26.1 C
Bhubaneswar
Sunday, July 6, 2025
Homeଦେଶ ବିଦେଶ‘ଚିନ୍ତନ ଶିବିର’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବ: ପୋଲିସ ପାଇଁ ‘ୱାନ୍ ନେସନ୍‌, ୱାନ୍ ୟୁନିଫର୍ମ’

‘ଚିନ୍ତନ ଶିବିର’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବ: ପୋଲିସ ପାଇଁ ‘ୱାନ୍ ନେସନ୍‌, ୱାନ୍ ୟୁନିଫର୍ମ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ସାରା ଦେଶର ପୁଲିସ୍ ପାଇଁ ‘ୱାନ୍ ନେସନ୍‌, ୱାନ୍ ୟୁନିଫର୍ମ’ ପ୍ରସ୍ତାବ ଦେଇଛନ୍ତି । ବିଭିନ୍ନ ଫୋର୍ସଙ୍କ ମଧ୍ୟରେ ଏକାଭଳି ରୂପ ଉପରେ ନିଜର ମତ ରଖି ମୋଦୀ କହିଛନ୍ତି ଏହା କେବଳ ଏକ ପ୍ରସ୍ତାବ, ଜୋର ଜବରଦସ୍ତ ଲାଗୁ କରିବାର କୌଣସି ଉଦ୍ୟମ ନୁହେଁ । ଏହାକୁ ଏକ ପ୍ରସ୍ତାବ ଭାବେ ବିଚାର କରିବା ପାଇଁ ସେ ରାଜ୍ୟଗୁଡ଼ିକୁ ନିବେଦନ କରିଛନ୍ତି । ଏହା ସମ୍ଭବ ହେବା ପାଇଁ ୫୦ କିମ୍ବା ୧୦୦ ବର୍ଷ ଲାଗିପାରେ । ମାତ୍ର ଏହା ଉପରେ ଆମ ସମସ୍ତଙ୍କୁ ଚିନ୍ତା କରିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି ।

ହରିୟାଣାର ସୁରଜକୁଣ୍ଡରେ ଚାଲିଥିବା ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ଦୁଇଦିନିଆ ‘ଚିନ୍ତନ ଶିବିର’କୁ ଭିଡିଓ କନ୍‌ଫରେନ୍ସ ଜରିଆରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଅପରାଧ ଓ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟଗୁଡ଼ିକ ମଧ୍ୟରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, ସହକାରୀ ସଂଘବାଦ ସମ୍ବିଧାନର ଭାବନା ହୋଇଥିବା ବେଳେ ଏହା କେନ୍ଦ୍ର ଓ ରାଜ୍ୟର ଦାୟିତ୍ୱ ମଧ୍ୟ । ସାରା ଦେଶର ପୁଲିସର ପରିଚୟ ଏକପ୍ରକାର ହୋଇପାରିବ । ସମସ୍ତ ରାଜ୍ୟ ପୁରୁଣା ଆଇନର ସମୀକ୍ଷା କରି ଆଜିର ସନ୍ଦର୍ଭରେ ସେଥିରେ ସୁଧାର ଆଣିବା ଆବଶ୍ୟକ । ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ ସୁରକ୍ଷାକୁ ନେଇ ଦେଖାଦେଉଥିବା ଚାଲେଞ୍ଜ୍‌ର ସମାଧାନ ପାଇଁ ସମସ୍ତ ଏଜେନ୍ସିଙ୍କ ମଧ୍ୟରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିବେଦନ କରିଛନ୍ତି ।

ସେ କହିଛନ୍ତି, ପୁଲିସ ସମ୍ପର୍କରେ ଭଲ ଧାରଣା ବଜାୟ ରଖିବା ‘ବହୁ ମହତ୍ତ୍ୱପୂର୍ଣ୍ଣ’ ଏବଂ ଏହି ରାସ୍ତାରେ ଯେଉଁ ତ୍ରୁଟି ରହିଛି, ତାକୁ ଦୂର କରାଯିବା ଆବଶ୍ୟକ । ସମ୍ବିଧାନ ଅନୁସାରେ ଆଇନ-ଶୃଙ୍ଖଳା ରାଜ୍ୟ ବିଷୟ ହୋଇଥିଲେ ମଧ୍ୟ ଏହା ଦେଶର ଏକତା ଏବଂ ଅଖଣ୍ଡତା ସହ ମଧ୍ୟ ବହୁ ମାତ୍ରାରେ ଜଡ଼ିତ । ପ୍ରତ୍ୟେକ ରାଜ୍ୟ ଅନ୍ୟଠାରୁ ଶିଖୁ, ଜଣେ ଅନ୍ୟଠାରୁ ପ୍ରେରଣା ନେଉ ଏବଂ ଆନ୍ତରୀକ ସୁରକ୍ଷା ପାଇଁ ମିଳିମିଶି କାମ କରନ୍ତୁ । ଆନ୍ତରିକ ସୁରକ୍ଷା ପାଇଁ ରାଜ୍ୟଗୁଡ଼ିକ ମିଳିମିଶି କାମ କରିବା ସାମ୍ବିଧାନିକ ଅନିବାର୍ଯ୍ୟତା ଏବଂ ଦେଶ ପ୍ରତି କର୍ତ୍ତବ୍ୟ ମଧ୍ୟ । ଦକ୍ଷତା ବୃଦ୍ଧି, ଉନ୍ନତ ପରିଣାମ ଏବଂ ସାଧାରଣ ଜନତାଙ୍କୁ ସୁରକ୍ଷା ପ୍ରଦାନ ପାଇଁ ରାଜ୍ୟର ହେଉ କିମ୍ବା କେନ୍ଦ୍ରର, ସମସ୍ତ ଏଜେନ୍ସି ପରସ୍ପରକୁ ସହଯୋଗ କରିବା ଉଚିତ । ଆଇନଶୃଙ୍ଖଳାର ସିଧା ସମ୍ବନ୍ଧ ବିକାଶ ସହିତ ଥିବାରୁ ଶାନ୍ତି ବଜାୟ ରଖିବା ପ୍ରତ୍ୟେକଙ୍କ ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏଠାରେ ଆୟୋଜିତ ଦୁଇଦିନିଆ ଚିନ୍ତନ ଶିବିର ‘ଭିଜନ୍ ୨୦୪୭’ ଏବଂ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ‘ପଞ୍ଚ ପ୍ରାଣ’ ଅନୁସାରେ ଆନ୍ତରିକ ସୁରକ୍ଷା ସମ୍ବନ୍ଧିତ ମାମଲା ଉପରେ ନୀତି ନିର୍ଦ୍ଧାରଣକୁ ଜାତୀୟ ସ୍ୱରୂପ ପ୍ରଦାନ କରିବା ନିମନ୍ତେ ଏକ ଉଦ୍ୟମ । ଏହାର ଉଦ୍ଦେଶ୍ୟ ସହକାରୀ ସଂଘବାଦ ଭାବନାରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ବିଭିନ୍ନ ହିତଧାରକଙ୍କ ମଧ୍ୟରେ ଯୋଜନାର କ୍ରିୟାନ୍ୱୟନରେ ଅଧିକ ତାଳମେଳ ସୃଷ୍ଟି କରିବା । ଶିବିରରେ ପୁଲିସ ଫୋର୍ସର ଆଧୁନୀକିକରଣ, ସାଇବର୍ ଅପରାଧ ପ୍ରବନ୍ଧନ, ଅପରାଧିକ ନ୍ୟାୟ ପ୍ରଣାଳୀରେ ସୂଚନା ପ୍ରାଦ୍ଦ୍ୟୋଗିକୀ (ଆଇଟି)ର ଉପଯୋଗ, ଭୂମି ସୀମା ପ୍ରବନ୍ଧନ, ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା, ମହିଳା ସୁରକ୍ଷା, ମାଦକ ପଦାର୍ଥ ତସ୍କରୀ ପରି ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରାଯାଉଛି । ଏଥିରେ ବିଭିନ୍ନ ରାଜ୍ୟର ଗୃହ ମନ୍ତ୍ରୀ, ଗୃହ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ଏଜେନ୍ସି ମହାନିର୍ଦ୍ଦେଶକମାନେ ଯୋଗ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking