ପଇସା ଏବଂ ପ୍ରିମିୟମ ପେଟ୍ରୋଲ ଦର ୧୧୩ ଟଙ୍କା ୬୨ ପଇସାରେ ପହଞ୍ଚିଥିଲା। ଆଜିର ବୃଦ୍ଧି ଫଳରେ ଦେଶରେ ପେଟ୍ରୋଲ ଓ ଡିଜେଲ ଆହୁରି ମହଙ୍ଗା ହୋଇଯାଇଛି।ଇରାନ-ଆମେରିକା ଯୁଦ୍ଧ ପରେ ହର୍ମୁଜ ପ୍ରଣାଳୀ ବନ୍ଦ ରହିଛି। ଉପସାଗରୀୟ ଦେଶ ଅଞ୍ଚଳରୁ ଅଶୋଧିତ ତେଲ ବିଶ୍ବ ବଜାରକୁ ଆସି ପାରୁନାହିଁ। ଏହା ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିଯାଇଛି।










