33.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶମଣିଷ ଶରୀରରେ ଲାଗିଲା ଘୁଷୁରୀ ହୃତପିଣ୍ଡ....

ମଣିଷ ଶରୀରରେ ଲାଗିଲା ଘୁଷୁରୀ ହୃତପିଣ୍ଡ….

ଚିକାଗୋ: ମଣିଷ ଶରୀରରେ ଲାଗିଲା ଘୁଷୁରୀ ହୃତପିଣ୍ଡ । ତାହା ମଧ୍ୟ ଫଳପ୍ରଦ ହୋଇଛି । ଆଧୁନିକ ଚିକିତ୍ସା ବିଜ୍ଞାନ ଏଭଳି ଏକ ଅସମ୍ଭବ ବିଷୟକୁ ସମ୍ଭବ କରିଛି । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ସଫଳ ପ୍ରମାଣିତ ହେଲେ ତାହା ଆଗାମୀ ଦିନରେ ମଣିଷର ବିଭିନ୍ନ ଜଟିଳ ଅଙ୍ଗପ୍ରତ୍ୟଙ୍ଗ ଅଭାବ ଜନିତ ସମସ୍ୟା ଦୂର କରିବ ବୋଲି ଚିକିତ୍ସାବିଜ୍ଞାନୀମାନେ ଆଶା ପୋଷଣ କରିଛନ୍ତି । ଆମେରିକାର ଚିକିତ୍ସା ବିଜ୍ଞାନୀମାନେ ଜଣେ ବ୍ୟକ୍ତିଙ୍କ ଶରୀରରେ ଘୁଷୁରୀ ହୃତପିଣ୍ଡ ପ୍ରତିରୋପଣ କରିଛନ୍ତି । ଜେନେଟିକାଲି ମଡିଫାଏଡ ଏହି ଘୁଷୁରୀ ହୃତପିଣ୍ଡ ମଣିଷ ଶରୀରରେ ଅସ୍ତ୍ରୋପଚାର କରି ଖଞ୍ଜାଯିବା ଏହି ଧରଣର ପ୍ରଥମ । ଅସ୍ତ୍ରୋପଚାରର ତିନି ଦିନ ପରେ ରୋଗୀ ଆଶାଜନକ ଭାବରେ ଆରୋଗ୍ୟ ଲାଭ କରୁଥିବା ଚିକିତ୍ସା ବିଶେଷଜ୍ଞମାନେ କହିଛନ୍ତି । ୟୁନିଭରସିଟି ଅଫ ମେରିଲାଣ୍ଡ ମେଡିସିନର ଏକ ଚିକିତ୍ସକ ଦଳ ଏହି ଅସ୍ତ୍ରୋପଚାର କରିଛନ୍ତି । ଏହାଦ୍ୱାରା ସେମାନେ ପ୍ରଥମ କରି ଏକ ଘୁଷୁରୀ ହୃତପିଣ୍ଡ ମଣିଷ ଶରୀରରେ ଲାଗିବାର ସମ୍ଭାବନାକୁ ପ୍ରତିପାଦିତ କରିଛନ୍ତି । ଏହା ମଣିଷର ଅଙ୍ଗପ୍ରତ୍ୟଙ୍ଗ ଅଭାବ ଜନିତ ପରିସ୍ଥିତି ଦୂର କରିବାରେ ଦିଗରେ ଆଉ ପାଦେ ସଫଳତା ହୋଇଛି ବୋଲି ଉକ୍ତ ଚିକିତ୍ସା ବିଶେଷଜ୍ଞମାନେ କହିଛନ୍ତି । ରୋଗୀଙ୍କ ଶରୀରରେ ଘୁଷୁରୀ ହୃତପିଣ୍ଡ ପ୍ରତିରୋପଣ କରିଥିବା ଡା.ବାର୍ଟଲେ ଗ୍ରିଫିଥ କହିଛନ୍ତି, ଅସ୍ତ୍ରୋପଚାର ପରେ ସେମାନେ ରୋଗୀଙ୍କ ଉପରେ କଡା ସତର୍କ ନଜର ରଖିଛନ୍ତି । ତାହାସହିତ ବିଶ୍ୱରେ ଏହି ଧରଣର ପ୍ରଥମ ଅସ୍ତ୍ରୋପଚାର ଭବିଷ୍ୟତରେ ରୋଗୀ ଚିକିତ୍ସାରେ ସହାୟକ ହେବାନେଇ ସେମାନେ ଆଶାବୀଦ ରହିଛନ୍ତି । ଜଣାଯାଇଛି ଯେ ମେରିଲାଣ୍ଡର ବାସିନ୍ଦା ୫୭ ବର୍ଷ ବୟସ୍କ ଡେଭିଡ ବେନେଟଙ୍କ କ୍ଷେତ୍ରରେ ଏଭଳି ହୃତପିଣ୍ଡ ପ୍ରତିରୋପଣ ଶେଷ ବିକଳ୍ପ ଥିଲା । ତାହା ହୋଇନଥିଲେ ତାଙ୍କର ମୃତ୍ୟୁ ଘଟିଥାନ୍ତା । ସେ ବଞ୍ଚିବାକୁ ଚାହୁଁଥିଲେ । ଏହା ତାଙ୍କ ପାଇଁ ଅନ୍ଧାର ମଧ୍ୟରେ କ୍ଷୀଣ ଆଲୋକ ରେଖା ହୋଇଛି, କିନ୍ତୁ ଆଉ କିଛି ଉପାୟ ନଥିଲା ବୋଲି ଅସ୍ତ୍ରୋପଚାରର ଦିନକ ପୂର୍ବରୁ ବେନେଟ କହିଥିଲେ । ଅସ୍ତ୍ରୋପଚାର ପୂର୍ବରୁ ୟୁନିଭରସିଟି କର୍ତ୍ତୃପକ୍ଷ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ପକ୍ଷରୁ ଏଥିପାଇଁ ଜରୁରୀକାଳିନ ଅନୁମତି ଲୋଡିଥିଲେ । ଅନୁମତି ମିଳିବା ପରେ ଅସ୍ତ୍ରୋପଚାର ସଂପନ୍ନ ହୋଇଥିଲା । ଜଣାଯାଇଛି ଯେ ଆମେରିକାରେ ସଂପ୍ରତି ପ୍ରାୟ ୧,୧୦,୦୦୦ ରୋଗୀ ବିଭିନ୍ନ ଅଙ୍ଗ ପ୍ରତିରୋପଣ ପାଇଁ ଅପେକ୍ଷା ତାଲିକାରେ ରହିଛନ୍ତି । ପ୍ରତିବର୍ଷ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତିରୋପଣ କରିନପାରି ପ୍ରାୟ ୬ହଜାର ଲୋକ ପ୍ରାଣ ହରାଉଥିବା ମଧ୍ୟ ଜଣାଯାଇଛି । ତେବେ ଏହି ଅସ୍ତ୍ରୋପଚାର ପାଇଁ ବ୍ଲାକ୍ସବର୍ଗସ୍ଥିତ ଏକ ରିଜେନେରେଟିଭ ଔଷଧ କମ୍ପାନୀ ରେଭିଭିକୋର ଜେନେଟିକାଲି ମଡିଫାଏଡ ଘୁଷୁରୀ ହୃତପିଣ୍ଡ ଯୋଗାଇ ଦେଇଥିଲା । ସଂପ୍ରତି ଘୁଷୁରୀର କିଡନି, ଯକୃତ ଏବଂ ଫୁସଫୁସ ଆଦି ଅଙ୍ଗ ପ୍ରତ୍ୟଙ୍ଗ ମଣିଷ ଶରୀରରେ ପ୍ରତିରୋପଣ କରାଯାଇପାରିବ କି ନାହିଁ ତାହା ଉପରେ ଗବେଷଣା ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking