23.1 C
Bhubaneswar
Wednesday, January 15, 2025
Homeଓଡିଶାବର୍ଷ ବର୍ଷ ଧରି ପଲିଥିନ୍ ତଳେ କଟୁଛି ଜୀବନ

ବର୍ଷ ବର୍ଷ ଧରି ପଲିଥିନ୍ ତଳେ କଟୁଛି ଜୀବନ

 

ମାଲକାନାଗିରି : ଜିଲ୍ଲାର ଏମଭି ୭୯ ଗ୍ରାମ ଅନ୍ତର୍ଗତ ଜେଲ ସାହିର ସାଲେବାନ ନାଗ, ଜୀବନ ର ଅପରାହ୍ନରେ ପହଁଚି ଥିଲେ ବି ପେଟକୁ ଦୁଇମୁଠା ଦାନା ବ୍ୟତୀତ ଆଉ କିଛି ଜୁଟିନି ତାଙ୍କ ପରିବାରକୁ । ବର୍ଷ ବର୍ଷ ଧରି ଖରା, ବର୍ଷା ଓ ଶୀତ ସମୟରେ ଏକ ପଲିଥିନ୍ ଟଣା କୁଡିଆ ଘରେ ଯେନତେନ ପ୍ରକାରେ କଟୁଛି ସାଲେବାନ ଙ୍କ ପରିବାର ଲୋକଙ୍କ ଜୀବନ। ସକାଳୁ ସଞ୍ଜ କୁଲି କାମ କରି ପରିବାର ଲୋକଙ୍କ ପେଟ ପାଇଁ ଦାନା ଯୋଗାଡ କରୁଥିଲେ ମଧ୍ଯ ରାତିରେ ମୁଣ୍ଡ ଗୁଞ୍ଜିବାକୁ ପଲିଥିନ୍ ଛାତ ହିଁ ଭରସା ହୋଇ ପଡିଛି ଏହି ପରିବାରକୁ। ଖରା ସମୟରେ ଚଳି ଯାଉଥିଲେ ମଧ୍ୟ ଜାଡ ଶୀତ ଓ ବର୍ଷା ଦିନରେ ଅତ୍ୟନ୍ତ ଦୟନୀୟ ଭାବେ ରହିବାକୁ ପଡୁଥିବା ସାଲେବାନ କୋହ ଭରା ସ୍ଵରରେ କହିଛି। ଏଥିସହ ସାଲେବାନ ଙ୍କ କର୍ଣ୍ଣ ସମସ୍ୟା ରହିଥିବା ହେତୁ ଠିକ ଭାବେ ଶୁଣା ନଯିବାରୁ ଦୈନନ୍ଦିନ ଜୀବନରେ ନାନା ସମସ୍ୟା ଭୋଗ କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ଗତ କିଛି ବର୍ଷରେ ଦୁଇଥର ପ୍ରାଶାସନ ଦ୍ଵାରା ଆୟୋଜିତ ଶିବିରରେ ଯୋଗ ଦେଇଥିଲେ ସୁଦ୍ଧା ନିରାଶ ହୋଇ ଫେରିବାକୁ ପଡ଼ିଥିବା ସାଲେବାନ କହିଛି। ଏପରି ସ୍ଥିତିରେ ଗରିବଙ୍କୁ ଉଦ୍ଧାର ସହ ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କ ନଜରରେ ସାଲେବାନ ପରି ଗରିବ ପରିବାର ଯେପରି ଅଭିଶପ୍ତ ପାଲଟି ଯାଇଥିବା କୁହାଯାଉଛି। ଅନ୍ୟପଟେ ଏମଭି ୭୯ ଗ୍ରାମ ସଦର ମହକୁମା ରେ ଏଭଳି ଚିତ୍ର ଦେଖିବାକୁ ମିଳୁଥିବା ବେଳେ ଦୁର୍ଗମ ଅଞ୍ଚଳର କଥା କହିବ କିଏ ବୋଲି ବୁଦ୍ଧିଜିବୀ ମହଲରେ କୁହାଯାଇଛି। ଗତ ପ୍ରାୟ ୩୦ ବର୍ଷରୁ ଉର୍ଦ୍ଧ ସମୟ ଧରି ସାଲେବାନ ଙ୍କ ପରିବାର ଏହି ଗ୍ରାମରେ ରହି ଆସୁଥିବା ବେଳେ ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କ ପକ୍ଷରୁ ପିଡିଏସ୍ ଚାଉଳ ବ୍ୟତୀତ ଆଉ କୌଣସି ସରକାରୀ ସୁବିଧା ଯୋଗାଇ ଦିଆଯାଇ ନାହିଁ। ସାଲେବାନ ଙ୍କ ପରିବାରରେ ବର୍ତମାନ ୩ ଜଣ ଗୋଟିଏ ପଲିଥିନ୍ ଟଣା କୋଠାରୀରେ ହିଁ ଜୀବନ କଟୁଥିବା ବେଳେ ଏମାନଙ୍କୁ ସରକାରୀ ବାସଗୃହଟିଏ କେବେ ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ଏପରି ସ୍ଥିତିରେ ସାଲେବାନ ଙ୍କ ପରିବାରକୁ ତୁରନ୍ତ ବାସଗୃହ ଯୋଗାଇ ଦେବା ସହ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking