30.1 C
Bhubaneswar
Sunday, May 19, 2024
Homeଓଡିଶାବଧୂ ହତ୍ୟା ମାମଲାରେ ୨ଭାଇଙ୍କୁ ଆଜୀବନ

ବଧୂ ହତ୍ୟା ମାମଲାରେ ୨ଭାଇଙ୍କୁ ଆଜୀବନ

ପାରଳାଖେମୁଣ୍ଡି : ଅତିରିକ୍ତ ଜିଲ୍ଲା ଦୌରାଜଜ୍ ହେମନ୍ତ କୁମାର ସେଠୀ ବୁଧବାର ଏକ ବଧୂ ହତ୍ୟା ମାମଲାରୁ ବିଚାର କରି ୨ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅନ୍ୟ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ପୁରୀ ଥାନା ବାଲିସାହି ଗ୍ରାମର ରାକେଶ ରୋସନ ହୋତାଙ୍କ ଭଉଣୀ ମଧୂସ୍ମିତାଙ୍କୁ ପାରଳାଖେମୁଣ୍ଡି ଜଗନ୍ନାଥ ବିହାର ନିବାସୀ ପୂର୍ଣ୍ଣଚନ୍ଦ୍ର ଦାଶ ଗତ ୨୦୧୩ରେ ବିବାହ କରିଥିଲେ । ଯୌତୁକ ବାବଦ ଦାବିମୁତାବକ ୨ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଆସବାବ ପତ୍ର ଦିଆଯାଇଥିଲା । ପର ମୁହୂର୍ତ୍ତରେ ଅଧିକ ଯୌତୁକ ପାଇଁ ନିର୍ଯ୍ୟାତନା ଦେବା ଆରମ୍ଭ ହେଲା । ମଧୂସ୍ମିତା ଗର୍ଭଧାରଣ ପରେ ତାଙ୍କ ବାପାଙ୍କ ଘର ବାଲିସାହି ପୁରୀକୁ ଚାଲିଯାଇଥିଲେ ଏବଂ ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେବାର କିଛି ଦିନ ପରେ ତାଙ୍କ ସ୍ୱାମୀଙ୍କ ବଡଭାଇ ବାଲିସାହି ଯାଇ ସେଠାରେ ମଧୂସ୍ମିତାର ଭାଇ ଓ ମାଆଙ୍କୁ ବୁଝାସୁଝା କରି ଆଉ ନିର୍ଯ୍ୟାତନା ନଦେବା ପାଇଁ ପ୍ରତିଶ୍ରୁତି ଦେବାରୁ ମଧୂସ୍ମିତା ପୁଣି ପାରଳାଖେମୁଣ୍ଡି ସ୍ୱାମୀ ପାଖକୁ ପୁତ୍ର ସନ୍ତାନ ସହ ଆସିଥିଲେ ।  ପୂର୍ବ ପରି ତାର ସ୍ୱାମୀ, ଦେଢଶୁର ଓ ଜାଆ ମାନେ ନିର୍ଯ୍ୟାତନା ଦେଲେ ।

୨୯.୦୭.୨୦୧୭ ତାରିଖରେ ଚୁଡି କିଣିବା ଘଟଣାକୁ ନେଇ ଦେଢଶୁର ଗଣେଶ ଦାଶ ତାଙ୍କୁ ଗାଳିଗୁଲଜ ଦେଲେ । ଏନେଇ ପୁରୀରେ ଥିବା ଭାଇ ରାକେଶ ରୋଶନ, ତାଙ୍କ ସ୍ୱାମୀ ପୂର୍ଣ୍ଣଙ୍କୁ ଓ ତା’ ମାଉସୀ ପୁଅ ଭାଇଙ୍କୁ ମଧ୍ୟ ଜଣାଇଥିଲେ । ଏନେଇ ପୁଣି ଗଣ୍ଡଗୋଳ ହୋଇଥିଲା। ମାଡ ମାରିବାରୁ ମଧୂସ୍ମିତା ଚେତାଶୂନ୍ୟ ହୋଇଯାଇଥିଲେ, ହେଲେ ଘର ଲୋକମାନେ ମୃତ୍ୟୁ ହୋଇଗଲା ଭାବି ତାକୁ ଗାଧୁଆ ଘରକୁ ନେଇ ସେଠାରେ କିରୋସିନି ପକେଇ ପୋଡି ମାରିଦେଇଥିଲେ । ତାପରେ ମଧୂସ୍ମିତାର ମାଆଙ୍କୁ ଓ ତାର ଭାଇକୁ ମୃତ୍ୟୁ ହେବାର ଖବର ଜଣାଇଥିଲେ । ତାପର ଦିନ ଏହି ଘଟଣା ବିଷୟରେ ତା’ର ଭାଇ ଓ ଅନ୍ୟାନ୍ୟ ପରିବାର ପୁରୀରୁ ଆସି ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ଦାଖଲ କରିଥିଲେ ।  ଅଭିଯୁକ୍ତମାନେ ମଧ୍ୟ ମଧୂସ୍ମିତା ରୋଷେଇ କରିବା ସମୟରେ ତା ଦେହରେ ନିଆଁ  ଲାଗି ମୃତ୍ୟୁବରଣ କରିଛି ବୋଲି ୨ ସାକ୍ଷୀ ପ୍ରଦାନ କରିଥିଲେ ।

ହେଲେ ଅଦାଲତ ମଧୂସ୍ମିତାଙ୍କୁ ହତ୍ୟା କରିଥିବାର ପ୍ରମାଣ, ବୟାନ ଆଦିକୁ ନେଇ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଦାଶ, ଦେଢଶୁର ଗଣେଶ ଦାଶଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି । ସରକାର ତରଫରୁ  ସରକାରୀ ଓକିଲ ଶରତଚନ୍ଦ୍ର ପ୍ରଧାନ ଓ ଅଭିଯୁକ୍ତଙ୍କ ତରଫରୁ ରାମକୁମାର ଓ ତାଙ୍କ ସହଯୋଗୀ ଓକିଲ ମକଦ୍ଦମା ପରିଚାଳନା କରିଥିଲେ । ଉଭୟଙ୍କୁ ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଲେଖାଏଁ ଦଣ୍ଡବିଧାନ ହୋଇଛି । ଜୋରିମାନା ଅନାଦେୟରେ ଅତିରକ୍ତ ୨ବର୍ଷ କାରାଦଣ୍ଡ ଭୋଗିବେ ବୋଲି କୋର୍ଟ ରାୟ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking