29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶପେଗାସସ୍ ସଫ୍ଟୱେୟାର ମାମଲା : ଦୁଇ ବରିଷ୍ଠ ସାମ୍ବାଦିକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ପେଗାସସ୍ ସଫ୍ଟୱେୟାର ମାମଲା : ଦୁଇ ବରିଷ୍ଠ ସାମ୍ବାଦିକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ : ଇସ୍ରାଏଲ କମ୍ପାନୀ ଏନ୍‌ଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ସଫ୍ଟୱେୟାର (ସ୍ପାଏୱେୟାର) ଅପବ୍ୟବହାର ପ୍ରସଙ୍ଗରେ ଦୁଇ ବରିଷ୍ଠ ସାମ୍ବାଦିକ ଏନ.ରାମ ଓ ଶଶିକୁମାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୁପ୍ରିମକୋର୍ଟର କୌଣସି କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରାଇବାକୁ ସେମାନେ ପିଟିସନରେ ଉଲ୍ଲେଖ କରିଛନ୍ତି । ଏହି ସ୍ପାଏୱେୟାର ଜରିଆରେ ଭାରତରେ ୩୦୦ ବ୍ୟକ୍ତିବିଶେଷଙ୍କ ସ୍ମାର୍ଟଫୋନକୁ ହ୍ୟାକ୍ କରି ଯେଭଳିଭାବେ ସେମାନଙ୍କର ବ୍ୟକ୍ତିଗତ ତଥ୍ୟକୁ ହଡପ କରାଯାଇଛି, ତାହାକୁ ଦୁଇ ସାମ୍ବାଦିକ ସାଇବର-ଆତଙ୍କବାଦ ବୋଲି ଆକ୍ଷେପ କରିଛନ୍ତି । ସାମରିକ ବିଭାଗ ପାଇଁ ଉଦ୍ଦିିଷ୍ଟ ଏହି ସଫ୍ଟୱେୟାରକୁ ଅପବ୍ୟବହାର କରାଯିବା ଦ୍ୱାରା ବ୍ୟକ୍ତିଙ୍କର ମୌଳିକ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବାବେଳେ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ପିଟିସନରେ ଅଭିଯୋଗ କରାଯାଇଛି । ରାଜନେତା, ସାମ୍ବାଦିକ, ବ୍ୟୁରୋକ୍ରାଟ, ମାନବାଧିକାର କର୍ମୀଙ୍କ ଫୋନକୁ ହ୍ୟାକ୍ କରାଯିବା ଦ୍ୱାରା ଦେଶର ନିରାପତ୍ତା ବ୍ୟବସ୍ଥା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ସମ୍ବିଧାନର ଧାରା ୨୧ ଓ ୧୯(୧)(କ) ଅନୁଯାୟୀ ଭାରତୀୟ ନାଗରିକଙ୍କୁ ପ୍ରଦାନ କରାଯାଇଥିବା ଗୋପନୀୟତା ଓ ବାକ୍ ସ୍ୱାଧୀନତା ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ସୂଚନା ଓ ପ୍ରଯୁକ୍ତି ଆଇନ ଅନୁଯାୟୀ ପେଗାସସ୍ ସଫ୍ଟୱେୟାରର ଅପବ୍ୟବହାର ଆଇନତଃ ଦଣ୍ଡନୀୟ ହୋଇଥିବାରୁ ଏହାର ବିଧିବଦ୍ଧ ଓ ନିରପେକ୍ଷ ତଦନ୍ତ କରାଯିବା ଜରୁରୀ ବୋଲି ପିଟିସନଧାରୀ ଦାବି କରିଛନ୍ତି । ଫ୍ରାନ୍ସର ଗଣମାଧ୍ୟମ ସିଣ୍ଡିକେଟ୍ ପେଗାସସ୍‌ର ଗୁମର ଖୋଲିବାପରେ ଏହାକୁ ନେଇ ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ଏହି ସଫ୍ଟୱେୟାର ସାମରିକ ପ୍ରସଙ୍ଗ ପାଇଁ ଉଦ୍ଦିଷ୍ଟ ହୋଇଥିବାବେଳେ ବିଶ୍ୱର ପ୍ରାୟ ୫୦ ହଜାର ବ୍ୟକ୍ତିବିଶେଷଙ୍କ ସ୍ମାର୍ଟଫୋନକୁ ହ୍ୟାକ୍ କରାଯାଇଛି । ତେବେ ଏହି ସଫ୍ଟୱେୟାର ନିର୍ମାତା ଏନ୍‌ଏସ୍‌ଓ କିନ୍ତୁ ଏଥିପାଇଁ ନିଜ ଉପରୁ ଦୋଷ ଛଡାଇଦେଇଛି । ରାଜିନାମା ଅନୁଯାୟୀ ଏହି ସଫ୍ଟୱେୟାରର କୌଣସି ଅପବ୍ୟବହାର ପାଇଁ କମ୍ପାନୀ ଦାୟୀ ରହୁନଥିବା କୁହାଯାଇଛି । ସଫ୍ଟୱେୟାର ବିକ୍ରି କରାଯିବାପରେ କମ୍ପାନୀର ଦାୟିତ୍ୱ ଶେଷ, କୌଣସି ପ୍ରକାର ଅପବ୍ୟବହାର ପାଇଁ ସଂପୃକ୍ତ ରାଷ୍ଟ୍ର ସମ୍ପୂର୍ଣ୍ଣଭାବେ ଦାୟୀ ବୋଲି କମ୍ପାନୀ ମୁଖପାତ୍ର ସଫେଇ ଦେଇସାରିଛନ୍ତି । ଇତିମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନତ୍ରୀ ମମତା ବାନାର୍ଜୀ ଏହି ଘଟଣାର ତଦନ୍ତ ନିମନ୍ତେ ଏକ ବିଚାରବିଭାଗୀୟ କମିଟି ଗଠନ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking