ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଦିଲ୍ଲୀ ବିମାନ ବନ୍ଦରରେ କୋଭିଡ୍ ପୂର୍ବ ଯାତ୍ରୀ ପରିବହନ ସ୍ତର ୭୦ ନିୟୁତକୁ ଅତିକ୍ରମ କରିବ ବୋଲି ଜଣାଯାଇଛି । ଏହା ମଧ୍ୟରୁ ୫୨ ନିୟୁତ ଘରୋଇ ଏବଂ ୧୮ ନିଯୁତ ଅନ୍ତର୍ଜାତୀୟ ଯାତ୍ରୀ ହେବେ ବୋଲି କୁହାଯାଉଛି । ସେହିପରି ଆସନ୍ତା ବର୍ଷ ଫେବୃଆରୀ ଶେଷ ସୁଦ୍ଧା ଟର୍ମିନାଲ-୧ର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବା ଆଶା କରାଯାଉଛି । ଫଳରେ ଘରୋଇ ବିମାନ ଯାତ୍ରୀ ପରିଚାଳନା କ୍ଷମତା ୨୩ ନିୟୁତ ବୃଦ୍ଧି ପାଇବ ବୋଲି ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ସୂଚନା ଦେଇଛନ୍ତି । ଏହା ବ୍ୟତୀତ ଟର୍ମିନାଲ୍-୨ (ଟି୨)କୁ ସ୍ୱଳ୍ପ ସମୟ ପାଇଁ ଅନ୍ତର୍ଜାତୀୟ ଟର୍ମିନାଲ୍ରେ ପରିଣତ କରାଯିବ ବୋଲି ଏୟାରପୋର୍ଟ ଅପରେଟର ଡିଆଇଏଲ୍ ସିଇଓ ବିଦେହ କୁମାର ଜୟପୁରିଆର କହିଛନ୍ତି । ବର୍ତ୍ତମାନ ଟି୨ ଘରୋଇ ବିମାନ ପାଇଁ ଉଦ୍ଦିଷ୍ଟ ଏବଂ ଏହାର ଯାତ୍ରୀ ପରିଚାଳନା କ୍ଷମତା ୧୫ ନିୟୁତ ରହିଛି । ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇଏ) ଦେଶର ସବୁଠାରୁ ବଡ଼ ବିମାନ ବନ୍ଦର ହୋଇଥିବା ବେଳେ ଏହା ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଲିମିଟେଡ୍ (ଡିଆଇଏଏଲ୍) ଦ୍ୱାରା ପରିଚାଳିତ ହେଉଛି । ବର୍ତ୍ତମାନ ବିମାନ ବନ୍ଦରରେ ତିନିଟି ଟର୍ମିନାଲ୍ ରହିଥିବା ବେଳେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଚତୁର୍ଥ ଟର୍ମିନାଲ୍ ଖୋଲିବା ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ ବୋଲି ଜୟପୁରିଆର ଏକ ସାକ୍ଷାତକାରରେ କହିଛନ୍ତି ।