କୋଲକାତା : ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କର ମହିଳା ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଅପରାଧ କାହାଣୀର ଫର୍ଦ୍ଦ ଧିରେ ଧିରେ ଖୋଲିବାକୁ ଲାଗିଛି । ପୂର୍ବରୁ ସେମାନଙ୍କ ବାସଭବନ ଉପରେ ଚଢଉ କରାଯାଇ ନଗଦ ୫୦ କୋଟି ଟଙ୍କା ଏବଂ ୫ କିଲୋ ସୁନା ଜବତ କରାଯାଇସାରିଛି । ଗୁରୁବାର ଇଡି ଅଧିକାରୀମାନେ କୋଲକାତାରୁ ୧୫୦ କିମି ଦୂର ଶାନ୍ତିନିକେତନଠାରେ ଥିବା ପାର୍ଥ-ଅର୍ପିତାଙ୍କ ଏକ ଫାର୍ମହାଉସ ଉପରେ ଦୀର୍ଘ ୭ ଘଣ୍ଟା ଚଢଉ କରିଥିବା ଜଣାପଡିଛି । ୨୦୧୨ରେ ପାର୍ଥ-ଅର୍ପିତା ୨୦ ଲକ୍ଷ ଟଙ୍କାରେ ଏହିି ଜମି କିଣି ସେଠାରେ ଫାର୍ମହାଉସ ତିଆରି କରିଥିଲେ ।
୨୦୨୦ରେ ଏହି ଜମିର ମ୍ୟୁଟେସନ ଅର୍ପିତାଙ୍କ ନାମରେ ହୋଇଥିଲା । ଦୁଇଜଣଙ୍କ ନାମର ପ୍ରଥମ ଅକ୍ଷରକୁ ମିଶାଇ ଫାର୍ମହାଉସର ନାମ ‘ଅପା’ ରଖାଯାଇଥିଲା । ପାର୍ଥ ଓ ଅର୍ପିତାଙ୍କୁ ଅନେକ ସମୟରେ ଏହି ଫାର୍ମହାଉସରେ ଦେଖିବାକୁ ମିଳୁଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଚଢଉ ସମୟରେ ଫାର୍ମହାଉସର ଗୋଟିଏ ସ୍ଥାନରେ ମାଟି ଖୋଳାଯାଇଥିବା ଲକ୍ଷ୍ୟ କରାଯାଇଛି । ମାଟିତଳେ କ’ଣ ପୋତାଯାଇଛି, ତାହାକୁ ଇଡି ଅଧିକାରୀ ଯାଞ୍ଚ କରୁଛନ୍ତି ।