ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିବା କେରଳର ଜଣେ ଯୁବକକୁ ଶୁକ୍ରବାର ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍) ଗିରଫ କରିଛି । ଗୁରୁବାର ପୂର୍ବାହ୍ନ ୧୧ଟା ୬ ମିନିଟ୍ରେ ମୁମ୍ବାଇ ଇଣ୍ଟର୍ନାସ୍ନାଲ୍ ଏୟାରପୋର୍ଟ ଲିମିଟେଡ୍ର ଫିଡ୍ବ୍ୟାକ୍ ଇନ୍ବକ୍ସରେ ଏହି ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ ଏଟିଏସ୍ ତଦନ୍ତ ଆରମ୍ଭ କରିଥିଲା । ୪୮ ଘଣ୍ଟା ମଧ୍ୟରେ ବିଟ୍କଏନ୍ ରୂପେ ଏକ ନିୟୁତ ଡଲାର୍ ସ୍ଥାନାନ୍ତରିତ କରାନଗଲେ ଆମେ ୪୮ ଘଣ୍ଟା ମଧ୍ୟରେ ଟର୍ମିନାଲ ୨କୁ ବ୍ଲାଷ୍ଟ୍ କରିବୁ ବୋଲି ସେ ଧମକ ଦେଇଥିଲା । ୨୪ ଘଣ୍ଟା ପରେ ଆଉ ଏକ ସତର୍କ ସୂଚନା ଦିଆଯିବ ବୋଲି ଇମେଲ୍ରେ ଉଲ୍ଲେଖ ଥିଲା । ଏହାକୁ ନେଇ ସାହାର ପୁଲିସ ଷ୍ଟେସନରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୮୫ ଏବଂ ୫୦୫ (୧) (ଖ)ରେ ଏକ ଏଫ୍ଆଇଆର୍ ରୁଜୁ ହୋଇଥିଲା । ପୁଲିସ ସହିତ ସମାନ୍ତରାଳ ତଦନ୍ତ ଆରମ୍ଭ କରିଥିବା ଏସ୍ଆଇଟି ସାଇବର୍ ସେଲ୍ କେରଳରୁ ଆସିଥିବା ଇମେଲ୍ର ଆଇପି ଆଡ୍ରେସ୍ ଠାବ କରିଥିଲା । ଏହାପରେ ଏକ ଟିମ୍ ବିମାନରେ କେରଳ ଯାଇ ସମ୍ପୃକ୍ତ ଯୁବକୁ ଗିରଫ କରିଥିଲା । ଅଭିଯୁକ୍ତକୁ ସାହାରା ପୁଲିସ ହସ୍ତାନ୍ତର କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି ।